ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ସିବିଆଇ ତଦନ୍ତ : ଅନୁମତି ଦେଲେ ପ୍ରଧାନ ବିଚାରପତି, ବିଚାର ବିଭାଗୀୟ ଇତିହାସରେ ପ୍ରଥମ

ନୂଆଦିଲ୍ଲୀ : ଏକ ଅପ୍ରତ୍ୟାଶିତ ନିଷ୍ପତ୍ତିକ୍ରମେ ଆଜି ପ୍ରଧାନ ବିଚାରପତି ରଂଜନ ଗୋଗଇ ଆହ୍ଲାବାଦ୍‌ ହାଇକୋର୍ଟରେ କାର୍ଯ୍ୟରତ ଜଣେ ବିଚାରପତି ଏସଏନ୍‌ ଶୁକ୍ଳାଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ଅନୁମତି ଦେଇଛନ୍ତି। ଏମ୍‌ବିବିଏସ୍‌ ଆଡମିସନ୍‌ ପାଇଁ ଏକ ଘରୋଇ ମେଡିକାଲ୍‌ କଲେଜ୍‌କୁ ‌ବେଆଇନ ଭାବେ ସାହାଯ୍ୟ କରିଥିବା‌ ମାମଲାରେ ଜଷ୍ଟିସ୍‌ ଶୁକ୍ଳାଙ୍କ ବିରୋଧରେ ସିବିଆଇ ଦୁର୍ନୀତି ନିରୋଧ ଆଇନ ଅଧୀନରେ ମାମଲା ରୁଜୁ କରିବ।

ହାଇକୋର୍ଟର କୌଣସି କାର୍ଯ୍ୟରତ ବିଚାରପତିଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେବାରେ ଏହା ହେଉଛି ପ୍ରଥମ ଘଟଣା। ସିବିଆଇ ଖୁବ୍‌ଶୀଘ୍ର ଜଷ୍ଟିସ୍‌ ଶୁକ୍ଳାଙ୍କ ବିରୋଧରେ ମାମଲା ରୁଜୁ କରିବ ଏବଂ ଦୁର୍ନୀତି ନିବାରଣ ଆଇନ ଅଧୀନରେ ତାଙ୍କୁ ଗିରଫ ମଧ୍ୟ କରିବ। ସୁପ୍ରିମକୋର୍ଟଙ୍କ ରୋକ୍ ସତ୍ତ୍ବେ ଜଷ୍ଟିସ୍‌ ଶୁକ୍କା ଏକ ଘରୋଇ ମେଡିକାଲ କଲେଜ୍‌କୁ ସାହାଯ୍ୟ କରିବାକୁ ଯାଇ ୨୦୧୭-୧୮ ବର୍ଷ ପାଇଁ ଛାତ୍ରଛାତ୍ରୀମାନଙ୍କ ଆଡମିସନ୍‌ ସମୟ ଅବଧିକୁ ବେଆଇନ ଭାବେ ଘୁଞ୍ଚାଇ ଦେଇଥିବା ଅଭିଯୋଗ ହୋଇଥିଲା। ଏସଂପର୍କରେ ଅଭିଯୋଗ ମିଳିବା ପରେ ଏହାର ଯାଞ୍ଚ ପାଇଁ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ତିନି ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରିଥିଲେ। ଉକ୍ତ କମିଟି ଜଷ୍ଟିସ ଶୁକ୍ଳାଙ୍କ ବିରୋଧରେ ରିପୋର୍ଟ ଦେଇଥିଲା। ଏହାପରେ ଜଷ୍ଟିସ ଶୁକ୍ଳାଙ୍କୁ ଇସ୍ତଫା ଦେବାପାଇଁ ପ୍ରଧାନ ବିଚାରପତି କହିଥିଲେ। କିନ୍ତୁ ସେ ନମାନିବାରୁ ୨୦୧୮ ଜାନୁଆରିରେ ତାଙ୍କଠାରୁ ନ୍ୟାୟିକ କାର୍ଯ୍ୟ ପ୍ରତ୍ୟାହାର କରି ନିଆଯାଇଥିଲା। ତାଙ୍କୁ ହଟାଇବା ପାଇଁ ପ୍ରଧାନ ବିଚାରପତି ଗୋଗଇ ମଧ୍ୟ ଗତମାସ ପ୍ରଧା‌ନମନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଥିଲେ।

ସୂଚନା‌େଯାଗ୍ୟ, ୧୯୯୧ ଜୁଲାଇ ୨୫ ତାରିଖରେ କେ ବୀରସ୍ବାମୀଙ୍କ ମାମଲାରେ ସୁପ୍ରିମକୋର୍ଟ କୌଣସି ତଦନ୍ତକାରୀ ସଂସ୍ଥାକୁ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ବିଚାରପତିଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିବା ପାଇଁ ବାରଣ କରିଥିଲେ। ବିଚାରପତିଙ୍କ ବି‌ରୋଧରେ ତଦନ୍ତ ଆରମ୍ଭ କରିବା ପାଇଁ ପ୍ରଥମେ ପ୍ରଧାନ ବିଚାରପତିଙ୍କୁ ପ୍ରମାଣ ଦେଖାଇ ଅନୁମତି ଆଣିବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଥିଲେ। ସେହିପରି ୧୯୯୧ ପୂର୍ବରୁ ମଧ୍ୟ କୌଣସି ତଦନ୍ତକାରୀ ସଂସ୍ଥା ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ତଦନ୍ତ କରିନଥିଲେ। ପ୍ରଥମ ଥର ପାଇଁ ପ୍ରଧାନ ବିଚାରପତି ହାଇକୋର୍ଟ ବିଚାରପତିଙ୍କ ବି‌ରୋଧରେ ତଦନ୍ତ ଆରମ୍ଭ କରିବାପାଇଁ ଅନୁମତି ଦେଇଛନ୍ତି।

ସମ୍ବନ୍ଧିତ ଖବର