ୟୁକ୍ରେନ୍‌ର ବୁଚାରେ ସାଧାରଣ ନାଗରିକ ହତ୍ୟା ଅତ୍ୟନ୍ତ ଉଦ୍‌ବେଗଜନକ, ସ୍ବାଧୀନ ତଦନ୍ତ ଆବଶ୍ୟକ: ଭାରତ

ଜାତିସଂଘ: ଯୁଦ୍ଧ-ବିକ୍ଷତ ୟୁକ୍ରେନ୍‌ର ବୁଚାରେ ସାଧାରଣ ନାଗରିକମାନଙ୍କୁ ହତ୍ୟା କରାଯିବା ଘଟଣାକୁ ମଙ୍ଗଳବାର ଦିନ ଭାରତ ତୀବ୍ର ନିନ୍ଦା କରିବା ସହ ଏଭଳି ବର୍ବୋରଚିତ ଅପରାଧକୁ ପ୍ରୋତ୍ସାହିତ କରିଥିବା କାଣ୍ଡ ଘଟାଇଥିବା ବ୍ୟକ୍ତିମାନଙ୍କୁ ଶାସ୍ତି ଦେବା ପାଇଁ ସ୍ବାଧୀନ ତଦନ୍ତ ଆବଶ୍ୟକ ବୋଲି କହିଛି।

ଉପରୋକ୍ତ ପ୍ରସଙ୍ଗରେ କହିବା ବେଳେ ଜାତିସଂଘ ସୁରକ୍ଷା ପରିଷଦ୍‌ରେ ଭାରତର ପ୍ରତିନିଧି ଟି.ଏସ୍‌. ତିରୁମୂର୍ତ୍ତି କହିଛନ୍ତି, ୟୁକ୍ରେନ୍‌ ପରିସ୍ଥିତିରେ ଉଲ୍ଲେଖନୀୟ ସୁଧାର ଘଟିନାହିଁ। ବୁଚାରେ ସାଧାରଣ ନାଗରିକମାନଙ୍କୁ ହତ୍ୟା କରାଯାଇଥିବା ରିପୋର୍ଟ ଅତ୍ୟନ୍ତ ଉଦ୍‌ବେଗଜନକ। ଆମେ ନିଃସନ୍ଦେହ ଏଭଳି ନରସଂହାରକୁ ନିନ୍ଦା କରିବା ସହ ସ୍ବାଧୀନ ତଦନ୍ତ ପାଇଁ ଦିଆଯାଇଥିବା ଆହ୍ବାନକୁ ସମର୍ଥନ କରୁଛୁ।

Image Courtesy of NDTV

ତୁରନ୍ତ ହିଂସା ବିରତି ଏବଂ ଶତୃତାର ଅବସାନ ପାଇଁ ଭାରତ ପୁଣି ଥରେ ଆହ୍ବାନ ଦେବା ସହିତ ବିବାଦର ସମସ୍ତ କାରଣର ସମାଧାନ ନିମନ୍ତେ ଆପୋସ ବୁଝାମଣା କରିବା ଲାଗି ରୁଷ୍‌ ଓ ୟୁକ୍ରେନ୍‌କୁ ଅନୁରୋଧ କରିଛି।

ଜାତିସଂଘ ସୁରକ୍ଷା ପରିଷଦ୍‌ରେ ଉଦ୍‌ବୋଧନ ଦେଇ ତିରୁମୂର୍ତ୍ତି କହିଲେ, ୟୁକ୍ରେନ୍‌ରେ ବିଗିଡ଼ି ଯାଉଥିବା ପରିସ୍ଥିତି ଦେଖ ଭାରତ ଭାରତ ଖୁବ୍‌ ଚିନ୍ତାକୁଳ ହୋଇ ରହିଛି। ସଂଘର୍ଷ ପ୍ରାରମ୍ଭରୁ ହିଁ ଆମେ ଗୁରୁତ୍ବର ସହ କହି ଆସୁଛୁ ଯେ, କୂଟନୀତି ଓ ଆଲୋଚନାର ପଥ ଅନୁସରଣ କରାଯିବା ଆବଶ୍ୟକ।

ଏହାଛଡ଼ା, ସେ ଆହୁରି ମଧ୍ୟ କହିଛନ୍ତି ଯେ, ୟୁକ୍ରେନ୍‌ ଓ ତା’ର ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ଭାରତ ଔଷଧ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ସମେତ ମାନବୀୟ ସହାୟତା ଯୋଗାଣ ଅବ୍ୟାହତ ରଖିବ।

ସମ୍ବନ୍ଧିତ ଖବର