ଆନ୍ଧ୍ରକୁ ସ୍ୱତନ୍ତ୍ର ମାନ୍ୟତା ଦାବି: ଟିଡିପି ସାଂସଦଙ୍କ ହଙ୍ଗାମା, ଗୃହ ମୁଲତବୀ

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ଶାସକ ଏନ୍‌ଡିଏର ସହଯୋଗୀ ତେଲୁଗୁ ଦେଶମ୍‌ ପାର୍ଟି(ଟିଡିପି)ର ସାଂସଦମାନେ ଆଜି ସଂସଦର ଉଭୟ ଗୃହରେ ହଙ୍ଗାମା କରିଥିଲେ। ଫଳରେ ଉଭୟ ଗୃହକୁ ମୁଲତବୀ ରଖାଯାଇଥିବା ଦେଖାଯାଇଥିଲା।
ଆଜି ସକାଳେ ଟିଡିପି ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦଳୀୟ ସାଂସଦମାନଙ୍କୁ ଫୋନ୍‌ କରି ରାଜ୍ୟର ଦାବି ସମ୍ପର୍କରେ ସଂସଦରେ ସେମାନଙ୍କ ଭୂମିକା ସମ୍ପର୍କରେ ଆଉ ଥରେ ଅବଗତ କରାଇଥିଲେ। ଚଳିତ ବଜେଟ୍‌ରେ ଆନ୍ଧ୍ର ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷିତ ହୋଇନଥିବାରୁ ସେମାନଙ୍କ ପାଇଁ ଅନ୍ୟ କୌଣସି ପ୍ରସଙ୍ଗର ମାନେ କିଛି ନାହିଁ। ତେଣୁ ରାଜ୍ୟବାସୀଙ୍କ ଦାବିକୁ ସଂସଦର ଉଭୟ ଗୃହରେ ଜୋର୍‌ଦାର ଉପସ୍ଥାପନ ପାଇଁ ନାଇଡୁ ଉତ୍ସାହିତ କରିଥିଲେ।
ଆଜି ରାଜ୍ୟସଭା କାର୍ଯ୍ୟକାଳ ଆରମ୍ଭ ହେବା ମାତ୍ରେ ଟିଡିପି ସାଂସଦମାନେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁଙ୍କ ନିର୍ଦ୍ଦେଶ କ୍ରମେ ଗୃହରେ ପ୍ଲାକାର୍ଡ ଧରି ହୋହଲ୍ଲା କରିଥିଲେ। ଏହା ଦ୍ୱାରା ରାଜ୍ୟବାସୀଙ୍କ ଅସନ୍ତୋଷ ବ୍ୟକ୍ତ କରିବା ସହ ସ୍ୱତନ୍ତ୍ର ପାହ୍ୟ ଦାବିରେ ଅଟଳ ରହିଥିଲେ। ସାଂସଦମାନେ ଗୃହର ମଧ୍ୟଭାଗକୁ ଚାଲିଆସି ସେହିପରି ପ୍ରତିବାଦ ଓ ଦାବି ଜଣାଇ ସ୍ଲାଗାନମାନ ଦେଇ ଚାଲିଥିଲେ। ପରେ ପରେ ଶିରୋମଣି ଅକାଳୀ ଦଳ ଏବଂ ତୃଣମୂଳ କଂଗ୍ରେସର ସାଂସଦମାନେ ମଧ୍ୟ ନିଜ ନିଜର ଦାବି ଉପସ୍ଥାପନ ପାଇଁ ଅନୁରୂପ ଭାବେ ଗୃହର ମଧ୍ୟଭାଗକୁ ଉଠି ଆସି ଟିଡିପି ସାଂସଦଙ୍କ ସହ ମିଶିଥିଲେ। ନିଜ ନିଜ ସ୍ଥାନକୁ ଫେରିଯିବାକୁ ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ଯେତେ କହିଥିଲେ ବି ସାଂସଦମାନେ ଶୁଣିନଥିଲେ। ଫଳରେ ଗୃହକୁ ଅପରାହ୍ଣ ଦଉଇଟା ଯାଏ ମୁଲତବୀ ରଖାଯାଇଥିଲା।
ସେହିପରି ଲୋକସଭାରେ ମଧ୍ୟ ଟିଡିପି ସାଂସଦମାନେ ଅନୁରୂପ ଭାବେ ପ୍ଲାକାର୍ଡ ଧରି ପ୍ରତିବାଦ ଜଣାଇଥିଲେ। ଫଳରେ ବାଚସ୍ପତି ସୁମିତ୍ରା ମହାଜନ କିଛି ସମୟ ପାଇଁ ଗୃହକୁ ମୁଲତବୀ ରଖିଥିଲେ। ପରେ ୧୧ଟା ୨୦ରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ମାତ୍ରେ ଟିଡିପି ସାଂସଦମାନେ ପୂର୍ବ ପରି ହୋହଲ୍ଲା କରୁଥିବା ଦେଖାଯାଇଥିଲା।

 

ସମ୍ବନ୍ଧିତ ଖବର