ଟ୍ରମ୍ପ୍‌ ବିରୋଧୀ-ସମର୍ଥକଙ୍କ ମଧ୍ୟରେ ସଂଘର୍ଷ

ୱାସିଂଟନ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍‌ ପ୍ରାର୍ଥୀ ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କୁ ବିଜୟୀ ଦର୍ଶାଇ ତାଙ୍କର ସମର୍ଥକମାନେ ୱାସିଂଟନରେ ଏକ ବିଶାଳ ରୢାଲି କରିଛନ୍ତି। ରାଷ୍ଟ୍ରପତି ଭାବେ ବିଜୟୀ ହୋଇଥିବା ଜୋ ବାଇଡେନ୍‌ ଟ୍ରମ୍ପ୍‌ଙ୍କ ବିଜୟକୁ ହଡ଼ପ କରି ନେଇଛନ୍ତି ବୋଲି ଅଭିଯୋଗ କରି ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ଟ୍ରମ୍ପ୍‌ ସମର୍ଥକଙ୍କ ଏହି ରୢାଲିକୁ ବାଇଡେନ୍‌ଙ୍କ ସମର୍ଥକମାନେ ପ୍ରବଳ ବିରୋଧ କରିବାରୁ ୱାସିଂଟନରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ରୢାଲିରେ ହିଂସା ପାଇଁ ପୁଲିସ ଉଭୟ ପକ୍ଷର ୨୦ ଜଣଙ୍କୁ ଗିରଫ କରିଛି।

ଗତକାଲି ରାତି ତମାମ୍‌ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ୱାସିଂଟନ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ବାଇଡେନ୍‌ଙ୍କ ସମର୍ଥକଙ୍କ ଉପରକୁ ଗୁଳି ଫୁଟାଇଥିଲେ। ଛୁରୀ ମାଡ଼ରେ ମଧ୍ୟ ଜଣେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି। ତେବେ ଦୀର୍ଘ ସମୟ ଧରି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଥିଲା। ଗତକାଲି ବିଳମ୍ବିତ ରାତିରେ ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାରେ ସଫଳ ହୋଇଥିଲା। ତେବେ ଟ୍ରମ୍ପ୍‌ଙ୍କ ସମର୍ଥକଙ୍କ ଏହି ରୢାଲିକୁ ହ୍ବାଇଟ୍‌ ହାଉସ ପ୍ରେସ୍‌ ସଚିବ କେଲି ମ୍ୟାକ୍‌ନି ‘ମିଲିୟନ ମେଗା ମାର୍ଚ୍ଚ’ ବୋଲି କହିଛନ୍ତି। କାରଣ ଏହି ବିକ୍ଷୋଭରେ ଲକ୍ଷାଧିକ ବିକ୍ଷୋଭକାରୀ ଅଂଶଗ୍ରହଣ କରିଥିଲେ। ଆଜି ମଧ୍ୟ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ କହିଛନ୍ତି ଯେ ବାଇଡେନ୍‌ ଜାଲିଆତି କରି ବିଜୟ ହାସଲ କରିଛନ୍ତି ଏବଂ ସେ ଏହାକୁ ସ୍ବୀକାର କରିବେ ନାହିଁ। ବାଇଡେନ୍‌ ତାଙ୍କ ବିଜୟକୁ ଚୋରି କରି ନେଇଛନ୍ତି ବୋଲି ଟ୍ରମ୍ପ୍‌ କହିଛନ୍ତି।

ସମ୍ବନ୍ଧିତ ଖବର