ଜାପାନୀ ମହାକାଶ ଗବେଷଣା ସଂସ୍ଥାର ଦାବି: ପୃଥିବୀ ବାହାରେ ପ୍ରଥମ ଥର ପାଇଁ ଜୀବନର ଉପାଦାନ ଆବିଷ୍କୃତ

ଟୋକିଓ: ହ୍ୟାବୁସା୨ ମିସନ ଦ୍ବାରା ସଂଗୃହୀତ ଗ୍ରହାଣୁ ରିଉଗୁ ନମୁନାରେ ଜାପାନୀ ଗବେଷକମାନେ ୨୦ଟି ଆମିନୋ ଏସିଡ୍‌ ଥିବା ଚିହ୍ନଟ କରିଛନ୍ତି। ଏଥିରୁ ପ୍ରମାଣ ମିଳୁଛି ଯେ ଏହି ଗ୍ରହାଣୁରେ ଅଙ୍ଗାରକ ଓ ଜୈବ ପଦାର୍ଥ ରହିଛି। ପୃଥିବୀ ବାହାରେ ଯେ ଜୀବନର ଅସ୍ତିତ୍ବ ରହିଛି ବା ସମ୍ଭବ ତାହା ଏଥିରୁ ପ୍ରମାଣିତ ହେଉଛି ବୋଲି ଜାପାନୀ ମହାକାଶ ଗବେଷଣା ସଂସ୍ଥା ଜାକ୍ସା ପ୍ରକାଶ କରିଛି।

ଆମିନୋ ଏସିଡ୍‌ରୁ ପ୍ରୋଟିନ ତିଆରି ହୋଇଥାଏ ଏବଂ ଜୀବନ ପାଇଁ ଏହା ଅତି ଆବଶ୍ୟକ ଉପାଦାନ। ଖାଦ୍ୟକୁ ଭାଙ୍ଗି ସରଳ କରିବା, ଜୀବ ଶରୀରର ବୃଦ୍ଧି ଏବଂ ଶରୀର ପେଶୀଗୁଡ଼ିକର ମରାମତିରେ ତଥା ଅନ୍ୟ ଶାରୀରିକ କ୍ରିୟାକଳାପରେ ଏହି ଅଣୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଶରୀର ଏହାକୁ ଶକ୍ତିର ଉତ୍ସ ଭାବେ ମଧ୍ୟ ବ୍ୟବହାର କରିପାରେ।

ପୂର୍ବରୁ ପୃଥିବୀରେ ଖସିପଡ଼ିଥିବା ଗ୍ରହାଣୁରୁ ବି ଏପରି ଆମିନୋ ଏସିଡ୍‌ ଚିହ୍ନଟ କରାଯାଇଥିଲା। କିନ୍ତୁ ସେଗୁଡ଼ିକର ପରିମାଣ ପ୍ରକୃତରେ କେତେ ତାହା ଜାଣିବା ସମ୍ଭବ ହୋଇ ନ ଥିଲା କାରଣ ଆକାଶରୁ ଖସି ପୃଥିବୀର ବାୟୁମଣ୍ଡଳ ଭିତରକୁ ଆସିବା ପରେ ବାୟୁ ସହ ଘର୍ଷଣରେ ଜଳିଉଠିବା ଯୋଗୁ ଅଧିକାଂଶ ନଷ୍ଟ ହୋଇଯାଇଥିଲା। ବର୍ତ୍ତମାନ ଜାପାନୀ ଗବେଷକମାନେ ଗ୍ରହାଣୁରୁ ୨୦ଟି ଗୁରୁତ୍ବପୂର୍ଣ୍ଣ ଆମିନୋ ଏସିଡ୍ ଚିହ୍ନଟ କରିବା ଯୋଗୁ ଏଥିରେ ଜୈବ ଉପାଦାନର ଅସ୍ତିତ୍ବ ଅଛି ବୋଲି ନିଃସନ୍ଦେହରେ କୁହାଯାଇପାରେ।

ସମ୍ବନ୍ଧିତ ଖବର