ଉତ୍ତରପ୍ରଦେଶ: କାସଗଞ୍ଜରେ ତ୍ରିରଙ୍ଗା ଯାତ୍ରା ବେଳେ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, କର୍ଫ୍ୟୁ ଜାରି

କାସଗଞ୍ଜ: ଉତ୍ତରପ୍ରଦେଶର କାସଗଞ୍ଜରେ ସାଧାରଣତନ୍ତ୍ର ଦିବସ ଅବସରରେ ଶୁକ୍ରବାର ତ୍ରିରଙ୍ଗା ଯାତ୍ରାର ଆୟାଜନ ଚାଲିଥିବା ବେଳେ ୨ଟି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ଜାତୀୟ ଗଣମାଧ୍ୟମରୁ ଜଣାପଡ଼ିଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥବା ବେଳେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଯିବାରୁ ପୁଲିସ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି। ପୁଲିସ କହିବା ଅନୁସାରେ କାସଗଞ୍ଜର ନଗର କୋତଓ୍ଵାଲି ଅଞ୍ଚଳରେ ଉଭୟ ଗୋଷ୍ଠୀ ମଧ୍ୟରେ ହିଂସା ଦେଖାଯିବାରୁ ଅନେକ ଗୁଡ଼ିଏ ଯାନବାହାନରେ ନିଆଁ ଲାଗିଛି। ଘଟଣା ପରେ ଉତ୍ତେଜିତ ଲୋକେ ଭଙ୍ଗାରୁଜା କରିଛନ୍ତି।

ପୁଲିସ କହିବା ମୁତାବିକ ଲୋକମାନେ ତ୍ରିରଙ୍ଗା ଯାତ୍ରାରେ ବାହାରି ଥିବା ବେଳେ ପଥର ଆକ୍ରମଣ ହୋଇଥିଲା। ଏହି ଘଟଣା ପରେ ହିଂସା ଦେଖାଯାଇଥିଲା। ସଂଘର୍ଷ ବେଳେ ଉଭୟ ପକ୍ଷରୁ ପଥରମାଡ଼ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ବ୍ୟାପକ ପରିମାଣରେ ପୁଲିସ ମୁତୟନ କରାଯାଇଛି। ଗୋଷ୍ଠୀ ସଂଘର୍ଷରେ ୧୨ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି। ପୁଲିସ କହିଛି, କୋତଓ୍ଵାଲି ଥାନା ଅଞ୍ଚଳରେ ବିଲରାମ ଗେଟରୁ ବାଇକରେ ଯାତ୍ରୀମାନେ ତ୍ରିରଙ୍ଗା ଯାତ୍ରା ଆରମ୍ଭ କରିଥିଲେ। ଏହି ସମୟରେ ପଥରମାଡ଼ ହୋଇଥିଲା।

ସମ୍ବନ୍ଧିତ ଖବର