ତାଲିବାନ ମୁଖ୍ୟ ମୃତ, ବରାଦର ବନ୍ଦୀ! ଆଫଗାନିସ୍ତାନରେ ଗୃହଯୁଦ୍ଧ ପରିସ୍ଥିତି

ପାକିସ୍ତାନ କବ୍‌ଜାରେ ତାଲିବାନ୍‌ ନେତା

କାବୁଲ : ଆମେରିକାକୁ ହଟାଇ ୨୦ ବର୍ଷ ପରେ ଆଫଗାନିସ୍ତାନରେ କ୍ଷମତା ଦଖଲ କରିଥିବା ତାଲିବାନ ନେତୃତ୍ବ ଏବେ ଘୋର ସଙ୍କଟ ଦେଇ ଗତି କରୁଛି। ଏହାର ମୁଖ୍ୟଙ୍କ ପତ୍ତା ମିଳୁନାହିଁ। ଯାହାକୁ ଶାସନ ମୁଖ୍ୟ ‌କରାଯାଇଛି, ତାଙ୍କର କୌଣସି କ୍ଷମତା ନାହିଁ। ଯେଉଁ ତାଲିବାନ ନେତା ପ୍ରଧାନମନ୍ତ୍ରୀ ହେବେ ବୋଲି କୁହାଯାଉଥିଲା ‌ତାଙ୍କୁ ବନ୍ଦୀ କରି ରଖାଯାଇଛି। ଏବେ ଆଫଗାନ ଶାସନର ନିୟନ୍ତ୍ରଣ ସଂପୂର୍ଣ୍ଣ ରୂ‌ପେ ପାକିସ୍ତାନ ହାତକୁ ଚାଲିଯାଇଛି।

ମିଳିଥିବା ଖବର ଅନୁଯାୟୀ ଆଫଗାନିସ୍ତାନରୁ ଆମେରିକା ଏହାର ସେନା ହଟାଇ ନେବାପରେ ତାଲିବାନ ନେତାମାନେ କ୍ଷମତା ଦଖଲ କରିଥିଲେ। ବିଭିନ୍ନ ପର୍ଯ୍ୟାୟ ଆଲୋଚନା ପରେ ସରକାର ଗଠନ ମଧ୍ୟ ଘୋଷଣା କରିଥିଲେ। କିନ୍ତୁ ସରକାର ଗଠନକୁ ନେଇ ତାଲିବାନ ଭିତରେ ଗୋଷ୍ଠୀ ବିବାଦ ଭୟଙ୍କର ରୂପ ଧାରଣ କରିଛି। ନରମପନ୍ଥୀ କୁହାଯାଉଥିବା ଗୋଟିଏ ଗୋଷ୍ଠୀର ନେତୃତ୍ବ ମୁଲ୍ଲା ବରାଦର ନେଉଥିବା ବେଳେ କଠୋରପନ୍ଥୀ ଗୋଷ୍ଠୀର ନେତୃତ୍ବ ନେଉଛନ୍ତି ଆମେରିକା ଦ୍ବାରା ଆତଙ୍କବାଦୀ ଘୋଷିତ ହକ୍କାନୀ ଗୋଷ୍ଠୀ। ହକ୍କାନୀ ଗୋଷ୍ଠୀ ପାକିସ୍ତାନ ନିୟନ୍ତ୍ରଣରେ ରହିଛି। ବିଶ୍ବ ସମୁଦାୟକୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁସାରେ ଏକ ନରମପନ୍ଥୀ ସରକାର ଗଠନ ଲାଗି ବରାଦର ଗୋଷ୍ଠୀର ଉଦ୍ୟମକୁ ହକ୍କାନୀ ଗୋଷ୍ଠୀ ବିରୋଧ କରୁଛି। ସରକାର ଗଠନ ନେଇ କାନ୍ଦାହାରରେ ଆଲୋଚନା ଚାଲିଥିବା ବେଳେ ବରାଦର ଏବଂ ହକ୍କାନୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ସବୁ ଗୋଷ୍ଠୀ ଓ ଦଳକୁ ନେଇ ମିଳିତ ସରକାର ଗଠନ ପାଇଁ ବରାଦରଙ୍କ ପ୍ରସ୍ତାବକୁ ହକ୍କାନୀ ଗୋଷ୍ଠୀ ତୀବ୍ର ବିରୋଧ କରିଥି‌ଲା। କଥାବାର୍ତା ଚାଲିଥିବା ବେଳେ ହକ୍କାନୀ ଗୋଷ୍ଠୀର ନେତା ଖଲିଲୁର ରହେମାନ୍ ଉତ୍ତ୍ୟକ୍ତ ହୋଇ ବରାଦରଙ୍କୁ ଆକ୍ରମଣ କରିଥିବା କୁହାଯାଉଛି। ଏହାପରେ ଉଭୟ ଗୋଷ୍ଠୀର ସମର୍ଥକମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଅସମର୍ଥିତ ରିପୋର୍ଟ ଅନୁସାରେ ସେଠାରେ ଗୁଳି ବିନିମୟ ମଧ୍ୟ ହୋଇଥିଲା ଏବଂ ବହୁ ସଂଖ୍ୟକ ଲୋକ ମୃତାହତ ହୋଇଥିଲେ। ଏହାପରେ ବରାଦରଙ୍କୁ ବନ୍ଦୀ କରାଯାଇଥିବା କୁହାଯାଉଛି। ବରାଦର ଗୁରୁତର ଆହତ ହୋଇଥିବା ଖବର ପ୍ରଚାରିତ ହେବାପରେ ଏହାକୁ ଗୁଜବ ପ୍ରମାଣିତ କରିବାକୁ ଯାଇ ତାଙ୍କର ଏକ ଭିଡିଓ ବାର୍ତା ପ୍ରସାରିତ କରାଯାଇଥିଲା। ତେବେ ବାର୍ତାରୁ ଜଣାପଡ଼ୁଥିଲା ଯେ ତାଙ୍କୁ ବନ୍ଦୀ କରି ରଖାଯାଇଛି। ଏହାପରୁ ଠାରୁ ତାଙ୍କୁ ସାଧାରଣରେ ଆଉ ଦେଖାଯାଉ ନାହିଁ।

ଏହି ଗୋଷ୍ଠୀ ସଂଘର୍ଷ ସମୟରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥାର ମୁଖ୍ୟ ଫୈଜ ହମିଦ୍ କାବୁଲରେ ଥିଲେ। ସେ ହସ୍ତକ୍ଷେପ କରି ହକ୍କାନୀ ଗୋଷ୍ଠୀକୁ ସମର୍ଥନ ଜଣାଇଥିଲେ।

ସୂଚନାଯୋଗ୍ୟ ଯେ ବରାଦର ୮ ବର୍ଷ ଧରି ପାକିସ୍ତାନ ଜେଲରେ ଥିଲେ। ଦୋହା ଆଲୋଚନାରେ ତାଲିବାନର ପ୍ରତିନିଧିତ୍ବ କରିବା ଲାଗି ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଟ୍ରମ୍ପଙ୍କ ପରାମର୍ଶ କ୍ରମେ ପାକିସ୍ତାନ ତାଙ୍କୁ ମୁକ୍ତ କରିଥିଲା। ଦୋହା ଆଲୋଚନା ପରେ ସଙ୍କେତ ମିଳିଥିଲା ଯେ ତାଙ୍କୁ ତାଲିବାନ ସରକାରରେ ପ୍ରଧାନମନ୍ତ୍ରୀ କରାଯିବ। କିନ୍ତୁ ହକ୍କାନୀ ଗୋଷ୍ଠୀର ବିରୋଧ ପରେ ତାଙ୍କୁ ଉପପ୍ରଧାନମନ୍ତ୍ରୀ କରାଯାଇଥିଲା। ମୁଲ୍ଲା ହୁସେନ ଅଖୁନ୍ଦଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥିଲା। ଅଖୁନ୍ଦ ପ୍ରଧାନମନ୍ତ୍ରୀ ଥିଲେ ମଧ୍ୟ ତାଙ୍କୁ କୌଣସି କ୍ଷମତା ଦିଆଯାଉ ନାହିଁ। ସବୁ କ୍ଷମତା ଉପଭୋଗ କରୁଛନ୍ତି ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନୀ। ସେ ହେଉଛନ୍ତି ହକ୍କାନୀ ଗୋଷ୍ଠୀର ପ୍ରଭାବଶାଳୀ ନେତା। ତାଙ୍କ ଜରିଆରେ ପାକିସ୍ତାନ ଶାସନ ଚଳାଇଥିବା କୁହାଯାଉଛି।

ତେବେ ସବୁଠାରୁ ଉଲ୍ଲେ୍ଖନୀୟ କଥା ହେଲା ଯେ ତାଲିବାନର ମୁଖ୍ୟ ହୈବତୁଲ୍ଲା ଅଖୁନଜାଦା ଏବେ ନିଖୋଜ। ତାଙ୍କୁ ଦେଶର ସର୍ବୋଚ୍ଚ ଆଧ୍ୟାତ୍ମିକ ନେତା ଘୋଷଣା କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ଖୋଜଖବର ନାହିଁ। କୁହାଯାଉଛି ‌ଯେ ତାଙ୍କର ମୃତ୍ୟୁ ଘଟିଛି। କିନ୍ତୁ ଏହି ଖବର‌ କେତେ ସତ ତାହା ଜଣାପଡ଼ୁନାହିଁ।

ସମ୍ବନ୍ଧିତ ଖବର