ବିହାର: ସାଙ୍ଗ ମାରିଲା ସାଙ୍ଗକୁ ଗୁଳି । ପରୀକ୍ଷା କେନ୍ଦ୍ରର କିଛି ଦୂରରେ ଗୁଳିମାଡ କଲା ୧୦ମ ଶ୍ରେଣୀର ଛାତ୍ର । ପରୀକ୍ଷା ଦେଇ ଫେରୁଥିବା ବେଳେ ନିଜ ୧୦ ଶ୍ରେଣୀର ସାଙ୍ଗକୁ ଗୁଳିମାଡ କରିଛି ଅନ୍ୟ ଜଣେ ସାଙ୍ଗ ।
ତେବେ ବିହାର ରୋହତାସ ଜିଲ୍ଲାରୁ ଏମିତି ଚାଞ୍ଚଲ୍ୟଭରା ଖବର ଆସିଥିବା ବେଳେ ଏତେ କମ୍ ବୟସରେ କେମିତି ଜଣେ ନିଜ ସାଙ୍ଗକୁ ହତ୍ୟା କରିପାରିଲା ଏବଂ ସେ କେଉଁଠୁ ବନ୍ଧୁକ ଆଣିଲା ତାକୁ ନେଇ ପ୍ରଶ୍ନ ଉଠିଛି ।
ପୋଲିସର ସୂଚନା ଅନୁସାରେ ସାସାରାମ ସ୍ଥିତ ଏକ ପରୀକ୍ଷା କେନ୍ଦ୍ରରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିଲା । ଏହା ପରେ ଅମିତ ଏବଂ ସଞ୍ଜିତ ନାମକ ଦୁଇ ୧୦ମ ଶ୍ରେଣୀରେ ପଢୁଥିବା ଛାତ୍ର ଅଟୋରେ ବସି ଘରକୁ ଫେରୁଥିଲେ । ରାସ୍ତାରେ ସେମାନଙ୍କୁ ଜଣେ ସହପାଠୀ ଅଟକାଇଲା ଏବଂ ପକେଟରୁ ବନ୍ଧୁକ କାଢୁ ଆଖିବୁଜା ଗୁଳି ଚଳାଇଲା । ଗୁଳିମାଡରେ ଦୁଇ ଜଣ ଗୁରୁତର ଥିଲେ । ସେମାନେଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅମିତର ମୃତ୍ୟୁ ହୋଇଥିଲା ।
ପୋଲିସ ପ୍ରାରମ୍ଭିକ ସ୍ତରରେ ଗୁଳିମାଡ କରିଥିବା ୧୦ମ ଛାତ୍ରକୁ ଅଟକ ରଖି ପଚରା ଉଚରା କରିବା ସହ ତାଠାରୁ ବନ୍ଧୁକ ଜବତ କରିଛି । ମାତ୍ର ଗୁଳିମାଡ ପଛର ପ୍ରକୃତ କାରଣ ଏଯାଏଁ ଜଣା ପଡିନି । ତେବେ ବିହାରର ଏ ଘଟଣା ସାଧାରଣରେ ଛନକା ପଶାଇଛି । ଏତେ ଛୋଟ ବେଳୁ ପିଲା କେମିତି ଏତେ ହିଂସ୍ର ହେଉଛନ୍ତି । କଣ ଏହା ପଛର କାରଣ ? ମୋବାଇଲର ଅତ୍ୟଧିକ ବ୍ୟବହାର ନା ଅପରାଧିକ ସିନେମାର ପ୍ରଭାବ ?