ନୂଆଦିଲ୍ଲୀ: କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମ୍କୋର୍ଟରେ ଚାଲିଥିବା ଶୁଣାଣିର ରାଜନୀତିକରଣ କରିବାକୁ ଚେଷ୍ଟା କରୁଥିବା ଜଣେ ବରିଷ୍ଠ ଆଇନଜୀବୀଙ୍କୁ ଆଜି କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼। ଆର୍ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ସ୍ନାତକୋତ୍ତର ଟ୍ରେନି ଡାକ୍ତରଙ୍କ ସହ ଘଟିଥିବା ଦୁଃଖଦ ଘଟଣାକୁ ରୋକିବାରେ ବିଫଳତା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହଟାଇବା ନିମନ୍ତେ ଅନୁରୋଧ କରି କୋର୍ଟଙ୍କୁ ଏ ବାବଦ ନିର୍ଦ୍ଦେଶ ଦେବାକୁ ଓକିଲ ଜଣକ ଅନୁରୋଧ କରିଥିଲେ। ଓକିଲ ଜଣକ ବାରମ୍ବାର ତାଙ୍କ ଦାବି ଦୋହରାଇବାରୁ ଏଥିରେ ସିଜେଆଇ ରାଗିଯାଇଥିଲେ ଏବଂ ଶୃଙ୍ଖଳା ନ ରଖିଲେ କୋର୍ଟରୁ ବାହାର କରିଦିଆଯିବ ବୋଲି ଚେତାବନୀ ଦେଇଥିଲେ।
ବରିଷ୍ଠ ଆଇନଜୀବୀଙ୍କ ଏହି ଅପ୍ରତ୍ୟାଶିତ ପଦକ୍ଷେପ ଏବଂ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରି ଆବେଦନ କରିବା ସିଜେଆଇଙ୍କୁ କ୍ଷୁବ୍ଧ କରିଥିଲା। ସିଜେଆଇ ଏଥିରେ ହସ୍ତକ୍ଷେପ କରି ରାଜନୈତିକ ଆଭିମୁଖ୍ୟ ଏଠାରେ ଗ୍ରହଣୀୟ ନୁହେଁ ଏହା କୌଣସି ରାଜନୈତିକ ମଞ୍ଚ ନୁହେଁ ବୋଲି କହିଥିଲେ। ‘ଆପଣ ବାର୍ର ଜଣେ ସଦସ୍ୟ। ଆପଣ ଯାହା କହୁଛନ୍ତି ତାହା ଆଇନଗତ ଶୃଙ୍ଖଳା ଆଧାରିତ ହେବା ଆବଶ୍ୟକ । ଆମେ ଏଠାରେ କୌଣସି ରାଜନୈତିକ ବ୍ୟକ୍ତିତ୍ୱଙ୍କ ବିଷୟରେ ଆପଣଙ୍କ ମତାମତ ଗ୍ରହଣ କରିବାକୁ ଆସିନାହୁଁ ବୋଲି ପ୍ରଧାନ ବିଚାରପତି କହିଥିଲେ। ଏଥିରେ ଅସନ୍ତୁଷ୍ଟ ହୋଇ ଓକିଲ ତାଙ୍କ ଯୁକ୍ତିରେ ଅଟଳ ରହିବାରୁ ପ୍ରଧାନ ବିଚାରପତି ତାଙ୍କୁ କଡ଼ା ତାଗିଦ କରି କହିଥିଲେ, ପ୍ରଥମେ ମୋ କଥା ଶୁଣ, ନଚେତ୍ ଏହି କୋର୍ଟ ଛାଡ଼ିଦିଅ।’ ସୂଚନାଯୋଗ୍ୟ, ଆଜି ଆର୍ଜି କର ମେଡିକାଲ କାଣ୍ଡ ମାମଲାରେ ବିଭିନ୍ନ ଆବେଦନ ଉପରେ ସୁପ୍ରିମ୍କୋର୍ଟ ଶୁଣାଣିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/ltcZH7S9yP8OfiDFxAfl.jpg)