ପାଟନା : ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଆଜି ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ଦାବିରେ ଏକ ଆନ୍ଦୋଳନ ହୋଇଛି। ବିହାର ସରକାର ପୁଲିସ ଇନ୍ସପେକ୍ଟର, କନେଷ୍ଟବଳ ଏବଂ ଅନ୍ୟ ସରକାରୀ ପଦବି ପାଇଁ ଭାକାନ୍ସି ଘୋଷଣା କରିବା ଦାବିରେ ଆଜି ଅନେକ ସଂଖ୍ୟାରେ ଆଶାୟୀ ଆନ୍ଦୋଳନ କରିଥିବାବେଳେ ପୁଲିସ ସହ ସଂଘର୍ଷ ଉପୁଜିଥିଲା। ଚୌରହା ଡାକ ବଙ୍ଗଳାରେ ଆଜି ପୁଲିସ ଏବଂ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ। ଗତ ୨ ବର୍ଷ ମଧ୍ୟରେ ପୁଲିସ କନେଷ୍ଟବଳ ଏବଂ ଅନ୍ୟ ସରକାରୀ ପଦବିରେ କମ୍ ନିଯୁକ୍ତି ଉପରେ ଗୁରୁତ୍ବାରୋପ କରି ଛାତ୍ରଛାତ୍ରୀ ଏବଂ ଆଶାୟୀମାନେ ଆଜି ପାଟନାରେ ଆନ୍ଦୋଳନ ଯାତ୍ରା କରିଥିଲେ। ଆଗକୁ ବିହାର ବିଧାନସଭା ନିର୍ବାଚନ ଥିବାରୁ ଆନ୍ଦୋଳନକାରୀମାନେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାପାଇଁ ଏବଂ ଏନେଇ ଏକ ବିଜ୍ଞପ୍ତି ଜାରି କରିବାକୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ଏକ ଛାତ୍ର ପ୍ରତିନିଧି ଦଳ ଆଜି ପ୍ରଶାସନରେ ଅଧିକାରୀମାନଙ୍କୁ ଭେଟି ସେମାନଙ୍କ ଦାବି ଉପସ୍ଥାପନ କରିଛନ୍ତି।
ଜଣେ ଆନ୍ଦୋଳନକାରୀ କହିଛନ୍ତି, ଛାତ୍ରମାନେ ଅନ୍ୟାୟ ବିରୋଧରେ ଅନେକ ଥର ସେମାନଙ୍କ ସ୍ବର ଉତ୍ତୋଳନ କରିଛନ୍ତି କିନ୍ତୁ ପ୍ରଶାସନ କିଛି କରୁନାହିଁ। ତେଣୁ ଆଜି ଆମକୁ ଆନ୍ଦୋଳନ କରିବାକୁ ପଡ଼ିଲା। ଆମ ଆନ୍ଦୋଳନ ସମ୍ପୂର୍ଣ୍ଣ ଭାବେ ଶାନ୍ତିପୂର୍ଣ୍ଣ। ଆମେ ହାତଯୋଡ଼ି ସରକାରଙ୍କୁ ଆମ ଦାବି ପୂରଣ କରିବାପାଇଁ ନିବେଦନ କରୁଛୁ। ନିର୍ବାଚନ ପୂର୍ବରୁ ବିହାର ଇନ୍ସପେକ୍ଟର ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହେବା ଉଚିତ ବୋଲି ସେ କହିଛନ୍ତି।
ଆଜି ଆନ୍ଦୋଳନ ସମୟରେ ବ୍ୟାରିକେଡ୍ ଉପରେ ଚଢ଼ି ଯାଇଥିବା ଜଣେ ଆନ୍ଦୋଳନକାରୀ ଅମନ କୁମାର ଯାଦବ କହିଛନ୍ତି, ଆନ୍ଦୋଳନକାରୀ କେବଳ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ସଚିବଙ୍କୁ ଭେଟି ସେମାନଙ୍କ ଦାବି ଉପସ୍ଥାପନ କରିବାପାଇଁ ଚାହାନ୍ତି। ଛାତ୍ରଙ୍କ ନେତୃତ୍ବାଧୀନ ଏହି ଆନ୍ଦୋଳନକୁ ‘ମୁଖ୍ୟମନ୍ତ୍ରୀ ଆବାସ ଘେରାଓ’ ମଧ୍ୟ କୁହାଯାଉଛି।