କ୍ଷମତାରେ ଥିବା ବିଚାରପତି ତଦନ୍ତ ପ୍ରକ୍ରିୟାର ଉର୍ଦ୍ଧ୍ୱରେ ନୁହନ୍ତି; ଦୁର୍ନୀତିଗ୍ରସ୍ତ ବିଚାରପତିଙ୍କୁ ତଦନ୍ତକାରୀ ସଂସ୍ଥା ଗିରଫ କରିପାରିବ: ଯୁଗାନ୍ତକାରୀ ରାୟ ଶୁଣାଇଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: କ୍ଷମତାରେ ଥିବା ବିଚାରପତିମାନେ ତଦନ୍ତ ପ୍ରକ୍ରିୟାର ଉର୍ଦ୍ଧ୍ୱରେ ବୋଲି ବିଚାର ବିଭାଗର ଯେଉଁ ‘ହ୍ଵିପ୍‌’ (ନିର୍ଦ୍ଦେଶନାମା) ଏଯାବତ୍‌ ବଳବତ୍ତର ଥିଲା ତାକୁ ଭାଙ୍ଗି ଦେଇଛନ୍ତି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ। କ୍ଷମତାରେ ଥିବା ଦୁର୍ନୀତିଗ୍ରସ୍ତ ବିଚାରପତିମାନେ ତଦନ୍ତ ପ୍ରକ୍ରିୟାର ଉର୍ଦ୍ଧ୍ୱରେ ନୁହନ୍ତି। କ୍ଷମତାରେ ଥାଇ ଦୁର୍ନୀତିରେ ଲିପ୍ତ ଥିବା ବିଚାରପତିମାନଙ୍କୁ ତଦନ୍ତକାରୀ ସଂସ୍ଥାମାନେ ତଦନ୍ତର ପରିସରଭୁକ୍ତ କରି ସେମାନଙ୍କ ବିରୋଧରେ ତଦନ୍ତ ଆରେମ୍ଭ କରିପାରିବେ ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କୁ ଗିରଫ ମଧ୍ୟ କରିପାରିବେ ବୋଲି ମଙ୍ଗଳବାର ଦିନ ଏକ ଯୁଗାନ୍ତକାରୀ ରାୟ ଶୁଣାଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗେଇ।

News18

ସୁପ୍ରିମ୍‌ କୋର୍ଟଙ୍କ ଏହି ରାୟ ପରେ ଏବେ ଭାରତୀୟ ନ୍ୟାୟ ବିଭାଗ ଇତିହାସରେ ପ୍ରଥମ ଥର ପାଇଁ କ୍ଷମତାରେ ଥିବା ଏହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌ ଏନ୍‌ ଶୁକ୍ଲାଙ୍କୁ ସିବିଆଇ ଯେ କୌଣସି ମୁହୂର୍ତ୍ତରେ ଗିରଫ କରିବାର ସମ୍ଭାବନା ସୃଷ୍ଟି ହୋଇଛି।

ଉଲ୍ଲେଖଯୋଗ୍ୟ, ସୁପ୍ରିମ୍‌ କୋର୍ଟଙ୍କ ରାୟକୁ ଅବମାନନା କରି ଏହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌ ଏନ୍‌ ଶୁକ୍ଲା ଦୁର୍ନୀତିପୂର୍ଣ୍ଣ ଉପାୟରେ ଲକ୍ଷ୍ନୌର ଏକ ମେଡିକାଲ କଲେଜକୁ ନାମଲେଖା କ୍ଷେତ୍ରରେ ଅନୁଚିତ ଅନୁଗ୍ରହ ପ୍ରଦର୍ଶନ କରିଥିଲେ। ପରେ, ଏହି ଘଟଣାର ତଦନ୍ତ କରି ସିବିଆଇ ଜଷ୍ଟିସ୍‌ ଶୁକ୍ଲାଙ୍କୁ ଦୋଷୀ ପାଇବା ପରେ ତାଙ୍କ ବିରୋଧରେ ବିଧିବଦ୍ଧ ତଦନ୍ତ ଆରମ୍ଭ କରିବା ପାଇଁ ସୁପ୍ରିମ୍‌ କୋର୍ଟଙ୍କ ଅନୁମତି ମାଗିଥିଲା।

ସମ୍ବନ୍ଧିତ ଖବର