ନୂଆଦିଲ୍ଲୀ: ଟ୍ରିବ୍ୟୁନାଲ୍ ସଂସ୍କାର ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନର ଶୁଣାଣିକୁ ଆଉ ଥରେ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାର ଦାବି କରିବା ପରେ ଏଥିରେ କ୍ଷୁବ୍ଧ ହୋଇଛନ୍ତି ପ୍ରଧାନ ବିଚାରପତି ଭୂଷଣ ଆର୍ ଗୱାଇ। ଗୁରୁବାର କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରି ସେ ପ୍ରଶ୍ନ କରିଛନ୍ତି, ନଭେମ୍ବର ୨୩ରେ ମୋର ଅବସର ପରେ ଆପଣ ଏହି ମାମଲାର ଶୁଣାଣି ଚାହୁଛନ୍ତି କି?   ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟି ଆଟର୍ଣ୍ଣି ଜେନେରାଲ ଆର୍ ଭେଙ୍କଟରମଣିଙ୍କ ଏକ ଅନ୍ତର୍ଜାତୀୟ ମଧ୍ୟସ୍ଥତା କାର୍ଯ୍ୟକ୍ରମ ଥିବା ଦର୍ଶାଇ ଶୁକ୍ରବାର ଶୁଣାଣି ସ୍ଥଗିତ ରଖିବାକୁ ଅନୁରୋଧ କରିବା ପରେ ପ୍ରଧାନ ବିଚାରପତି ଏଭଳି ପ୍ରତିକ୍ରିୟା ରଖିଥିଲେ। ସିଜେଆଇ କହିଥିଲେ, ଯଦି ଆପଣ ଚାହୁ ନାହାନ୍ତି ଯେ ଆମେ ଶୁଣାଣି କରି ରାୟ ଦେଉଁ ତେବେ ଆମକୁ କୁହନ୍ତୁ। ଲାଗୁଛି ଆପଣ ନଭେମ୍ବର ୨୪ ପରେ ହିଁ ଏହି ମାମଲାର ଶୁଣାଣି ଚାହୁଛନ୍ତି ବୋଲି ପ୍ରଧାନ ବିଚାରପତି ଭାଟିଙ୍କୁ କହିଛନ୍ତି। ଆମେ ଆଟର୍ଣ୍ଣି ଜେନେରାଲଙ୍କୁ ତିନିଥର ଡାକିଛୁ କିନ୍ତୁ ଆମେ ସବୁଥର ଶୁଣୁଛୁ ଯେ ସେ ଅନ୍ତର୍ଜାତୀୟ ମଧ୍ୟସ୍ଥତାରେ ବ୍ୟସ୍ତ ଅଛନ୍ତି। ଆପଣଙ୍କ ପାଖରେ ଅନେକ ଦକ୍ଷ ଏଏସ୍‌ଜି ଅଛନ୍ତି। ଅନ୍ୟ କେହି ଏହି ପ୍ରସଙ୍ଗରେ ଯୁକ୍ତି କରନ୍ତୁ ବୋଲି ଜଷ୍ଟିସ୍ ଗୱାଇ କହିଛନ୍ତି। ଭାଟି କହିଛନ୍ତି ଯେ ଆଟର୍ଣ୍ଣି ଜେନେରାଲ ବ୍ୟକ୍ତିଗତ ଭାବେ ଏହି ମାମଲା ପରିଚାଳନା କରୁଛନ୍ତି, ତେଣୁ ସେ ଆସିବା ପରେ ମାମଲାର ଶୁଣାଣି ହେବା ଉଚିତ। 
ପ୍ରଧାନ ବିଚାରପତି ନଭେମ୍ବର ୨ ତାରିଖରେ କେନ୍ଦ୍ର ସରକାରଙ୍କ ଦ୍ୱାରା ମଧ୍ୟରାତ୍ରିରେ ଦାଖଲ ହୋଇଥିବା ଆବେଦନକୁ ମଧ୍ୟ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ଏହି ମାମଲାକୁ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇବାକୁ ଅନୁରୋଧ କରାଯାଇଛି। ଏଜିଙ୍କୁ ହାଜର ହେବାକୁ ସକ୍ଷମ କରିବା ପାଇଁ ଖଣ୍ଡପୀଠ ମାମଲା ସ୍ଥଗିତ ରଖିଥିଲେ। ଆମେ ଆସନ୍ତାକାଲି ଏହି ମାମଲାର ଶୁଣାଣି କରିବାକୁ ଚାହୁଥିଲୁ ଏବଂ ସପ୍ତାହ ଶେଷରେ ରାୟ ଲେଖିବାକୁ ଚାହୁଥିଲୁ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ସୋମବାର (ନଭେମ୍ବର ୧୦) ପାଇଁ ମାମଲା ସ୍ଥିର କରିବା ପୂର୍ବରୁ ଜଷ୍ଟିସ୍ ଗୱାଇ କହିଛନ୍ତି, ସରକାରଙ୍କ ପ୍ରତି ଆମର ସମ୍ମାନ ଅଛି, କିନ୍ତୁ ଏଭଳି କିଛି ଉପାୟରେ ଶୁଣାଣିକୁ ବନ୍ଦ କରିବାକୁ ପ୍ରୟାସ ହେଉଛି। ପ୍ରଧାନ ବିଚାରପତି କହିଛନ୍ତି, ଆମେ ଆଶା କରୁନାହୁଁ ଯେ ଭାରତ ସରକାର କୋର୍ଟଙ୍କ ସହ ରଣନୈତିକ ଖେଳ ଖେଳିବେ।

Advertisment