‘ସେଙ୍ଗୋଲ’କୁ ନେଇ ଦାବି ମିଥ୍ୟା ବୋଲି କହିଲା କଂଗ୍ରେସ; ଜବାବ ଦେଲେ ସରକାର

ନୂଆଦିଲ୍ଲୀ: ଲର୍ଡ ମାଉଣ୍ଟବ୍ୟାଟେନ, ସି ରାଜଗୋପାଳାଚାରୀ ଏବଂ ଜବାହରଲାଲ ନେହେରୁ ‘ସେଙ୍ଗୋଲ’କୁ ଭାରତକୁ ଇଂରେଜମାନଙ୍କ ଦ୍ୱାରା କ୍ଷମତା ହସ୍ତାନ୍ତରର ପ୍ରତୀକ ବୋଲି ବର୍ଣ୍ଣନା କରିଥିବାର କୌଣସି ଦସ୍ତାବିଜ ପ୍ରମାଣ ନାହିଁ ବୋଲି କଂଗ୍ରେସ ଦାବି କରିଛି।

ତେବେ, କଂଗ୍ରେସର ଏପ୍ରକାର ଦାବିକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତୀବ୍ର ସମାଲୋଚନା କରିଛନ୍ତି। ‘କଂଗ୍ରେସ ଦଳ କାହିଁକି ଭାରତୀୟ ପରମ୍ପରା ଓ ସଂସ୍କୃତିକୁ ଏତେ ଘୃଣା କରୁଛି? ଭାରତର ସ୍ୱାଧୀନତାର ପ୍ରତୀକ ପାଇଁ ତାମିଲନାଡୁର ଏକ ପବିତ୍ର ଶୈବ ମଠ ପକ୍ଷରୁ ପଣ୍ଡିତ ନେହେରୁଙ୍କୁ ଏକ ପବିତ୍ର ‘ସେଙ୍ଗୋଲ’ ଦିଆଯାଇଥିଲା, କିନ୍ତୁ ଏହାକୁ ଏକ ‘ଚାଲିବା ବାଡ଼ି’ ଭାବରେ ଏକ ସଂଗ୍ରହାଳୟକୁ କାହିଁକି ହଟାଇ ଦିଆଯାଇଥିଲା’ ବୋଲି ଶ୍ରୀ ଶାହା ପ୍ରଶ୍ନ କରିଛନ୍ତି। ପବିତ୍ର ଶୈବ ମଠର ଥିରୁଭାଡୁଥୁରାଇ ଅଧିନାମ ନିଜେ ଭାରତର ସ୍ୱାଧୀନତା ସମୟରେ ‘ସେଙ୍ଗୋଲ’ର ମହତ୍ତ୍ୱ ବିଷୟରେ କହିଥିଲେ ବୋଲି ଶ୍ରୀ ଶାହା କହିଛନ୍ତି।

ଏପ୍ରସଙ୍ଗରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ ନୂତନ ସଂସଦ ଭବନ ଉଦଘାଟନକୁ ବର୍ଜନ କରୁଥିବା ଦଳଗୁଡ଼ିକ ବଂଶବାଦ ଦ୍ୱାରା ପରିଚାଳିତ; ଯେଉଁମାନଙ୍କର ରାଜତନ୍ତ୍ରୀୟ ପଦ୍ଧତି ଆମ ସମ୍ବିଧାନରେ ଥିବା ଗଣତନ୍ତ୍ର ଏବଂ ଗାଣତାନ୍ତ୍ରିକ ନୀତି ସହିତ ମୁହାଁମୁହିଁ। ଏହି ବର୍ଜନ ସମ୍ବିଧାନ ନିର୍ମାତାଙ୍କ ପ୍ରତି ଅପମାନ ବୋଲି ଶ୍ରୀ ନଡ୍ଡା କହିଛନ୍ତି। କଂଗ୍ରେସ ଏବଂ ନେହେରୁ-ଗାନ୍ଧୀ ବଂଶର ନାମ ନେଇ ବିଜେପି ମୁଖ୍ୟ କହିଛନ୍ତି ଯେ ବଂଶବାଦୀଙ୍କ ‘ଅଭିଜାତ ମାନସିକତା’ ସେମାନଙ୍କୁ ଯୁକ୍ତିଯୁକ୍ତ ଚିନ୍ତାଧାରାରୁ ବଞ୍ଚିତ କରୁଛି ଏବଂ ସେମାନେ ଏକ ସରଳ ସତ୍ୟକୁ ହଜମ କରିବାକୁ ଅସମର୍ଥ ଯେ ଭାରତର ଲୋକମାନେ ଏକ ନମ୍ର ପୃଷ୍ଠଭୂମିରୁ ଆସିଥିବା ବ୍ୟକ୍ତିଙ୍କ ଉପରେ ବିଶ୍ୱାସ ରଖିଛନ୍ତି।

ମେ’ ୨୮ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ନୂତନ ସଂସଦ ଭବନ ଉଦ୍‌ଘାଟନ ହେବା ପରେ ଲୋକସଭା ବାଚସ୍ପତିଙ୍କ ‘ପୋଡିୟମ’ ନିକଟରେ ‘ସେଙ୍ଗୋଲ’ ପ୍ରତିଷ୍ଠା କରାଯିବ। ଯେଉଁ କାର୍ଯ୍ୟକ୍ରମରେ ୨୫ଟି ରାଜନୈତିକ ଦଳ ଯୋଗ ଦେଉଥିବା ବେଳେ କଂଗ୍ରେସ ସମେତ ୨୦ଟି ବିରୋଧୀ ଦଳ ଏହି କାର୍ଯ୍ୟକ୍ରମକୁ ବର୍ଜନ କରୁଛନ୍ତି।

ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ଡ୍ରମ୍‌-ବ୍ୟାଟର (ବାଦସକ)ମାନେ ତାମିଲନାଡୁରେ ନିଜର ରାଜନୈତିକ ଉଦ୍ଦେଶ୍ୟ ପାଇଁ ଏହି ସନ୍ଦେସକୁ ବ୍ୟବହାର କରୁଛନ୍ତି। ସେ କହିଛନ୍ତି, ଏହି ବ୍ରିଗେଡ୍‌ର ଏହା ଏକ ବିଶେଷତ୍ୱ, ଯିଏ କି ତା’ର ବିକୃତ ଉଦ୍ଦେଶ୍ୟ ଅନୁଯାୟୀ ତଥ୍ୟ ସଂଗ୍ରହ ଓ ବ୍ୟବହାର କରିଥାଏ। ସେ ଦାବି କରଛନ୍ତି ଯେ ମାଡ୍ରାସ ପ୍ରଦେଶର ଏକ ଧାର୍ମିକ ପ୍ରତିଷ୍ଠାନ ଦ୍ୱାରା ପରିକଳ୍ପିତ ଏବଂ ମାଡ୍ରାସ ସହର (ବର୍ତ୍ତମାନ ଚେନ୍ନାଇ)ରେ ପ୍ରସ୍ତୁତ ଏକ ଭବ୍ୟ ସନ୍ଦେସ ପ୍ରକୃତରେ ଅଗଷ୍ଟ ୧୯୪୭ରେ ଜବାହରଲାଲ ନେହେରୁଙ୍କ ନିକଟରେ ଉପସ୍ଥାପିତ ହୋଇଥିଲା କି ନାହିଁ ତାହାକୁ ନେଇ ସନ୍ଦେହ ରହିଛି। କାରଣ, ଲର୍ଡ ମାଉଣ୍ଟବ୍ୟାଟେନ, ରାଜାଜୀ ଏବଂ ନେହେରୁ ଏହି ସନ୍ଦେସକୁ ଭାରତକୁ ବ୍ରିଟିଶ କ୍ଷମତା ହସ୍ତାନ୍ତରର ପ୍ରତୀକ ବୋଲି ବର୍ଣ୍ଣନା କରିଥିବାର କୌଣସି ଦସ୍ତାବିଜ ପ୍ରମାଣ ନାହିଁ। ଏ ନେଇ ସମସ୍ତ ଦାବି ‘ଅଯଥାର୍ଥ’ (ବୋଗୋସ) ବୋଲି ସେ କହିଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରି ପ୍ରଧାନମନ୍ତ୍ରୀ ମୋଦୀ ନିଜେ ନୂଆ ସଂସଦ ଭବନଉଦଘାଟନ କରିବାର ନିଷ୍ପତ୍ତି କେବଳ ଏକ ଗମ୍ଭୀର ଅପମାନ ନୁହେଁ ବରଂ ଆମ ଗଣତନ୍ତ୍ର ଉପରେ ସିଧାସଳଖ ଆକ୍ରମଣ। ଏହି ଅସମ୍ମାନଜନକ କାର୍ଯ୍ୟ ରାଷ୍ଟ୍ରପତିଙ୍କ ଉଚ୍ଚ ପଦକୁ ଅପମାନିତ କରିବା ସହ ସମ୍ବିଧାନର ଅକ୍ଷର ଓ ଭାବନାକୁ ଉଲ୍ଲଂଘନ କରିବା ସହ କ୍ଷୁଣ୍ଣ କରୁଛି ବୋଲି ବିରୋଧୀ ଦଳମାନେ ଏକ ମିଳିତ ବିବୃତିରେ କହିଛନ୍ତି।

ଅନ୍ୟପକ୍ଷରେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ); ବିରୋଧୀ ଦଳର ସଂସଦ ଭବନ ଉଦ୍‌ଘାଟନୀ ଉତ୍ସବକୁ ବହିଷ୍କାର ନିଷ୍ପତ୍ତିକୁ ‘ଆମ ମହାନ ରାଷ୍ଟ୍ରର ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ଘୋର ଅପମାନ’ ବୋଲି କହିଛି।

ସମ୍ବନ୍ଧିତ ଖବର