ଦେଶ ଅସୁବିଧା ସମୟ ଦେଇ ଗତି କରୁଛି : ପ୍ରଧାନ ବିଚାରପତି ବୋବଡ଼େ

‘ସିଏଏ’କୁ ସାମ୍ବିଧାନିକ ଘୋଷଣା କରିବା ଆଗତ ହେଲା ପିଟିସନ୍

ନୂଆଦିଲ୍ଲୀ: ସଂଶୋଧିତ ନାଗରିକତା ଆଇନକୁ ‘ସାମ୍ବିଧାନିକ’ ବୋଲି ଘୋଷଣା କରିବା ନିମନ୍ତେ ଆଗତ ପିଟିସନ୍‌କୁ ବିଚାର ଲାଗି ଗ୍ରହଣ କରିବାକୁ ଜନୈକ ଆଇନଜୀବୀ କରିଥିବ‌ା ଆବେଦନକୁ ନାପସନ୍ଦ କରି ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡ଼େ କହିଛନ୍ତି ଯେ ବର୍ତ୍ତମାନ ଦେଶ ଅସୁବିଧା ସମୟ ଦେଇ ଗତି କରୁଛି, ତେଣୁ ସିଏଏକୁ ସାମ୍ବିଧାନିକ ସ୍ବୀକୃତି ଦେବା ନେଇ ମାମଲାର ବିଚାର ଲାଗି ଏହା ପ୍ରକୃଷ୍ଟ ସମୟ ନୁହେଁ। 

ଏହି ପିଟିସନ୍‌ ଆଗତ ହେବା ପରେ ସେ କହିଛନ୍ତି, ଏମିତ ତ ଦେଶରେ ‘ଅସୁବିଧା ସମୟ’ ପଡ଼ିଛି। ତେଣୁ ସମସ୍ତଙ୍କ ଉଦ୍ଦେଶ୍ୟ ଶାନ୍ତି ଫେରାଇ ଆଣିବା ନିମନ୍ତେ ଉଦ୍ୟମ ହେବା ଉଚିତ। ଏ ଭଳି ପିଟିସନ୍‌ ସବୁ ସେଥିପାଇଁ (ଶାନ୍ତି) ଉପାଦେୟ ନୁହେଁ।

ଅସତ୍ୟ ବୋଲି ପ୍ରମାଣିତ ନ ହେବା ଯାଏଁ ସତ୍ୟ ବୋଲି ଧରିନେବା ହେଉଛି ଆଇନର ସାମ୍ବିଧାନିକତା ବୋଲି ସେ କହିଛନ୍ତି।

‘ସିଏଏ’କୁ ସାମ୍ବିଧାନିକ ଘୋଷଣା କରିବା ଏବଂ ଏହାକୁ ପ୍ରଣୟନ କରିବା ନିମନ୍ତେ ସବୁ ରାଜ୍ୟକୁ ନିର୍ଦେଶ ଦେବା ନିମନ୍ତେ ବିନୀତ ଧନ୍ଦା ନାମକ ଜଣେ ଆଡ୍‌ଭୋକେଟ୍‌ ଏହି ପିଟିସନ୍‌କୁ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ଅନୁରୋଧ କରିବା ପରେ ପ୍ରଧାନ ବିଚାରପତି ଏ କଥା କହିଛନ୍ତି।

Image source– newsclick

ହିଂସା ଥମିବା ମାତ୍ରେ ନାଗରିକତା ସଂଶୋଧନ ଆଇନର ବୈଧ୍ୟତାକୁ ଚାଲେଞ୍ଜ୍‌ କରି ଆଗତ ପିଟିସନ୍‌ଗୁଡ଼ିକର ଶୁଣାଣି କରାଯିବ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।

୨୦୧୯ ଡିସେମ୍ବରରେ ପାର୍ଲାମେଣ୍ଟ୍‌ରେ ନାଗରିକତା ସଂଶୋଧନ ଆଇନ ଅନୁମୋଦିତ ହୋଇଥିଲା। ଡିସେମ୍ବର ୩୧, ୨୦୧୪ ପୂର୍ବରୁ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଭାରତରେ ବେଆଇନ୍‌ ଭାବେ ପ୍ରବେଶ କରିଥିବା ଛଅ ଅଣ-ମୁସଲମାନ ସମ୍ପ୍ରଦାୟର ସଂଖ୍ୟାଲଘୁଙ୍କୁ ନାଗରିକତ୍ୱ ପ୍ରଦାନ କରିବାକୁ ଏହି ଆଇନ୍‌ରେ ବ୍ୟବସ୍ଥା ରହିଛି।

ଏହି ବ୍ୟବସ୍ଥାକୁ ବିରୋଧ କରି କେତେ ସପ୍ତାହ ହେବ ଭାରତର ବିଭିନ୍ନ ଅଞ୍ଚଳରେ ତୀବ୍ର ପ୍ରତିବାଦ ଚାଲିଛି।

ସମ୍ବନ୍ଧିତ ଖବର