ନୂଆଦିଲ୍ଲୀ: ଆନ୍ତର୍ଜାତିକ ବିମାନ ବନ୍ଦର ସ୍ଥାପନ ୨୦୦୮ରେ ଭାରତ ସରକାର ଜାରି କରିଥିବା ‘ଗ୍ରିନ୍ଫିଲ୍ଡ୍ ଏୟାର୍ପୋର୍ଟ ପଲିସି’ଦ୍ୱାରା ପରିଚାଳିତ। ଏହି ପଲିସି ବା ନୀତି ଅନୁସାରେ, ବିମାନ ବନ୍ଦର ସ୍ଥାପନ କରିବାକୁ ଚାହୁଁଥିବା ରାଜ୍ୟ ସମେତ ଜଣେ ଏୟାର୍ପୋର୍ଟ ଡେଭ୍ଲପର୍ ବା ବିମାନ ବନ୍ଦର ବିକାଶକାରୀ ସଂସ୍ଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଏକ ପ୍ରସ୍ତାବ ପଠାଇବା ଆବଶ୍ୟକ। ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ପରେ ହିଁ ବିମାନ ବନ୍ଦର ନିର୍ମାଣ ଲାଗି ବାଟ ଫିଟିଥାଏ। ଆଜି ଲୋକସଭାରେ ପୁରୀରେ ପ୍ରସ୍ତାବିତ ବିମାନ ବନ୍ଦର ସଂକ୍ରାନ୍ତରେ ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ପ୍ରଶ୍ନର ଉତ୍ତର ଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହା କହିଛନ୍ତି। ଉଲ୍ଲେଖଯୋଗ୍ୟ,ଏୟାର୍ପୋର୍ଟ ଡେଭ୍ଲପର୍ଙ୍କ ଉପରେ ବିମାନ ବନ୍ଦର ପ୍ରକଳ୍ପ ନିମନ୍ତେ ଆବଶ୍ୟକ ଖର୍ଚ୍ଚ ଏବଂ ବିମାନ ବନ୍ଦର ପ୍ରକଳ୍ପର ନକ୍ସା ପ୍ରସ୍ତୁତି ଦାୟିତ୍ୱ ନ୍ୟସ୍ତ ଥାଏ।
ସେ ଆହୁରି କହିଛନ୍ତି ଯେ ପୁରୀରେ ଏକ ଆନ୍ତର୍ଜାତିକ ବିମାନ ବନ୍ଦର ସ୍ଥାପନ ନିମନ୍ତେ ୨୦୨୧ ଜାନୁଆରିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ। ଏଥିପାଇଁ ପୁରୀ ସହର ନିକଟରେ ରାଜ୍ୟ ସରକାର ଜାଗା ମଧ୍ୟ ଚିହ୍ନଟ କରିଥିଲେ। ଏ ସଂକ୍ରାନ୍ତରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ, ଓଡ଼ିଶା ସରକାର, ଏୟାର୍ପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଏବଂ ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍ ମଧ୍ୟରେ ଗତ ଜାନୁଆରି ୧୨ରେ ଆଲୋଚନା ହୋଇଥିଲା। ପୁରୀରେ ପ୍ରସ୍ତାବିତ ଆନ୍ତର୍ଜାତିକ ବିମାନ ବନ୍ଦର ସ୍ଥାପନ ନିମନ୍ତେ ‘ପ୍ରି-ଫିଜିବିଲିଟି ଷ୍ଟଡି ରିପୋର୍ଟ’ ନିମନ୍ତେ ରାଜ୍ୟ ସରକାର ୧୪.୪୮ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।
କୌଣସି ବିମାନ ବନ୍ଦରକୁ ଆନ୍ତର୍ଜାତିକ ବିମାନ ବନ୍ଦର ଭାବେ ଘୋଷଣା କରିବା ବହୁ ବାଣିଜ୍ୟିକ ଓ ବୈଷୟିକ ଆବଶ୍ୟକତା ରହିଛି। ବିମାନ ଯାତାୟାତ, ଆନ୍ତର୍ଜାତିକ ବିମାନ ଚଳାଇବା ପାଇଁ ଏୟାର୍ଲାଇନ୍ସଗୁଡ଼ିକାର ସମ୍ମତି, ଗ୍ରାଉଣ୍ଡ୍ ଲାଇଟ୍ନିଙ୍ଗ୍ ଫ୍ୟାସିଲିଟି, ଇନଷ୍ଟ୍ରୁମେଣ୍ଟ୍ ଲ୍ୟାଣ୍ଡିଙ୍ଗ୍ ସିଷ୍ଟମ୍, ରନ୍ୱେର ଦୈର୍ଘ୍ୟ ଓ ଆକାର ଏବଂ ସଂପୃକ୍ତ ସ୍ଥାନର ପ୍ରାଣୀ ଏବଂ ଉଦ୍ଭିଦ କ୍ୱାରେଣ୍ଟିନ୍ ସର୍ଭିସ୍ ଆଦିର ବିଚାର ପରେ ଗୋଟିଏ ବିମାନ ବନ୍ଦରକୁ ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନ କରାଯାଇଥାଏ ବୋଲି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି।