ନୂଆଦିଲ୍ଲୀ : ପ୍ରବାସୀ ଭାରତୀୟମାନେ ପାନ୍ କାର୍ଡ ଅଚଳ ହୋଇଥିବା ବିଷୟରେ ଅଭିଯୋଗ କରିବା ପରେ ଆୟକର ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ବହୁ ପ୍ରବାସୀ ଭାରତୀୟଙ୍କ ନିବେଶ ବ୍ଲକ୍ ହୋଇଯାଇଥିବା ବେଳେ ସେମାନେ ଟିକସ ରିଟର୍ଣ୍ଣ ଦାଖଲ କରିପାରୁନାହାନ୍ତି। ପାନ୍ ସହ ଆଧାର ଲିଙ୍କ୍ କରିବା ପ୍ରବାସୀ ଭାରତୀୟଙ୍କ ପାଇଁ ବାଧ୍ୟତାମୂଳକ ନଥିଲା। ଏହା ସତ୍ବେ ସେମାନଙ୍କ ପାନ୍ ଅଚଳ ହୋଇଛି। ନିୟମ ଅନୁସାରେ ଯେଉଁମାନେ ପାନ୍ ପାଇଛନ୍ତି ସେମାନେ ତାହାକୁ ଆଧାର ସହ ଲିଙ୍କ୍ କରିବା ବାଧ୍ୟତାମୂଳକ। ସେହି ଅବଧି ଜୁନ୍ ୩୦ରେ ଶେଷ ହୋଇଯାଇଛି।
ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ ପ୍ରବାସୀ ଭାରତୀୟମାନେ ସେମାନଙ୍କ ବାସସ୍ଥାନ ସମ୍ପର୍କରେ ବିବରଣୀ ଜୁରିଡିକ୍ସନାଲ୍ ଆସେସିଂ ଅଫିସରଙ୍କୁ ଜଣାଇନଥିବେ। ସେଥିପାଇଁ ତାଙ୍କ ପାନ୍ ଅଚଳ ହୋଇଥିବ। ଯେଉଁ ପ୍ରବାସୀ ଭାରତୀୟଙ୍କ ପାନ୍ ଅଚଳ ହୋଇଛି ସେମାନେ ତୁରନ୍ତ ଅଫିସରଙ୍କୁ ଯୋଗାଯୋଗ କରିବା ଦରକାର ବୋଲି ଆୟକର ବିଭାଗ କହିଛି। ଅଫିସରଙ୍କ ପାଖକୁ ଯିବା ବେଳେ ଆବଶ୍ୟକ କାଗଜପତ୍ର ସାଙ୍ଗରେ ନେବାକୁ କୁହାଯାଇଛି। ସେମାନଙ୍କ ବିଷୟରେ ସୂଚନା ଆୟକର ବିଭାଗ ପୋର୍ଟାଲ୍ରେ ମିଳିପାରିବ। ଯେଉଁମାନେ ତିନି ବର୍ଷ ଧରି ବାସସ୍ଥାନ ତଥ୍ୟ ଅପ୍ଡେଟ୍ କରିନଥିବେ ସେମାନଙ୍କ ପାନ୍ ମଧ୍ୟ ଅଚଳ ହୋଇଥିବ ବୋଲି ଆୟକର ବିଭାଗ ଜଣାଇଛି।