ପ୍ରଧାନ ବିଚାରପତିଙ୍କ ଅଫିସ ସୂଚନା ଅଧିକାର ଆଇନର ପରିସରଭୁକ୍ତ : ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଅଫିସ ଏକ ସର୍ବସାଧାରଣ ପ୍ରତିଷ୍ଠାନ, ଏଣୁ ସୂଚନା ଅଧିକାର ଆଇନର ଅନ୍ତର୍ଭୁକ୍ତ ବୋଲି ନିଜେ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି ।  କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସ୍ୱଚ୍ଛତା, ନ୍ୟାୟିକ ସ୍ୱାଧିନତାର ପରିପନ୍ଥୀ ନୁହେଁ ।

ଆଜି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଥିବା ଏକ ୫ ଜଣିଆ ସମ୍ବିଧାନିକ ବେଞ୍ଚ ଏହି ରାୟ ଶୁଣାଇଛନ୍ତି । ଏହି ବେଞ୍ଚ୍‌ରେ ଥବା ଅନ୍ୟ ସଦସ୍ୟମାନେ ହେଲେ ଜଷ୍ଟିସ ଏନଭି ରମନ୍ନା, ଡିଓ୍ଵାଇ ଚନ୍ଦ୍ରଚୂଡ, ଦୀପକ ଗୁପ୍ତା ଓ ସଂଜୀବ ଖନ୍ନା ।

ଜାନୁୟାରୀ ୧୦, ୨୦୧୦ରେ ଦିଲ୍ଲୀ ହାଇକୋର୍ଟ ରାୟ ଶୁଣାଇଥିଲେ ଯେ ପ୍ରଧାନ ବିଚାରପତିଙ୍କ ଅଫିସ ଆରଟିଆଇ ଆଇନ ଅଧିନରେ ଆସୁଛି । କୋର୍ଟ ଆହୁରି ମଧ୍ୟ କହିଥିଲେ ଯେ ନ୍ୟାୟିକ ସ୍ୱାଧୀନତା ବିଚାରପତିଙ୍କ ବିଶେଷାଧିକାର ନୁହେଁ, ବରଂ ତାଙ୍କର ଉତ୍ତରଦାୟିତ୍ୱ । ଗତ ୨୦୧୦ରେ ସୁପ୍ରିମକୋର୍ଟର ସେକ୍ରେଟାରୀ ଜେନେରାଲ ଓ ଏହାର ଜନ ସୂଚନା ଅଧିକାରୀ ଦିଲ୍ଲୀ ହାଇକୋର୍ଟ ଓ କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଏକ ମାମଲା ଆଗତ କରିଥିଲେ । ଗତ ଏପ୍ରିଲ ୪ ତାରିଖରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ନିଜର ରାୟକୁ ସଂରକ୍ଷିତ ରଖିଥିଲେ ।

ସମ୍ବନ୍ଧିତ ଖବର