ଷ୍ଟକ୍‌ହୋମ୍‌: ରୟାଲ ସ୍ୱିଡିସ୍‌ ଏକାଡେମୀ ଅଫ୍ ସାଇନ୍ସେସ୍ ଷ୍ଟକ୍‌ହୋମ୍‌ଠାରେ ଘୋଷଣା କରିଛି ଯେ ଜନ୍ କ୍ଲାର୍କ, ମାଇକେଲ୍ ଏଚ୍ ଡେଭୋରେଟ୍ ଓ ଜନ୍ ଏମ୍ ମାର୍ଟିନିସ୍‌ଙ୍କୁ ପଦାର୍ଥବିଜ୍ଞାନ ପାଇଁ ଚଳିତବର୍ଷର ନୋବେଲ୍‌ ପୁରସ୍କାର ପ୍ରଦାନ କରାଯିବ। ଏକ ବୈଦ୍ୟୁତିକ ସର୍କିଟ୍‌ରେ ମାକ୍ରୋସ୍କୋପିକ୍ କ୍ୱାଣ୍ଟମ୍ ମେକାନିକାଲ୍ ଟନେଲିଂ ଓ ଶକ୍ତି ପରିମାଣ ଆବିଷ୍କାର ପାଇଁ ତିନି ଜଣଙ୍କୁ ଏହି ପୁରସ୍କାର ମିଳିବ। ପଦାର୍ଥବିଜ୍ଞାନ ପାଇଁ ନୋବେଲ୍‌ କମିଟିର ଅଧ୍ୟକ୍ଷ ଓଲେ ଏରିକ୍ସନ୍ କହିଛନ୍ତି, ଶତାବ୍ଦୀ ପୁରୁଣା କ୍ୱାଣ୍ଟମ୍ ମେକାନିକ୍ସ ଆମକୁ କ୍ରମାଗତ ଭାବରେ ନୂଆ ନୂଆ ଆଶ୍ଚର୍ଯ୍ୟଜନକ ଜିନିଷ ପ୍ରଦାନ କରୁଛି। ଏହା ମଧ୍ୟ ଅତ୍ୟନ୍ତ ଉପଯୋଗୀ। କାରଣ କ୍ୱାଣ୍ଟମ୍ ମେକାନିକ୍ସ ହେଉଛି ସମସ୍ତ ଡିଜିଟାଲ୍ ଟେକ୍ନୋଲୋଜିର ମୂଳଦୁଆ। କମ୍ପ୍ୟୁଟର ମାଇକ୍ରୋଚିପ୍‌ରେ ଥିବା ଟ୍ରାଞ୍ଜିଷ୍ଟର୍‌ଗୁଡ଼ିକ କ୍ୱାଣ୍ଟମ୍ ଟେକ୍ନୋଲୋଜିର ଏକ ଉଦାହରଣ। ଚଳିତ ବର୍ଷର ପଦାର୍ଥବିଜ୍ଞାନରେ ନୋବେଲ୍‌ ପୁରସ୍କାର କ୍ୱାଣ୍ଟମ୍ କ୍ରିପ୍ଟୋଗ୍ରାଫି, କ୍ୱାଣ୍ଟମ୍ କମ୍ପ୍ୟୁଟର ଓ କ୍ୱାଣ୍ଟମ୍ ସେନ୍ସର ସମେତ ପରବର୍ତ୍ତୀ ପିଢ଼ିର କ୍ୱାଣ୍ଟମ୍ ଟେକ୍ନୋଲୋଜିର ବିକାଶ ପାଇଁ ସୁଯୋଗ ପ୍ରଦାନ କରିଛି ବୋଲି କମିଟି ଉଲ୍ଲେଖ କରିଛି। ସେମାନଙ୍କ ଆବିଷ୍କାର ପ୍ରମାଣିତ କରିଛି ଯେ କ୍ୱାଣ୍ଟମ୍ ପ୍ରଭାବ ଯାହା ସାଧାରଣତଃ କେବଳ ପରମାଣୁ ସ୍ତରରେ ଦେଖାଯାଏ, ତାହା ବୃହତ୍ ଆକାରର ସିଷ୍ଟମ୍‌ରେ ମଧ୍ୟ ମୂର୍ତ୍ତ ହୋଇପାରେ। ଏହି ଅନୁସନ୍ଧାନ କ୍ୱାଣ୍ଟମ୍ କମ୍ପ୍ୟୁଟିଂରେ ପ୍ରମୁଖ ଅଗ୍ରଗତି ଓ ନୂତନ କ୍ୱାଣ୍ଟମ୍ ଉପକରଣର ଡିଜାଇନ୍ ପାଇଁ ବାଟ ଖୋଲିଛି, ଯାହା ସୂଚନା ପ୍ରକ୍ରିୟାକରଣ ଓ ସୁରକ୍ଷାରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରେ।

Advertisment

ଏହି ପୁରସ୍କାର ପାଇଁ ୧୧ ନିୟୁତ ସ୍ୱିଡେନ୍ କ୍ରୋନର୍ (ପ୍ରାୟ ୧.୦୩ କୋଟି ଟଙ୍କା) ନଗଦ ପୁରସ୍କାର ପ୍ରଦାନ କରାଯିବ ଏବଂ ଏହା ଡିସେମ୍ବର ୧୦ରେ ଷ୍ଟକହୋମ୍‌ରେ ଏକ ସମାରୋହରେ ପ୍ରଦାନ କରାଯିବ। ନୋବେଲ୍‌ ପୁରସ୍କାର ଘୋଷଣା ସୋମବାର ଭେଷଜରେ ନୋବେଲ୍‌ ପୁରସ୍କାର ସହିତ ଆରମ୍ଭ ହୋଇଥିଲା, ଯାହା ମେରି ଇ ବ୍ରୁଙ୍କୋ, ଫ୍ରେଡ୍ ରାମସଡେଲ ଓ ଶିମୋନ୍ ସାକାଗୁଚିଙ୍କୁ ପ୍ରଦାନ କରାଯାଇଥିଲା। ରସାୟନ ବିଜ୍ଞାନ, ସାହିତ୍ୟ, ଶାନ୍ତି ଓ ଅର୍ଥନୀତି ପାଇଁ ବିଜେତାଙ୍କ ନାମ ଯଥାକ୍ରମେ ଅକ୍ଟୋବର ୮, ୯, ୧୦ ଓ ୧୩ରେ ଘୋଷଣା କରାଯିବ। ୨୦୨୪ ମସିହାରେ କୃତ୍ରିମ ସ୍ନାୟୁ ନେନ୍‌ୱର୍କ ସହିତ ମେସିନ୍ ଲର୍ଣ୍ଣିଂକୁ ସକ୍ଷମ କରୁଥିବା ମୂଳ ଆବିଷ୍କାର ଓ ଉଦ୍ଭାବନ ପାଇଁ ଜନ୍ ଜେ ହପଫିଲ୍ଡ ଓ ଜୋଫ୍ରେ ହିଣ୍ଟନଙ୍କୁ ମିଳିତ ଭାବରେ ପଦାର୍ଥ ବିଜ୍ଞାନରେ ନୋବେଲ୍‌ ପ୍ରଦାନ କରାଯାଇଥିଲା।