୫ ଜଣିଆ ସାମ୍ବିଧାନିକ ବେଞ୍ଚରେ ୪ ବରିଷ୍ଠ ବିଚାରପତିଙ୍କୁ ସାମିଲ କଲେ ନାହିଁ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ, ସୁପ୍ରିମକୋର୍ଟର ବିଭିନ୍ନ ଖଣ୍ଡପୀଠରେ ମାମଲା ଆବଣ୍ଟନରେ ଆପତ୍ତି ଉଠାଇ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ଶୁକ୍ରବାର ୪ ଜଣ ବରିଷ୍ଠ ବିଚାରପତି ଖୋଲାଖୋଲି ବିଦ୍ରୋହ ଘୋଷଣା କରିିବାର ତିନି ଦିନ ପରେ ବାର୍‌ କାଉନ୍‌ସିଲ ଅଫ ଇଣ୍ଡିଆ(ବିସିଆଇ) ହସ୍ତକ୍ଷେପ କରି ମାମଲା ଆପୋଷ ସମାଧାନ କରିଛନ୍ତି। ତେବେ ଆଉ ଏକ ଘଟଣାକ୍ରମରେ ଗତକାଲି ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଗୁରୁତ୍ୱପୂର୍ଣ୍ଣ ମାମଲା ଗୁଡ଼ିକର ଶୁଣାଣି ପାଇଁ ଏକ ୫ ଜଣିଆ ସାମ୍ବିଧାନିକ ବେଞ୍ଚ ଗଠନ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ହେଉଛି ମୁଖ୍ୟବିଚାରପତି ଜଷ୍ଟିସ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ସାମ୍ବିଧାନିକ ବେଞ୍ଚରେ ଜଷ୍ଟିସ ଏ କେ ସିକ୍ରି, ଜଷ୍ଟିସ ଏଏମ ଖାନଓ୍ଵିଲକର, ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୁଡ଼ ଓ ଜଷ୍ଟିସ ଅଶୋକ ଭୂଷଣଙ୍କୁ ସାମିଲ କରାଯାଇଛି। ଜଷ୍ଟିସ ମିଶ୍ରଙ୍କ ବିରୋଧରେ ପ୍ରେସ ମିଟ୍‌ କରିଥିବା ୪ ଜଣ ବରିଷ୍ଠ ବିଚାରପତି ଜଷ୍ଟିସ ଜେ ଚେଲାମେଶ୍ୱର, ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଏମ ବି ଲୋକୁର ଓ ଜଷ୍ଟିସ କୁରିଆନ ଯୋଶେଫଙ୍କୁ ସାମିଲ କରାଯାଇ ନାହିଁ। ଏହି ସାମ୍ବିଧାନିକ ବେଞ୍ଚ ଜାନୁୁଆରି ୧୭ ତାରିଖରୁ ଗୁରୁତ୍ୱପୂର୍ଣ୍ଣ ମାମଲା ଗୁଡ଼ିକର ଶୁଣାଣି କରିବ।


ସୂଚନା ଥାଉ କି, ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ରବିବାର ବିସିଆଇର ଏକ ସାତଜଣିଆ ପ୍ରତିନିଧିମଣ୍ଡଳ ଏବଂ ସୁପ୍ରିମ୍‌କୋର୍ଟ ଓକିଲ ସଂଘ ସଭାପତି ବିକାଶ ସିଂହଙ୍କୁ ଭେଟିଥିଲେ। ଦୀର୍ଘ ୫୦ ମିନିଟର ଆଲୋଚନା ପରେ ଏହି କ୍ଷଣିକ ସମସ୍ୟାର ତ୍ୱରିତ ସମାଧାନ ହୋଇଯିବ ଏବଂ ବିଚାରପତିଙ୍କ ମଧ୍ୟରେ ଆତ୍ମୀୟତା ବଜାୟ ରହିବ ବୋଲି ଜଷ୍ଟିସ ମିଶ୍ର ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ପରେ ପରେ ପ୍ରଧାନେ ବିଚାରପତି ଜଷ୍ଟିସ ମିଶ୍ର ଏକ ୫ ଜଣିଆ ସାମ୍ବିଧାନିକ ବେଞ୍ଚ ଗଠନ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ଏହି ୫ ଜଣିଆ ସାମ୍ବିଧାନିକ ବେଞ୍ଚ ଆଧାର ଆକ୍ଟର ସାମ୍ବିଧାକ ବୈଧ୍ୟତା,ସମଲିଙ୍ଗୀ ଯୌନସମ୍ପର୍କ ଆଦି ପ୍ରସଙ୍ଗ ଉପରେ ଶୁଣାଣି କରିବ। ସେହିପରି କେରଳର ଶବରିମାଲା ମନ୍ଦିରଙ୍କୁ ମହିଳାଙ୍କ ପ୍ରବେଶ, ଅନ୍ୟ ସମ୍ପ୍ରଦାୟରେ ବିବାହ କରିଥିବା ପାର୍ସି ମହିଳାଙ୍କ ସମ୍ପତ୍ତି ଉପରେ ଅଧିକାର ସମ୍ପର୍କରେ ମଧ୍ୟ ଏହି ବେଞ୍ଚ ଶୁଣାଣି କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର