ସିଂଘୁ ସୀମାରେ ସଂଘର୍ଷ : ଗ୍ରାମବାସୀ-ଆନ୍ଦୋଳନକାରୀ ମୁହାଁମୁହିଁ, ପୁଲିସକୁ ଆକ୍ରମଣ

ନୂଆଦିଲ୍ଲୀ : ଦିଲ୍ଲୀର ସିଂଘୁ ସୀମାରେ ଶୁକ୍ରବାର ସ୍ଥାନୀୟ ବାସିନ୍ଦା ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ତମ୍ବୁ ହଟାଇବାକୁ ନେଇ ଉଭୟ ପକ୍ଷ ପରସ୍ପର ଉପରେ ପଥର ମାଡ଼ କରିବା ସହ ଧସ୍ତାଧସ୍ତି ମଧ୍ୟ ହୋଇଛନ୍ତି। ଆନ୍ଦୋଳନକାରୀଙ୍କ ତମ୍ବୁଗୁଡ଼ିକୁ ବଳପୂର୍ବକ ହଟାଇବା ପାଇଁ ୫ ଶହ ଅଧିକ ଗ୍ରାମବାସୀ ପହଞ୍ଚିବା ‌ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳରେ ମୁତୟନ ଥିବା ପୁଲିସ କର୍ମୀଙ୍କ ଉପରେ କେତେକ ଚାଷୀ ଅଚାନକ ଖଣ୍ଡାରେ ଆକ୍ରମଣ କରିଥିଲେ। ଏଥିରେ ଏସ୍‌ଏଚ୍‌ଓ ପ୍ରଦୀପ କୁମାର ଖଣ୍ଡା ଚୋଟରେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ କେତେକ ପୁଲିସ କର୍ମୀ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ପୁଲିସ ପ୍ରଦୀପଙ୍କ ଆକ୍ରମଣକାରୀ ସମେତ ମୋଟ ୪୪ ଜଣଙ୍କୁ ଗିରଫ କରିଛି।

ଦୀର୍ଘ ଦୁଇ ମାସରୁ ଅଧିକ ସମୟ ହେଲା ଚାଷୀ ଆନ୍ଦୋଳନ ଜାରି ରହିଥିବାରୁ ସିଂଘୁ ସୀମା ଅଂଚଳରେ ଜନସାଧାରଣ ଘୋର ହଟହଟାର ସମ୍ମୁଖୀନ ହେଉଛନ୍ତି ଏବଂ ଅନେକ ଲୋକଙ୍କ ଜୀବିକା ଗୁରୁତର ପ୍ରଭାବିତ ହୋଇଛି। ଏହାର ପ୍ରତିବାଦରେ ଆଜି ସୀମା ନିକଟସ୍ଥ ଗ୍ରାମର ଜନସାଧାରଣ ସଂଘବଦ୍ଧ ଭାବେ ଆନ୍ଦୋଳନସ୍ଥଳରେ ଚଢ଼ଉ କରିଥିଲେ। ଗତକାଲି ମଧ୍ୟ ପ୍ରାୟ ୧ ହଜାର ଗ୍ରାମବାସୀ ଆନ୍ଦୋଳନସ୍ଥଳରେ ଧସେଇ ପଶିଥିଲେ ଏବଂ ଧାରଣାରୁ ହଟିଯିବାକୁ ଚାଷୀମାନଙ୍କୁ ଚରମବାଣୀ ଶୁଣାଇଥିଲେ। ଆଜିର ସଂଘର୍ଷ ପରେ ସିଂଘୁ ସୀମାରେ ପ୍ରବଳ ଉତ୍ତେଜନା ଲାଗି ରହିଛି ଏବଂ ପୁଲିସ ମୁତୟନ ବଢ଼ାଇ ଦିଆଯାଇଛି। ସିଂଘୁ ସୀମାରେ କ୍ଷତିଗ୍ରସ୍ତ ହୋଇଥିବା ତମ୍ବୁଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ସଜାଡ଼ି ଦିଆଯାଇଛି ।

ସମ୍ବନ୍ଧିତ ଖବର