କୋଲକାତା: ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ପଶ୍ଚିମବଙ୍ଗରେ ହିଂସା ଅଣାୟତ ଆଡ଼କୁ ଗତି କରୁଛି।  ପ୍ରଦର୍ଶନକାରୀମାନେ ମୁର୍ଶିଦାବାଦ ଜିଲ୍ଲାର ଦୁଇଟି ଟ୍ରେନ୍‌ରେ ନିଆଁ ଲଗାଇଥିବା ବେଳେ କୋଲକାତାକୁ ସଂଯୋଗ କରୁଥିବା କୋନା ଏକ୍ସପ୍ରେସ୍‌ୱେରେ ରାଜ୍ୟ ପରିବହନ ବିଭାଗର ୪ଟି ବସ୍‌କୁ ଜାଳି ଦେଇଛନ୍ତି। ହାୱଡା ନିକଟସ୍ଥ ସଂକ୍ରେଲ୍‌ ରେଳ ଷ୍ଟେସନ୍‌ର କେବିନ୍‌ ଏବଂ ଟିକେଟ୍‌ ବୁକିଂ କାଉଣ୍ଟର୍‌ରେ ହିଂସା ପ୍ରଦର୍ଶନକାରୀମାନେ ନିଆଁ ଲଗାଇବା ପରେ ସଂପୃକ୍ତ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି।

Advertisment

କ୍ରିଷ୍ଣାପୁର ଏବଂ ଲାଲଗୋଲା ରେଲୱେ ‌ଷ୍ଟେସନ୍‌ରେ ପହଞ୍ଚିଥିବା ଦୁଇଟି ଟ୍ରେନ୍‌କୁ ପୂର୍ବରୁ ବିକ୍ଷୋଭକାରୀମାନେ ଟାର୍ଗେଟ କରିଥିବା ବେଳେ ଦୁଇଟା ଯାକ ଟ୍ରେନ୍‌ର କିଛି କିଛି ଡବାକୁ ନିଆଁ ଲଗାଇ ଦେଇଥିବା ସୂଚନା ରହିଛି।

ଅପରାହ୍ନ ୧୨.୩୦ରୁ ନେଇ ଦୀର୍ଘ ୪ ଘଣ୍ଟା ପର୍ଯ୍ୟନ୍ତ ଦୁଇଟି ଜାତୀୟ ରାଜପଥକୁ ସଂଯୋଗ କରୁଥିବା କୋନା ଏକ୍ସପ୍ରେସ୍‌ୱେରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି। ୪ଟି ବସ୍‌ ପୋଡ଼ିବା ଆଗରୁ ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରିଥିଲେ। ପୁଲିସ୍‌ ଆସି ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନେ ପୁଲିସ୍‌ ଉପରକୁ ଟେକାପଥର ଫୋପଡ଼ିଥିଲେ।

publive-image New Indian Express

ପୁଲିସ୍‌ ଦେଇଥିବା ସୂଚନା ଅନୁସାରେ, ପ୍ରାୟ ୨୦୦ ବିକ୍ଷୋଭକାରୀ ମିଶି ଅପରାହ୍ନ ୧୨.୩୦ ସମୟରୁ ଏପରି ହିଂସା ଉପୁଜାଇଛନ୍ତି। ସେମାନେ ପ୍ରଥମେ କୋନା ଏକ୍ସପ୍ରେସ୍‌‌ୱେରେ ବସ୍‌ର ତେଲ୍‌ ଟାଙ୍କିକୁ ଭାଙ୍ଗି ସେଥିରୁ ତେଲ୍‌ କାଢ଼ି ରାସ୍ତାରେ ଢାଳିବା ସହ ବସ୍‌ରେ ନିଆଁ ଲଗାଇଥିଲେ। କେବଳ ସେତିକି ନୁହେଁ, ମୁର୍ଶିଦାବାଦରେ ଥିବା  ୩୪ ନମ୍ବର ଜାତୀୟ ରାଜପଥର ଟୋଲ୍‌ ପ୍ଲାଜାକୁ ମଧ୍ୟ ବିକ୍ଷୋଭକାରୀମାନେ ନିଆଁ ଲଗାଇ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାଗରିକ ସଂଶୋଧନ ଆଇନ୍‌କୁ ନେଇ ହିଂସା ନ ଉପୁଜାଇବା ପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଥିଲେ।  ପଶ୍ଚିବଙ୍ଗରେ ଉତ୍ତେଜନା ସୃଷ୍ଟି ହେବା ପରେ ରାଜ୍ୟବାସୀମାନଙ୍କୁ  ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ କହିବା ସହ  ଯେଉଁମାନେ ହିଂସା ଉପୁଜାଇବା ପାଇଁ ଚେଷ୍ଟା କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମମତା ସ୍ପଷ୍ଟ କରିଥିଲେ।