ନୂଆଦିଲ୍ଳୀ:ଦିଲ୍ଲୀ ସ୍କୁଲ୍‌କୁ ବାରମ୍ବାର ବୋମା ଧମକ ମିଳିବା ପରେ ଏଥିରେ ସଂପୃକ୍ତି ଥିବା ସନ୍ଦେହ କରି ଦିଲ୍ଲୀ ପୁଲିସ୍‌ ଏବେ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କୁ ଅଟକ ରଖି‌ଛି। ଦିଲ୍ଲୀର ସ୍କୁଲ୍‌କୁ ଅତୀତରେ ବାରମ୍ବାର ବୋମା ଧମକ ମିଳିଥିବା ବେଳେ ପରବର୍ତ୍ତୀ ସମୟରେ ସେଥିରୁ ଅଧିକାଂଶ ମିଥ୍ୟା ବୋଲି ଜଣାପଡ଼ିଛି। 

Advertisment

ପୁଲିସର କହିବା ଅନୁଯାୟୀ, ନାବାଳକ ଜଣକ ଜାତୀୟ ରାଜଧାନୀର ଅତି କମରେ ୨୩ଟି ସ୍କୁଲକୁ ବୋମା ଧମକ ଇମେଲ୍ ପଠାଇଥିଲେ। ପ୍ରତ୍ୟେକ ଘଟଣାରେ, ସନ୍ଦେହ ନ ଉପୁଜିବା ପାଇଁ ବାଳକ ଜଣକ ଅନ୍ୟ ସ୍କୁଲ୍‌କୁ ମେଲ୍‌ରେ ସିସି ରଖୁଥିଲେ ବି କେବେ ବି ନିଜ ସ୍କୁଲ୍‌ର ନାମ ଉଲ୍ଲେଖ କରିନଥିଲେ। 

ତଦନ୍ତ ସମୟରେ ଜଣାପଡିଥିଲା ​​ଯେ ଛାତ୍ର ଜଣକ ସ୍କୁଲ୍‌ ପରୀକ୍ଷାକୁ ଏଡ଼େଇବା ପାଇଁ ଏପରି କରୁଥିଲେ।  ଅଧିକ ବିବରଣୀ ସଂଗ୍ରହ କରିବା ପାଇଁ ଦକ୍ଷିଣ ଦିଲ୍ଲୀ ପୁଲିସ ଏବେ ଛାତ୍ରଙ୍କୁ ପଚରାଉଚରା କରୁଛି।

ପଚରାଉଚରା ସମୟରେ ସେ ସ୍ୱୀକାର କରିଛନ୍ତି ଯେ ସେ ପୂର୍ବରୁ ମଧ୍ୟ ଧମକପୂର୍ଣ୍ଣ ଇମେଲ୍ ପଠାଇଥିଲେ। ଦକ୍ଷିଣ ଦିଲ୍ଲୀର ବରିଷ୍ଠ ପୁଲିସ ଅଧିକାରୀ ଅଙ୍କିତ ଚୌହାନ ଏ ନେଇ ଏଏନ୍ଆଇକୁ ସୂଚନା ଦେଇଛନ୍ତି।

ଗତ କିଛି ମାସ ମଧ୍ୟରେ ଦିଲ୍ଲୀ ସ୍କୁଲ ଏବଂ କଲେଜଗୁଡ଼ିକୁ ଅନେକ ଧମକ ମିଳିଛି, ଯାହା ଆତଙ୍କ ସୃଷ୍ଟି କରିଛି। ସେଗୁଡ଼ିକ ଅଧିକାଂଶ ମିଥ୍ୟା ଥିଲା ବୋଲି ପରେ ଜଣାପଡ଼ିଛି।

ଧମକର ଧାରା ଗତ ବର୍ଷ ଡିସେମ୍ବର ୯ ତାରିଖରେ ଆରମ୍ଭ ହୋଇଥିଲା। ସେତେବେଳେ ୪୦ରୁ ଅଧିକ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା। ପରେ ଡିସେମ୍ବର ୧୩  ଏବଂ ୧୪ରେ ୩୦ରୁ ଅଧିକ ସ୍କୁଲ୍‌କୁ ବୋମା ଧମକ ମିଳିଥିଲା।