ନାଗରିକତା ବିଲ୍‌କୁ ସଂସଦର ମଞ୍ଜୁରି, ରାଜ୍ୟସଭାରେ ୧୨୫-୧୦୫ ଭୋଟ୍‌‌ରେ ପାସ୍

ଜେଡିୟୁ ଓ ବିଜେଡିର ସମର୍ଥନ, ଶିବ‌େସନାର ବର୍ଜନ

ନୂଆଦିଲ୍ଲୀ : ବିବାଦୀୟ ନାଗରିକତା ସଂଶୋଧନ ବିଲ୍ ଆଜି ସଂସଦର ଅନୁମୋଦନ ଲାଭ କରିଛି। ଗତ ସୋମବାର ଦିନ ଲୋକସଭାରେ ୩୧୧-୮୦ ଭୋଟରେ ଗୃହୀତ ଏହି ବିଲ ଆଜି ରାଜ୍ୟସଭାରେ ମଧ୍ୟ ପାସ୍ ହୋଇଛି। ୬ ଘଣ୍ଟାର ବିତର୍କ ପରେ ହୋଇଥିବା ମତଦାନରେ ବିଲକୁ ୧୨୫ ଜଣ ସଭ୍ୟ ସମର୍ଥନ କରିଥିବା ବେଳେ ୧୦୫ ଜଣ ଏହାର ବିରୋଧ କରିଥିଲେ। ଏହି ବିଲ୍ ଏବେ ରାଷ୍ଟ୍ରପତିଙ୍କ ପାଖକୁ ପଠାଯିବ। ରାଷ୍ଟ୍ରପତିଙ୍କ ଦସ୍ତଖତ ପରେ ଏହା ଆଇନରେ ପରିଣତ ହେବ। ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଆସି ଭାରତରେ ଆଶ୍ରୟ ନେଇଥିବା ଅଣମୁସଲିମ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରିବା ଲାଗି ଏହି ବିଲରେ ବ୍ୟବସ୍ଥା ରହିଛି।

ଲୋକସଭା ଭଳି ରାଜ୍ୟସଭାରେ ମଧ୍ୟ ଏହି ବିଲ ଉପରେ ସରଗରମ ଆଲୋଚନା ହୋଇଥିଲା। ବିରୋଧୀ ଦଳଗୁଡ଼ିକ ଏହାର ଜୋରଦାର ବିରୋଧ କରିଥିବା ବେଳେ ସରକାର ଏହା ସପକ୍ଷରେ ଦୃଢ଼ ଯୁକ୍ତି ରଖିଥିଲେ। ଧର୍ମକୁ ଆଧାର କରି ଏହି ବିଲ ପ୍ରସ୍ତୁତ ହୋଇଥିବାରୁ ଏହା ଭାରତୀୟ ସମ୍ବିଧାନ ଓ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହି ବିରୋଧୀ ଦଳର ସଭ୍ୟମାନେ ସରକାରଙ୍କୁ ସମାଲୋଚନା କରିଥିଲେ। ଭେଦଭାବ ପୂୂର୍ଣ୍ଣ ଏହି ବିଲ୍ ଦେଶରେ ବିଭାଜନ ଭଳି ପରିସ୍ଥିତି ସୃଷ୍ଟି କରିବ।

ଅନ୍ୟପକ୍ଷରେ ଏହି ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଆଲୋଚନାର ଉତ୍ତର ଦେଇ ‌େସ କହିଥିଲେ ଯେ କାହା ପ୍ରତି ଭେଦଭାବ କରାଯାଇ ନାହିଁ। ଏହାକୁ ନେଇ ଭାରତୀୟ ମୁସଲିମ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। କାରଣ ସେମାନେ ‌େହଉଛନ୍ତି ଭାରତୀୟ ନାଗରିକ। ୭୦ ବର୍ଷ ତଳେ ଯେଉଁ ଐତିହାସିକ ଭୁଲ କରାଯାଇଥିଲା ତାହାର କେବଳ ସଂଶୋଧନ କରାଯାଇଛି।

ଲୋକସଭାରେ ଏହି ବିଲକୁ ସମର୍ଥନ କରିଥିବା ଶିବ ସେନା ଆଜି ରାଜ୍ୟସଭାରେ ମତଦାନ ବର୍ଜନ କରିଥିଲା। ‌େ‌ତବେ ବିଜେଡି ସମେତ ଆନ୍ନାଡିଏମକେ, ୱାଇଆରଏସ୍ କଂଗ୍ରେସ ଏବଂ ଜେଡିୟୁ ବିଲକୁ ସମର୍ଥନ କରି ମତଦାନ କରିଥିଲେ। ବିଲକୁ ନେଇ ନୀତୀଶ କୁମାରଙ୍କ ଜେଡିୟୁରେ ମତଭେଦ ସୃଷ୍ଟି ହୋଇଥିଲା। ଲୋକସଭାରେ ବିଲକୁ ସସମର୍ଥନ କରିଥିବା ଏହି ଦଳ ରାଜ୍ୟସଭାରେ ବିରୋଧ କରିପାରେ‌ ବୋଲି କୁହାଯାଇଥିଲା। ବୃହତ ଜାତୀୟ ସ୍ବ‌ାର୍ଥ ଦୃଷ୍ଟିରୁ ଏହି ବିଲକୁ ସମର୍ଥନ କରାଯାଇଥିବା ଆଞ୍ଚଳିକ ଦଳମାନେ ଯୁକ୍ତି କରିଛନ୍ତି।

ଏହାପୂର୍ବରୁ ବିଲକୁ ସିଲେକ୍ଟ କମିଟିକୁ ପଠାଇବା ଲାଗି ବିରୋଧୀ ଦଳମାନଙ୍କର ପ୍ରସ୍ତାବ ୧୧୭-୯୯ ଭୋଟ‌େର କାଟ୍ ଖାଇଯାଇଥିଲା।

ସଂସଦରେ ବିଲର ଅନୁମୋଦନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଇତିହାସରେ ଏକ ସୁବର୍ଣ୍ଣ ଅଧ୍ୟାୟ ବୋଲି ବର୍ଣ୍ଣନା କରିଛନ୍ତି। ବିଲକୁ ସମର୍ଥନ କରିଥିବା ସମସ୍ତ ସଭ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହାକୁ ଭାରତୀୟ ସମ୍ବିଧାନ ଇତିହାସରେ କଳାଦିବସ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର