ନୂଆଦିଲ୍ଲୀ : ଗତକାଲି ଲୋକସଭାରେ ବହୁଚର୍ଚିତ ନାଗରିକତା ସଂଶୋଧନ ବିଲ୍ ଗୃହୀତ ପରେ କେନ୍ଦ୍ର ସରକାର ଏହାକୁ ରାଜ୍ୟସଭାରେ ପାସ କରାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି ବିଲ୍ ଉପରେ ୧୨ ଘଣ୍ଟା ଧରି ଆଲୋଚନା ପରେ ମଧ୍ୟରାତିରେ ଲୋକସଭାରେ ଅନୁମୋଦନ ଲାଭ କରିଥିଲା। ବିଲ୍ ସପକ୍ଷରେ ୩୧୧ ଜଣ ମତଦାନ କରିଥିବା ବେଳେ ୮୦ ଜଣ ଏହାର ବିରୋଧ କରିଥିଲେ।
ଆଜି ବହୁଚର୍ଚିତ ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ଆଗତ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିଲାଗି ବିଜେପି ଡିସେମ୍ବର ୧୦ ଓ ୧୧ତାରିଖରେ ନିଜର ପାର୍ଟିର ରାଜ୍ୟସଭା ସାଂସଦଙ୍କ ପାଇଁ ହ୍ୱିପ ଜାରି କରିଛି ।
Bharatiya Janata Party (BJP) issues whip to its Rajya Sabha MPs to be present in the House on 10th & 11th December. pic.twitter.com/sHlp02RNUI
— ANI (@ANI) December 9, 2019
ସୂଚନାଯୋଗ୍ୟ,ବହୁଚର୍ଚିତ ନାଗରିକତା ସଂଶୋଧନ ବିଲକୁ ରାଜ୍ୟସଭାରେ ପାସ କରିବା ପାଇଁ ୧୨୦ ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ।
ବିଜେପି ପାଖରେ ଏବେ ୮୩ ଜଣ ସାଂସଦ ଅଛନ୍ତି । ଏହା ବ୍ୟତୀତ ଜେଡିୟୁର ୬ ଜଣ, ଏଆଇଡିଏମକେ ପାଖରେ ୧୧ ଜଣ ଓ ଅକାଳୀ ଦଳ ନିକଟରେ ୩ ଜଣ ସାଂସଦ ଏବଂ ୧୨ ଜଣ ମନୋନୀତ ସାଂସଦ ମଧ୍ୟ ବିଜେପିକୁ ସମର୍ଥନ ଜଣାଇବେ ।
ଏହା ବ୍ୟତୀତ ବିଜେଡ଼ି ଓ ୱାଇଏସଆର କଂଗ୍ରେସର ସାଂସଦମାନେ ମଧ୍ୟ ବିଲକୁ ସମର୍ଥନ ଜଣାଇବେ ବୋଲି ଆଶା କରାଯାଉଛି । ଏଭଳି ଘଟିଲେ ଏହି ବିଲ ସହଜରେ ଗୃହୀତ ହୋଇପାରିବ ବୋଲି କୁହାଯାଉଛି।