ଚେନ୍ନାଇ: ଅଭିନେତାରୁ ରାଜନେତା ପାଲଟିଥିବା ତାମିଲନାଡ଼ୁର ଥାଲାପତି ବିଜୟଙ୍କ ଜନସଭା ରୢାଲିରେ ଆଜି ବଡ଼ଧରଣର ଦଳାଚକଟା ହୋଇଛି। ଏଥିରେ ୧୦ ଶିଶୁ ଓ ୧୬ ମହିଳାଙ୍କ ସମେତ ୩୮ ଜଣଙ୍କର ମୃତ୍ୟୁ ହୋଇଛି। ୭୦ରୁ ଅଧିକ ଲୋକ ଅସୁସ୍ଥ ଓ ଗୁରୁତର ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାମିଲଗା ଭେଟ୍ଟ୍ରି କାଜାଗମ (ଟିଭିକେ) ମୁଖ୍ୟ ବିଜୟଙ୍କ ଜନସଭା ରୢାଲି କରୁର ସହରରେ ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେବା ପାଇଁ ଆସିଥିବା ବିଜୟଙ୍କ ସମର୍ଥକମାନେ ପ୍ରାୟ ୬ ଘଣ୍ଟା ଧରି ଅପେକ୍ଷା କରିଥିଲେ। ବିଜୟ ଆସିବା ପରେ ଲୋକମାନେ ମଞ୍ଚ ନିକଟକୁ ମାଡ଼ିଯିବାରୁ ଭିଡ଼ ସ୍ଥିତି ଅସମ୍ଭାଳ ହୋଇଥିଲା। ଦଳାଚକଟାରେ ଅନେକ ଲୋକ ଅଣନିଶ୍ବାସୀ ହୋଇ ବେହୋସ୍ ହୋଇ ପଡ଼ିଥିଲେ। ବିଜୟ ତାଙ୍କ ଭାଷଣ ଅଧାରୁ ବନ୍ଦ କରି ସମସ୍ତଙ୍କୁ ଶାନ୍ତ ରହିବା ପାଇଁ ଅନୁରୋଧ କରିଥିଲେ। ଭିଡ଼ରେ ଜଣେ ପିଲା ନିଖୋଜ ହୋଇ ଯାଇଥିବାରୁ ତାକୁ ଖୋଜିବା ପାଇଁ ବିଜୟ ପୁଲିସକୁ କହିଥିଲେ। ଏଥିସହିତ ଆମ୍ବୁଲାନ୍ସ ପାଇଁ ବାଟ ଛାଡ଼ିବାକୁ ସମର୍ଥକମାନଙ୍କୁ ଅନୁରୋଧ କରିଥିଲେ। ଯେଉଁମାନେ ଅସୁସ୍ଥ ଅନୁଭବ କରିଥିଲେ ସେମାନଙ୍କୁ ପାଣି ବୋତଲ ଦିଆଯାଇଥିଲା ଏବଂ ତତ୍କାଳ ଚିକିତ୍ସା ଟିମ୍ ମୁତୟନ ହୋଇଥିଲେ। ମିଳିଥିବା ସୂଚନାନୁଯାୟୀ ଅଧିକାଂଶ ଆହତ ଓ ମୃତକ ବିଜୟଙ୍କ ରାଜନୈତିକ ଦଳ ଟିଭିକେର ସମର୍ଥକ। ଦଳାଚକଟା ଖବର ପାଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଏମ୍ଏ ସୁବ୍ରମଣ୍ୟନ୍ ଓ ଗଣଶିକ୍ଷା ମନ୍ତ୍ରୀ ଅନବିଲ୍ ମହେଶ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସ୍ଥିତିକୁ ଭଲ ଭାବେ ଯାଞ୍ଚ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ କରୁର ଜିଲ୍ଲା ସଚିବ ଭି ସେନ୍ଥିଲ ବାଲାଜୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଲେ ଷ୍ଟାଲିନ୍
ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ଶାହ
ମୃତକଙ୍କ ପିଛା ୧୦ ଲକ୍ଷ, ଆହତଙ୍କୁ ୧ ଲକ୍ଷ ସହାୟତା
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାମିଲନାଡ଼ୁ ରାଜ୍ୟପାଳ ଆର୍ଏନ୍ ରବି ଓ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ଙ୍କ ସହ କଥା ହୋଇ ସ୍ଥିତି ସମ୍ପର୍କରେ ଅବଗତ ହୋଇଛନ୍ତି। ସମସ୍ତ ପ୍ରକାର କେନ୍ଦ୍ରୀୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହିତ ତାମିଲନାଡ଼ୁ ସରକାରଙ୍କଠାରୁ ଗୃହ ମନ୍ତ୍ରାଳୟ ବିସ୍ତୃତ ରିପୋର୍ଟ ମାଗିଛି। କେଉଁ ପରିସ୍ଥିତିରେ ଦଳାଚକଟା ହେଲା ଏବଂ ଉଦ୍ଧାର ଓ ଚିକିତ୍ସା ପାଇଁ କି ପ୍ରକାର ପଦକ୍ଷେପ ନିଆଯାଇଥିଲା ତାହା ଉପରେ ରିପୋର୍ଟ ମଗାଯାଇଛି। କରୁର-ଇରୋଡ୍ ରାଜପଥର ଭେଲୁସାମିପୁରମ୍ଠାରେ ଏହି ଅଘଟଣ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ବିଜୟଙ୍କୁ ଦେଖିବା ପାଇଁ ରାତି ପ୍ରାୟ ୭ଟା ୪୫ରେ ବହୁସଂଖ୍ୟାରେ ଲୋକ ମାଡ଼ି ଆସିଥିଲେ। ଦଳାଚକଟା ପରେ ଭିଡ଼ ଭିତରକୁ ଆମ୍ବୁଲାନ୍ସ ଯିବାରେ ଅସୁବିଧା ଦେଖାଦେଇଥିଲା। ସ୍ବେଚ୍ଛାସେବୀମାନେ ମାନବ ଶୃଙ୍ଖଳ କରି ଆହତଙ୍କ ନିକଟରେ ଆମ୍ବୁଲାନ୍ସ ପହଞ୍ଚାଇଥିଲେ।
ପୁଲିସ ସୂତ୍ରରୁ ଜଣାଯାଇଛି ଯେ ପ୍ରାରମ୍ଭିକ ଆକଳନଠାରୁ ରୢାଲିକୁ ବହୁ ଅଧିକ ଲୋକ ଆସିଥିଲେ। ୩୦ ହଜାର ଲୋକ ସମ୍ମିଳିତ ହେବା ପାଇଁ ଅନୁମତି ଦିଆଯାଇଥିଲା। କିନ୍ତୁ ୬୦ ହଜାରରୁ ଅଧିକ ଲୋକ ଏକତ୍ର ହୋଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଗଭୀର ଦୁଃଖଦାୟକ ବୋଲି କହିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ, ସପା ମୁଖ୍ୟ ଅଖିଳେଶ ଯାଦବ ଆଦି ଅନେକ ନେତା ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି। ଗୃହ ମନ୍ତ୍ରାଳୟ ଏହି ଘଟଣାରେ ତାମିଲନାଡ଼ୁ ସରକାରଙ୍କ ଠାରୁ ରିପୋର୍ଟ ମାଗିଥିବା ଏକ ସୂତ୍ରରୁ ଜଣାଯାଇଛି।
ଆଜି ରାତିରେ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ କରୁର ଯିବା ସହିତ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଅରୁଣା ଜଗଦୀଶନ ଏହି ଘଟଣାର ନ୍ୟାୟିକ ତଦନ୍ତ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାର ପିଛା ୧୦ ଲକ୍ଷ ଟଙ୍କା ଏବଂ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ପିଛା ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଛି।