ନୂଆଦିଲ୍ଲୀ: କଂଗ୍ରେସର ଭିତିରି ଅବସ୍ଥା ପୂରା ବେହାଲ। ଇନ୍ଦୋରରେ ପହଞ୍ଚିଥିବା କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏଭଳି କହିଥିବା ଜଣାପଡ଼ିଛି। ସିନ୍ଧିଆ ସୋମବାର ତାଙ୍କ ବାସଭବନରେ ବିଜେପିର ଜାତୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗିୟଙ୍କୁ ଭେଟିଥିଲେ। ଏହି ସମୟରେ ସିନ୍ଧିଆ କହିଥିଲେ ଯେ କଂଗ୍ରେସର ଭିତିରି ଅବସ୍ଥା ପୂରା ବେହାଲ ହୋଇଗଲାଣି। ଇସ୍ତଫା ଦେଉଥିବା ନେତାଙ୍କୁ ଦେଖି ଏହା ଜଣାପଡ଼ୁଛି।
ଯେତେବେଳେ କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମାଙ୍କ ବିଷୟରେ ତାଙ୍କୁ ପ୍ରଶ୍ନ ପଚରାଗଲା, ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିଲେ ଯେ କଂଗ୍ରେସର ଅବସ୍ଥା ଦର୍ଶାଉଛି ଯେ ଦଳର ଭିତିରି ଅବସ୍ଥା ପୂରା ବେହାଲ। ଗତକାଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା ହିମାଚଳ ପ୍ରଦେଶ କଂଗ୍ରେସ ପରିଚାଳନା କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ମଙ୍ଗଳବାର ଦିନ ଜମ୍ମୁ ଓ କଶ୍ମୀର କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବାର କିଛି ସମୟ ପରେ ଦଳର ବରିଷ୍ଠ ନେତା ଗୁଲାମ୍ ନବୀ ଆଜାଦ୍ ଉକ୍ତ ପଦବୀରୁ ଇସ୍ତଫା ଦେଇଥିଲେ। ରବିବାର ପୁଣି ଥରେ ଆନନ୍ଦ ଶର୍ମାଙ୍କ ଇସ୍ତଫା କଂଗ୍ରେସକୁ ବଡ଼ ଝଟକା ଦେଇଥିଲା।
ଆନନ୍ଦ ଶର୍ମା ଇସ୍ତଫା ଦେବା ସହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏନେଇ ଚିଠି ଲେଖି ଜଣାଇଥିଲେ। ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଚିଠିରେ କଂଗ୍ରେସ ନେତା ଆନନ୍ଦ ଶର୍ମା ଲେଖିଥିଲେ ଯେ ମୁଁ ମୋର ଆତ୍ମ ସମ୍ମାନକୁ ନେଇ ଆପୋଷ ବୁଝାମଣା କରିପାରିବି ନାହିଁ। ତେବେ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକକୁ ନିମନ୍ତ୍ରଣ କରାଯାଇ ନ ଥିବାରୁ ସେ ଅସନ୍ତୋଷ ପ୍ରକାଶ କରି ଏଭଳି କରିଥିବା କୁହାଯାଉଛି। ଏହି କାରଣରୁ ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।