ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ମାମଲା : ସମ୍ବିଧାନ ବେଞ୍ଚ୍‌ରେ ଶୁଣାଣି ଆଜି

ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ମାମଲାର ବିଚାର କରିବେ ସୁପ୍ରିମ କୋର୍ଟଙ୍କ ଏକ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ। ଜଷ୍ଟିସ ଏ.କେ. ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ବେଞ୍ଚ ଆସନ୍ତାକାଲି ମାମଲାର ଶୁଣାଣି କରିବେ। ବିରୋଧୀ ଦଳ ପକ୍ଷରୁ ଆଗତ ମହାଭିଯୋଗ ନୋଟିସକୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ଖାରଜ କରିଦେବାରୁ ଏହାକୁ ଚ୍ୟାଲେଞ୍ଜ କରି କଂଗ୍ରେସ ପକ୍ଷରୁ ଏହି ପିଟିସନ ଦାଖଲ କରାଯାଇଛି।

ମାମଲାର ବିଚାର ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ର ଆଜି ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଗଠନ କରିଛନ୍ତି। ଜଷ୍ଟିସ ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ବେଞ୍ଚରେ ଥିବା ଅନ୍ୟ ବିଚାରପତିମାନେ ହେଲେ ଜଷ୍ଟିସ ଏସ୍‌.ଏ. ବବ୍‌ଡେ, ଜଷ୍ଟିସ ଏନ୍‌୍‌.ଭି. ରମଣ, ଜଷ୍ଟିସ ଅରୁଣ ମିଶ୍ର ଏବଂ ଜଷ୍ଟିସ ଏ.କେ. ଗୋଏଲ। ବରିଷ୍ଠତା ଭିତ୍ତିକ ତାଲିକାରେ ଜଷ୍ଟିସ ସିକ୍ରିଙ୍କ ସ୍ଥାନ ଷଷ୍ଠରେ ଥିବା ବେଳେ ବେଞ୍ଚରେ ଅନ୍ୟ ବିଚାରପତିମାନେ ତାଙ୍କ ପଛକୁ ଅଛନ୍ତି। ତେବେ ପ୍ରଧାନ ବିଚାରପତିଙ୍କ ପଛକୁ ଥିବା ଅନ୍ୟ ୪ ଜଣ ବିଚାରପତିମାନଙ୍କୁ ଏଥିରେ ସାମିଲ କରାଯାଇ ନାହିଁ। ଏମାନେ ହେଲେ ଜଷ୍ଟିସ ଚେଲମେଶ୍ୱର, ଜଷ୍ଟିସ ରଂଜନ ଗୋଗଇ, ଜଷ୍ଟିସ ଏମ୍‌୍‌ବି ଲୋକୁର ଏବଂ ଜଷ୍ଟିସ କୁରିଏନ୍‌ ଯୋଶେଫ। ଏହି ବିଚାରପତିମାନେ ଜାନୁଆରି ୧୨ରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନ ବିଚାରପତିଙ୍କ ମାମଲା ଆବଣ୍ଟନ କ୍ଷମତାକୁ ଚ୍ୟାଲେଂଜ କରିଥିଲେ। ଏହାକୁ ନେଇ ସେତେବେଳେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।

କଂଗ୍ରେସର ରାଜ୍ୟସଭା ସାଂସଦ ପ୍ରତାପ ସିଂହ ବାଜଓ୍ଵା ଏବଂ ଅମି ୟାଗ୍‌୍‌ନିକ ଆଜି ଦ୍ୱିତୀୟ ବରିଷ୍ଠ ବିଚାରପତି ଜେ. ଚେଲମେଶ୍ୱରଙ୍କ ଅଦାଲତରେ ଏହି ପିଟିସନ ଦାଖଲ
କରିଥିଲେ। କିନ୍ତୁ ସେ ଏହି ପିଟିସନ ପ୍ରଧାନ ବିଚାରପତିଙ୍କ କୋର୍ଟରେ ଦାଖଲ କରିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ତାଙ୍କର କାର୍ଯ୍ୟକାଳ ଆଉ କିଛି ମାସରେ ଶେଷ ହୋଇଯିବ। ଏହାଛଡ଼ା ପ୍ରଧାନ ବିଚାରପତି ହେଉଛନ୍ତି ମାଷ୍ଟର ଅଫ୍‌ ଦି ରୋଷ୍ଟର। ତେଣୁ ପିଟିସନ ତାଙ୍କ କୋର୍ଟରେ ଦାଖଲ କରାଯାଉ। ଏହି କୋର୍ଟରେ ପିଟିସନର ବିଚାର ପାଇଁ ବରିଷ୍ଠ ଓକିଲ ତଥା କଂଗ୍ରେସ ନେତା କପିଲ ଶିବଲ ଯୁକ୍ତି କରିବାରୁ ଅନ୍ୟତମ ବିଚାରପତି ଜଷ୍ଟିସ କୌଲ କାଲି ଏହା ଉପରେ ଚିନ୍ତା କରିବେ ବୋଲି କହିଥିଲେ।

ତେବେ ସନ୍ଧ୍ୟା ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ର ମାମଲାର ବିଚାର ପାଇଁ ୫ ଜଣିଆ ସମ୍ବିଧାନ ବେଞ୍ଚ ଗଠନ କରିଛନ୍ତି।

ସୂଚନାଯୋଗ୍ୟ, କଂଗ୍ରେସ ଓ ଅନ୍ୟ କେତେକ ବିରୋଧୀ ଦଳ ପକ୍ଷରୁ ଦିଆଯାଇଥିବା ମହାଭିଯୋଗ ପ୍ରସ୍ତାବ ନୋଟିସ୍‌କୁ ଉପରାଷ୍ଟ୍ରପତି ଖାରଜ କରିଦେବା ପରେ ଏହାକୁ ନେଇ ରାଜନୈତିକ ବିବାଦ ଲାଗି ରହିଛି । କଂଗ୍ରେସ ସାଂସଦ ସୁପ୍ରିମ୍‌ କୋର୍ଟରେ କରିଥିବା ଆବେଦନରେ କହିଛନ୍ତି ଯେ ବିରୋଧୀ ଦଳ ପକ୍ଷରୁ ଦିଆଯାଇଥିବା ନୋଟିସରେ ଆବଶ୍ୟକ ସଂଖ୍ୟକ ସାଂସଦଙ୍କ ଦସ୍ତଖତ ରହିଛି ଏବଂ ଉପରାଷ୍ଟ୍ରପତିଙ୍କ ପାଖରେ ଏହାକୁ ଗ୍ରହଣ କରିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ। ତେବେ ସେ ବିନା ଯାଞ୍ଚେରେ ଏକତରଫା ଭାବେ ଏହାକୁ ଖାରଜ କରିଦେଇଛନ୍ତି।

ସମ୍ବନ୍ଧିତ ଖବର