ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ବି.ଆର. ଗୱାଇ  ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ଗଣତନ୍ତ୍ରରେ ଆଇନ ନ୍ୟାୟର ଏକ ଉପକରଣ ଭାବରେ କାର୍ଯ୍ୟ କରିବା ଉଚିତ, ସ୍ୱେଚ୍ଛାଚାରୀ କ୍ଷମତାର ମାଧ୍ୟମ ଭାବେ ନୁହେଁ।  ତିନି ଦିନିଆ ସରକାରୀ ଗସ୍ତରେ ଥିବା  ପ୍ରଧାନ ବିଚାରପତି  ମରିସସ୍‌ ବିଶ୍ୱବିଦ୍ୟାଳୟରେ ‘ଇନାଗୁରାଲ୍‌ ସାର୍ ମରିସ ରଲ୍ଟ ମେମୋରିଆଲ ଲେକ୍‌ଚର ୨୦୨୫’ରେ ‘ରୁଲ୍‌ ଅଫ୍‌ ଲ ଇନ୍‌ ଦି ଲାର୍ଜେଷ୍ଟ ଡେମୋକ୍ରାସି’ ବିଷୟବସ୍ତୁ ଉପରେ  କହିବା‌ ସମୟରେ  ୨୦୨୪ ମସିହାର ‘ବୁଲଡୋଜର ନ୍ୟାୟ’ ଉଦ୍ଧୃତ କରିଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି,  ଏହି ରାୟ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଭାରତୀୟ ଆଇନ ବ୍ୟବସ୍ଥା ବୁଲ୍‌ଡୋଜରର ଶାସନ ଦ୍ୱାରା ନୁହେଁ, ଆଇନର ଶାସନ ଦ୍ୱାରା ପରିଚାଳିତ।

Advertisment

ସିଜେଆଇ ୨୦୨୪ର ତଥାକଥିତ ‘ବୁଲ୍‌ଡୋଜର ନ୍ୟାୟ’ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ଉପରେ ଆଲୋକପାତ  କରିଥିଲେ ଯେଉଁଥିରେ ସୁପ୍ରିମକୋର୍ଟ ରାଜ୍ୟ କର୍ତ୍ତୃପକ୍ଷଙ୍କ ଦ୍ୱାରା  ଅଭିଯୁକ୍ତଙ୍କ ବିରୋଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଭାବରେ  ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ତଥା ଘର ଭାଙ୍ଗିବା କାର୍ଯ୍ୟକୁ ନିନ୍ଦା କରିଥିଲେ। ଖଣ୍ଡପୀଠ ରାୟ ଦେଇଥିଲେ ଯେ  କାର୍ଯ୍ୟପାଳିକା ଏକସଂଗରେ ବିଚାରପତି, ଜୁରି ଏବଂ ଦଣ୍ଡଦାତା ଭୂମିକା ଗ୍ରହଣ କରିପାରିବେ ନାହିଁ।    ବୁଲ୍‌ଡୋଜର ଲଗାଇ ଘର ଭାଙ୍ଗିବା ମୌଳିକ ଅଧିକାର, ବିଶେଷକରି ଧାରା ୨୧ ଅନୁଯାୟୀ ଆଶ୍ରୟ ଅଧିକାରର ଉଲ୍ଲଂଘନ କରୁଥିବାରୁ ଏଥିରେ ଅଙ୍କୁଶ ଲାଗିବା ଜରୁରୀ ଥିଲା ବୋଲି ଜଷ୍ଟିସ ଗୱାଇ  କହିଛନ୍ତି।