ନୂଆଦିଲ୍ଲୀ/ଭୁବନେଶ୍ବର: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍ସି) ଦ୍ବାରା ପରିଚାଳିତ ୨୦୨୪ର ସିଭିଲ ସର୍ଭିସ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ ମୋଟ ୧୦୦୯ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭୨୫ଜଣ ପୁରୁଷ ଓ ୨୮୪ଜଣ ମହିଳା ଅଛନ୍ତି। ପ୍ରଥମ ୫ଜଣଙ୍କ ମଧ୍ୟରେ ୩ଜଣ ମହିଳା ରହିଛନ୍ତି। ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ବାୟୋକେମିଷ୍ଟ୍ରିରେ ବିଏସ୍ସି କରିଥିବା ଶକ୍ତି ଦୁବେ ସାରା ଦେଶରେ ପ୍ରଥମ ହୋଇଛନ୍ତି। ବରୋଦାସ୍ଥିତ ଏମ୍ଏସ୍ ବିଶ୍ବବିଦ୍ୟାଳୟରେ ବି.କମ୍ କରିଥିବା ହର୍ଷିତା ଗୋୟଲ ଦ୍ବିତୀୟ, ଡୋଙ୍ଗ୍ରି ଅର୍ଚ୍ଚିତ୍ ପରାଗ ତୃତୀୟ, ସାହା ମାର୍ଗି ଚିରାଗ ୪ର୍ଥ, ଆକାଶ ଗର୍ଗ ୫ମ, କୋମଲ ପୁନିଆ ୬ଷ୍ଠ, ଆୟୁଷୀ ବଂଶଲ ୭ମ, ରାଜ୍ କ୍ରିଷ୍ଣା ଝା ୮ମ, ଅଦିତ୍ୟ ବିକ୍ରମ ଅଗ୍ରୱାଲ ୯ମ, ମୟଙ୍କ ତ୍ରିପାଠୀ ୧୦ମ ସ୍ଥାନରେ ରହିଛନ୍ତି।
୧୫ରୁ ଅଧିକ ଓଡ଼ିଆଙ୍କୁ ସଫଳତା
ରାଜ୍ୟ ଅନୁଯାୟୀ କୌଣସି ତାଲିକା ପ୍ରକାଶ କରାଯାଇ ନାହିଁ। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ମିଳିଥିବା ଖବର ଅନୁଯାୟୀ, ୧୦୦୯ ଜଣଙ୍କ ମଧ୍ୟରେ ୧୫ରୁ ଅଧିକ ଓଡ଼ିଆ ରହିଥିବା ଜଣାପଡ଼ିଛି। ୪୮ତମ ସ୍ଥାନରେ ରିତିକା ରଥ ଅଛନ୍ତି। ଭୁବନେଶ୍ବରର ସାଇ ଇଣ୍ଟରନ୍ୟାସନାଲ ସ୍କୁଲରୁ ଶିକ୍ଷା ଶେଷ କରିଥିବା ରିତିକା ଆପ୍ଟିପ୍ଲସ୍ରୁ କ୍ଲାସରୁମ୍ କୋଚିଂ ନେଇଥିଲେ। କଠିନ ପରିଶ୍ରମ ସହ ଅବସରପ୍ରାପ୍ତ ଆଇଏଫ୍ଏସ୍ ପିତା ଶିଶିର କୁମାର ରଥଙ୍କ ପ୍ରେରଣା ଆଜି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଛି। ସେହିପରି ୯୫ତମ ସ୍ଥାନରେ ଦେବିକା ପ୍ରିୟଦର୍ଶିନୀ, ୯୬ତମ ସ୍ଥାନରେ ଆଦିତ୍ୟ ଆଚାର୍ଯ୍ୟ, ୧୬୩ରେ ହର୍ଷିତା ଅଗ୍ରୱାଲ, ୧୬୪ରେ ଦୀପ୍ତିରଞ୍ଜନ ପତି, ୧୭୫ରେ ରଶ୍ମି ପ୍ରଧାନ, ୧୯୩ରେ ନୀଳମାଧବ ମିଶ୍ର, ୧୯୮ରେ ଆଶୁତୋଷ ମିଶ୍ର, ୨୧୨ରେ ଅନୁପ ନାୟକ ପ୍ରମୁଖ ରହିଥିବା ଜଣାପଡ଼ିଛି। ଆହୁରି ଅନେକ ଛାତ୍ରଛାତ୍ରୀ ତାଲିକାରେ ରହିଥିବା ଜଣାପଡ଼ିଛି।
ଯୋଗ୍ୟ ପ୍ରାର୍ଥୀମାନେ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍), ଭାରତୀୟ ବିଦେଶ ସେବା(ଆଇଏଫ୍ଏସ୍), ଭାରତୀୟ ପୁଲିସ ସେବା(ଆଇପିଏସ୍) ଓ କେନ୍ଦ୍ରୀୟ ସେବାର ଗ୍ରୁପ୍ ‘ଏ’ ଓ ଗ୍ରୁପ୍ ‘ବି’ ପଦବିରେ ନିଯୁକ୍ତି ପାଇବେ। ସାଧାରଣ ବର୍ଗରେ ୩୩୫ଜଣ ରହିଥିବା ବେଳେ ଅର୍ଥନୈତିକ ପଛୁଆ ବର୍ଗ(ଇଡବ୍ଲୁଏସ୍)ର ୧୦୯, ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ର ୩୧୮, ଏସ୍ସି ବର୍ଗର ୧୬୦, ଏସ୍ଟି ବର୍ଗର ୪୭ଜଣ ରହିଛନ୍ତି। କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ୧୮୦ଜଣ ଆଇଏଏସ୍, ୫୫ଜଣ ଆଇଏଫ୍ଏସ୍, ୧୪୭ଜଣ ଆଇପିଏସ୍, ୬୦୫ଜଣ କେନ୍ଦ୍ରୀୟ ସେବାର ଗ୍ରୁପ୍ ‘ଏ’ ଓ ୧୪୨ଜଣ ଗ୍ରୁପ୍ ‘ବି’ ପଦ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।