ଶ୍ରୀନଗର: ରବିବାର ସନ୍ଧ୍ୟାରେ ଜମ୍ମୁ ଓ କଶ୍ମୀରର କୁପ୍ଓ୍ଵାଡ଼ା ଜିଲ୍ଲାରେ ଜଣେ ଢେଲା ଫିଙ୍ଗାଳି ଜଣେ ସାଧାରଣ ନାଗରିକଙ୍କୁ ଆହତ କରିଛନ୍ତି। ସାଧାରଣ ନାଗରିକଜଣକ ଘରକୁ ଫେରୁଥିବା ବେଳେ ଗୋଟାଏ ବଗିଚାରେ ଲୁଚିରହି କେହି ଜଣେ ଢେଲା ଫିଙ୍ଗିଥିଲେ।
ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଶ୍ରୀନଗରସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହା ହେଉଛି ଗୋଟିଏ ସପ୍ତାହ ମଧ୍ୟରେ ଦ୍ୱିତୀୟ ଢେଲାମାଡ଼ ଘଟଣା।
ଅଗଷ୍ଟ ୨୫ ତାରିଖ ଦିନ ଭିଜଭେରା ଅଞ୍ଚଳରେ ଜଣେ ଟ୍ରକ୍ ଚାଳକଙ୍କ ଉପରକୁ ଢେଲା ଫିଙ୍ଗା ଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ କହିବା ଅନୁସାରେ ଦୁର୍ବୃତ୍ତମାନେ ସେ ଟ୍ରକ୍କୁ ସୁରକ୍ଷାବଳର ଟ୍ରକ୍ ବୋଲି ଧରି ନେଇ ଆକ୍ରମଣ କରିଥିଲେ। ଢେଲା ଟ୍ରକ୍ର ସାମ୍ନା କାଚ ଭାଙ୍ଗି ଡ୍ରାଇଭର୍ ମୁଣ୍ଡରେ ବାଜିଥିଲା।
ଅବଶ୍ୟ ପୁଲିସ ତଦନ୍ତ କରି ତୁରନ୍ତ ସେ ଢେଲା ଫିଙ୍ଗାଳିକୁ ଗିରଫ କରିବା ସହ ତାଙ୍କ ବିରୋଧରେ ନରହତ୍ୟା ମାମଲା ରୁଜୁ କରିଥିଲା।
ଅନ୍ୟ ଏକ ଘଟଣାରେ ଶ୍ରୀନଗର ସହରର କେନ୍ଦ୍ରାଞ୍ଚଳରେ ଢେଲାମାଡ଼ରେ ଗୋଟାଏ ଝିଅ ସାଙ୍ଘାତିକ ଆହତ ହୋଇଥିଲା। ଏ ଘଟଣାରେ ପୁଲିସ ତଦନ୍ତ ଚାଲିଛି।