ହରିଦ୍ୱାର: ଉତ୍ତରାଖଣ୍ଡର ହରିଦ୍ୱାରସ୍ଥିତ ମନସା ଦେବୀ ମନ୍ଦିର ରାସ୍ତାରେ ରବିବାର ସକାଳେ ଘଟିଥିବା ଦଳାଚକଟାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (ଏସ୍ଡିଆର୍ଏଫ୍)ର ୩ଟି ଟିମ୍ ଉଦ୍ଧାର କାର୍ଯ୍ୟରେ ତୁରନ୍ତ ନିୟୋଜିତ ହୋଇଥିଲା ଏବଂ ଦୀର୍ଘ ୬ ଘଣ୍ଟା ଧରି ଏହି ପ୍ରକ୍ରିୟା ଜାରି ରହିଥିଲା ବୋଲି କମାଣ୍ଡାଣ୍ଟ ଅର୍ପଣ ଯଦୁବଂଶୀ କହିଛନ୍ତି। ମନସା ଦେବୀ ମନ୍ଦିରକୁ ଯାଇଥିବା ପାହାଚଯୁକ୍ତ ରାସ୍ତାରେ ସକାଳ ପ୍ରାୟ ୯ଟା ବେଳେ ଏହି ଅଘଟଣ ଘଟିଥିଲା। ୬ ଜଣଙ୍କ ମୃତ୍ୟୁକୁ ପ୍ରଶାସନ ସ୍ବୀକାର କରିଥିବାବେଳେ ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଏବଂ ସେମାନଙ୍କୁ ଏମ୍ସ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ହରିଦ୍ୱାର ଜିଲ୍ଲାପାଳ ମୟୂର ଦୀକ୍ଷିତ କହିଛନ୍ତି।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି, ଦଳାଚକଟା ଘଟଣାରେ ମୁଁ ଗଭୀର ଦୁଃଖିତ। ସମସ୍ତ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ମୁଁ ମାତାରାଣୀଙ୍କୁ ପ୍ରାର୍ଥନା କରୁଛି। ହରିଦ୍ୱାର ଜିଲ୍ଲା ମାଜିଷ୍ଟ୍ରେଟ୍ ମୟୂର ଦୀକ୍ଷିତ କହିଛନ୍ତି ଯେ ରାସ୍ତାରେ ବିଦ୍ୟୁତ୍ ପ୍ରବାହକୁ ନେଇ ଗୁଜବ ସୃଷ୍ଟି ହୋଇଥିଲା, ଯାହା ମନସା ଦେବୀ ମନ୍ଦିରକୁ ଯାଉଥିବା ତୀର୍ଥଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦଳଚକଟା ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହ ପୀଡ଼ିତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି।