ନୂଆଦିଲ୍ଲୀ: ପାକିସ୍ତାନ ସହ ଉତ୍ତେଜନା ବଢ଼ୁଥିବାରୁ ସେନାମୁଖ୍ୟଙ୍କୁ ଟେରିଟୋରିଆଲ୍ ଆର୍ମି (ଟିଏ) ବା ପ୍ରାଦେଶିକ ସେନାର ସଦସ୍ୟମାନଙ୍କୁ ଡାକିବାର କ୍ଷମତା ଦିଆଯାଇଛି। ଟେରିଟୋରିଆଲ୍‌ ଆର୍ମି ରୁଲ୍‌ସ, ୧୯୪୮ର ନିୟମ ୩୩ ଅନୁଯାୟୀ ସରକାର ସେନାମୁଖ୍ୟଙ୍କୁ ଟେରିଟୋରିଆଲ୍‌ ଆର୍ମିର ସମସ୍ତ ଅଧିକାରୀ ଓ ପଞ୍ଜୀକୃତ କର୍ମଚାରୀଙ୍କୁ ଆବଶ୍ୟକତା ଅନୁଯାୟୀ କାର୍ଯ୍ୟରେ ନିୟୋଜିତ କରିବା ପାଇଁ କ୍ଷମତା ପ୍ରଦାନ କରିଛନ୍ତି। ଭାରତ ପାକିସ୍ତାନର କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ସମେତ ସୀମାପାର ଉତ୍ତେଜନାର ସମ୍ମୁଖୀନ ହେଉଥିବା ବେଳେ ଏହି ଆଦେଶ ଜାରି ହୋଇଛି। ଏହି ନିର୍ଦ୍ଦେଶନାମାରେ ଭାରତୀୟ ସେନାର ଦକ୍ଷିଣ, ପୂର୍ବ, ପଶ୍ଚିମ, କେନ୍ଦ୍ରୀୟ, ଉତ୍ତର, ଦକ୍ଷିଣପଶ୍ଚିମ, ଆଣ୍ଡାମାନ ଓ ନିକୋବର ଏବଂ ସେନା ପ୍ରଶିକ୍ଷଣ କମାଣ୍ଡ (ଏଆର୍‌ଟିଆର୍‌ସି) ସମେତ ସମସ୍ତ ପ୍ରମୁଖ କମାଣ୍ଡରେ ମୁତୟନ ପାଇଁ ଟିଏର ବର୍ତ୍ତମାନର ୩୨ଟି ପଦାତିକ ବାଟାଲିୟନ ମଧ୍ୟରୁ ୧୪ଟିର ନିଯୁକ୍ତିକୁ ବିଶେଷ ଭାବେ ଅନୁମୋଦନ କରାଯାଇଛି। ତେବେ ବଜେଟ୍ ବ୍ୟବସ୍ଥା ଭିତରେ ଏହା କାର୍ଯ୍ୟକାରୀ ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟ ବ୍ୟତୀତ ଅନ୍ୟ ମନ୍ତ୍ରଣାଳୟଗୁଡ଼ିକ ଦ୍ୱାରା ମୁତୟନ ପାଇଁ ଅନୁରୋଧ କରାଗଲେ, ଅନୁରୋଧକାରୀ ମନ୍ତ୍ରଣାଳୟଗୁଡ଼ିକ ଏହାର ଖର୍ଚ୍ଚ ବହନ କରିବେ। ୨୦୨୫ ଫେବ୍ରୁଆରି ୧୦ରୁ ୨୦୨୮ ଫେବ୍ରୁଆରି ୯ ପର୍ଯ୍ୟନ୍ତ ତିନି ବର୍ଷ ପାଇଁ ଏହି ଆଦେଶ ବଳବତ୍ତର ରହିବ।

Advertisment

ଟେରିଟୋରିଆଲ୍‌ ଆର୍ମି କ’ଣ?
୧୯୪୯ ମସିହା ଅକ୍ଟୋବର ୯ ତାରିଖରେ ଟେରିଟୋରିଆଲ୍‌ ଆର୍ମି (ପ୍ରାଦେଶିକା ସେନା) ଗଠନ ହୋଇଥିଲା ଏବଂ ଏହାର କାର୍ଯ୍ୟକାଳ ୭୫ ବର୍ଷ ପୂରଣ ହୋଇଛି। ଜାତୀୟ ଜରୁରିକାଳୀନ ପରିସ୍ଥିତି ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଦାୟିତ୍ୱ ପାଇଁ ସାମରିକ ପ୍ରଶିକ୍ଷଣ ଗ୍ରହଣ କରିଥିବା ସ୍ୱେଚ୍ଛାସେବୀମାନଙ୍କୁ ନେଇ ନିୟମିତ ସେନାର ଏକ ଦ୍ବିତୀୟ ବାହିନୀ ଭାବରେ ଏହା କାମ କରେ। ପୂର୍ବରୁ ବେସାମରିକ ପେସାରେ ନିୟୋଜିତ ଥିବା ଲୋକ- ଡାକ୍ତର, ଇଞ୍ଜିନିୟର, ବ୍ୟବସାୟୀ ପ୍ରଭୃତି ଏହି ଦ୍ବିତୀୟ ବାହିନୀରେ ସାମିଲ ଅଛନ୍ତି, ଯେଉଁମାନେ ଡକାଗଲେ ସେନା ୟୁନିଫର୍ମ ପିନ୍ଧିବାକୁ ପ୍ରସ୍ତୁତ ଥାଆନ୍ତି। ସେମାନେ ସମୟ ସମୟରେ ସାମରିକ ପ୍ରଶିକ୍ଷଣ ନେଇଥାନ୍ତି ଏବଂ ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଅନ୍ୟ ଜରୁରିକାଳୀନ ପରିସ୍ଥିତିରେ ଜାତୀୟ ପ୍ରତିରକ୍ଷାକୁ ସହାୟତା କରନ୍ତି। ଟେରିଟୋରିଆଲ୍‌ ଆର୍ମିରେ ପଞ୍ଜୀକୃତ ସ୍ୱେଚ୍ଛାସେବୀମାନଙ୍କୁ ପ୍ରତିବର୍ଷ ଦୁଇ ମାସର ତାଲିମ ନେବାକୁ ପଡିଥାଏ। ସରକାରୀ ୱେବ୍‌ସାଇଟ୍ ଅନୁଯାୟୀ, ଟିଏରେ ବର୍ତ୍ତମାନ ଉଭୟ ବିଭାଗୀୟ ୟୁନିଟ୍ (ରେଳବାଇ, ଓଏନ୍‌ଜିସି ଓ ଇଣ୍ଡିଆନ୍ ଅଏଲ୍ ପ୍ରଭୃତି) ଏବଂ ଅଣ-ବିଭାଗୀୟ ୟୁନିଟ୍ (ପଦାତିକ ବାଟାଲିୟନ, ଇକୋଲୋଜିକାଲ ଟାସ୍କଫୋର୍ସ ଓ ଇଞ୍ଜିନିୟରିଂ ୟୁନିଟ୍) ସମେତ ୬୫ଟି ୟୁନିଟ୍‌ରେ ପାଖାପାଖି ୫୦,୦୦୦ କର୍ମଚାରୀ ଅଛନ୍ତି। ଯେଉଁ ଅଞ୍ଚଳରେ ସୁରକ୍ଷା ପ୍ରତି ବିପଦ ରହିଛି, ସେଠାରେ ଅତ୍ୟାବଶ୍ୟକ ସେବା ଯୋଗାଇବାରେ ସେମାନେ ବେସାମରିକ ପ୍ରଶାସନକୁ ସାହାଯ୍ୟ କରନ୍ତି। ଆବଶ୍ୟକତା ଅନୁଯାୟୀ ବର୍ଦ୍ଧିତ ସାମରିକ ସେବା ପାଇଁ ସେମାନଙ୍କୁ ଡକାଯାଇପାରେ। ପ୍ରଶିକ୍ଷଣ କିମ୍ବା ସକ୍ରିୟ ଡ୍ୟୁଟି ପାଇଁ ଡକାଗଲେ ସେମାନେ ନିୟମିତ ସେନା ଅଧିକାରୀଙ୍କ ଭଳି ସମାନ ଦରମା, ଭତ୍ତା ଓ ସୁବିଧା ସୁଯୋଗ ପାଆନ୍ତି ।

ନୂଆଦିଲ୍ଲୀ: ପାକିସ୍ତାନ ସହିତ ଭାରତର ଯୁଦ୍ଧ ବ୍ୟାପକ ହେବାରେ ଲାଗିଛି। ଉତ୍ତେଜନା ବଢ଼ୁଥିବା କାରଣରୁ କେନ୍ଦ୍ର ସରକାର ଆଜି ସାରା ଦେଶରେ ବେସାମରିକ ପ୍ରତିରକ୍ଷା ନିୟମ-୧୯୬୮ ଲାଗୁ କରିଛନ୍ତି। ଗୃହ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖାଯାଇଛି। ବେସାମରିକ ସୁରକ୍ଷା ନିୟମ ୧୯୬୮ ଅନୁସାରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ପ୍ରଦାନ କରାଯାଇଥିବା ଜରୁରୀ କ୍ଷମତାକୁ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି। ବାହ୍ୟ ଶତ୍ରୁଙ୍କ ଆକ୍ରମଣ କିମ୍ବା ଆସନ୍ନ ବିପଦ ସମୟରେ ସୁରକ୍ଷା ଓ ପ୍ରତିକାରମୂଳକ ବ୍ୟବସ୍ଥାକୁ ସକ୍ରିୟ କରିବା ଲାଗି ଏହି ନିୟମ ଅଧୀନରେ ସ୍ଥାନୀୟ ପ୍ରଶାସନକୁ କ୍ଷମତା ପ୍ରଦାନ କରାଯାଇଛି। ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନେ ବେସାମରିକ ପ୍ରତିରକ୍ଷା ନିୟମ ୧୯୬୮ର ଧାରା ୧୧କୁ କାର୍ଯ୍ୟକାରୀ କରିପାରିବେ। ଫଳରେ ବେସାମରିକ ପ୍ରତିରକ୍ଷା ନିର୍ଦ୍ଦେଶକମାନଙ୍କୁ ଜରୁରୀକାଳୀନ ସଂଗ୍ରହ କ୍ଷମତା ପ୍ରଦାନ କରାଯାଇଛି। ଆଗୁଆ ପ୍ରସ୍ତୁତ ରହିବା ପାଇଁ ସତର୍କତାମୂଳକ ପଦକ୍ଷେପ ଭାବେ ସେମାନେ ଆବଶ୍ୟକ ସେବା ଓ ସାମଗ୍ରୀ ସଂଗ୍ରହ କରିପାରିବେ। ଭାରତର ଅପରେସନ୍ ‘ସିନ୍ଦୂର’ ପରେ ପାକିସ୍ତାନ ଆମ ଦେଶର ଜମ୍ମୁ କାଶ୍ମୀରଠାରୁ ଆରମ୍ଭ କରି ପଞ୍ଜାବ, ରାଜସ୍ଥାନ ଓ ଗୁଜରାଟ ଆଦି ରାଜ୍ୟରେ ଆକ୍ରମଣ ଆରମ୍ଭ କରିଛି।