ପିଆଇଏଲ ଏବେ ‘ବ୍ୟକ୍ତିଗତ ସ୍ୱାର୍ଥ ମାମଲା’ ରେ ପରିଣତ ହୋଇଛି: ପ୍ରଧାନ ବିଚାରପତି ରମନ୍ନା

ନୂଆଦିଲ୍ଲୀ: ଦେଶର ଶୀର୍ଷ ଅଦାଲତ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମାନ୍ନା ଶନିବାର ଦିନ ଦେଶର ଅଦାଲତମାନଙ୍କରେ ବଢ଼ି ଚାଲିଥିବା ଅମୂଳକ ମକଦ୍ଦମା ଉପରେ ଚିନ୍ତା ପ୍ରକଟ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ‘ସାଧାରଣ ଜନସ୍ୱାର୍ଥ ମାମଲା’ ପିଆଇଏଲ ଧାରଣା ବର୍ତ୍ତମାନ ‘ବ୍ୟକ୍ତିଗତ ସ୍ୱାର୍ଥ ମାମଲା’ରେ ପରିଣତ ହୋଇଛି ଏବଂ ବେଳେବେଳେ ପ୍ରକଳ୍ପ ବନ୍ଦ କରିବା କିମ୍ବା ସରକାରୀ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇବା ପାଇଁ ଏହାର ବ୍ୟାପକ ଅପବ୍ୟବହାର କରାଯାଉଛି।

ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ମିଳିତ ସମ୍ମିଳନୀରେ ଯୋଗଦେଇ ପ୍ରଧାନ ବିଚାରପତି ଜଷ୍ଟସ ରମନ୍ନା କହିଛନ୍ତି ଯେ ଆଇନ ଏବଂ ସମ୍ବିଧାନର ଅନୁପାଳନ ହେଉଛି ସୁଶାସନର ଚାବିକାଠି।

Image Courtesy: The Hindu

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବା ଏହି ସମ୍ମିଳନୀରେ ପ୍ରଧାନ ବିଚାରପତି ଜଷ୍ଟସ ରମନ୍ନା କହିଥିଲେ ଯେ ଅମୂଳକ ମକଦ୍ଦମାର ସଂଖ୍ୟା ବୃଦ୍ଧି ଏବେ ନ୍ୟାୟିକ ବ୍ୟବସ୍ଥା ପାେଇଁ ଚିନ୍ତାର କାରଣ ପାଲଟିଛି। ଉଦାହରଣ ସ୍ୱରୂପ, ଜନସ୍ୱାର୍ଥ ମକଦ୍ଦମାର ଭଲ ଅର୍ଥଧାରଣା ବେଳେବେଳେ ବ୍ୟକ୍ତିଗତ ସ୍ୱାର୍ଥ ମକଦ୍ଦମାରେ ପରିଣତ ହେଉଛି। ତେବେ, ଏଥିରେ କୌଣସି ସନ୍ଦେହ ନାହିଁ, ପିଆଇଏଲ୍‌ ଅନେକ ଜନସ୍ୱାର୍ଥ ପୂରଣ କରିଛି। ତଥାପି, ବେଳେବେଳେ ପ୍ରକଳ୍ପଗୁଡ଼ିକୁ ଅଟକାଇବା କିମ୍ବା ସରକାରୀ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇବା ପାଇଁ ଏହାର ଅପବ୍ୟବହାର କରାଯାଉଛି।

ଆଜିକାଲି, ଯେଉଁମାନେ ରାଜନୈତିକ ଉଦ୍ଦେଶ୍ୟ ସାଧନ ହେଉ କିମ୍ବା କର୍ପୋରେଟ୍‌ ପ୍ରତିଦ୍ୱନ୍ଦ୍ୱିତା ସମାଧାନ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ପିଆଇଏଲ୍‌ ଏକ ଉପକରଣ ହୋଇଯାଇଛି। ଏପରି ଅପବ୍ୟବହାରର ସମ୍ଭାବନାକୁ ହୃଦୟଙ୍ଗମ କରି ଅଦାଲତ ବର୍ତ୍ତମାନ ଏ କ୍ଷେତ୍ରରେ ଅତ୍ୟଧିକ ସତର୍କ ଅଛନ୍ତି ବୋଲି ପ୍ରଧାନ ବିଚାରପତି ଜଷ୍ଟସ ରମନ୍ନା ସ୍ପଷ୍ଟ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର