ନୂଆଦିଲ୍ଲୀ: ଶନିବାର ଦିନ ଦିଲ୍ଲୀର ପାଲାମ୍‌ ଅଞ୍ଚଳର ପରୀକ୍ଷା କେନ୍ଦ୍ର ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇସାରି ବାହାରକୁ ଆସିଥିବା ଶିକ୍ଷାର୍ଥୀମାନଙ୍କୁ ବାଇକ୍‌ଆରୋହୀ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ।

Advertisment

ଦିଲ୍ଲୀ ପୁଲିସ ନିକଟରେ ଅଭିଯୋଗ କରିଥିବା ଶିକ୍ଷାର୍ଥୀମାନେ କହିଛନ୍ତି ଯେ, ଶନିବାର ଦିନର ଆକ୍ରମଣ ସେମାନଙ୍କ ଉପରେ ପ୍ରଥମ ଆକ୍ରମଣ ନୁହେଁ। ପ୍ରତ୍ୟେକ ପରୀକ୍ଷା ଶେଷ ହେବା ପରେ ଦୁର୍ବୃତ୍ତମାନେ ସେମାନଙ୍କୁ ଆକ୍ରମଣ କରୁଛନ୍ତି।

ସୂଚନାଯୋଗ୍ୟ, ପରୀକ୍ଷା କେନ୍ଦ୍ରଟି ପାଲାମ ଅଞ୍ଚଳରେ ଅବସ୍ଥିତ ଏକ ସରକାରୀ ସ୍କୁଲ୍‌ରେ ପଡ଼ିଛି। ଅଜ୍ଞାତ ଆକ୍ରମଣକାରୀମାନେ ଟେକାପଥର ଓ ବାଡ଼ିରେ ଶିକ୍ଷାର୍ଥୀମାନଙ୍କୁ ଆକ୍ରମଣ କରୁଛନ୍ତି। ଚାଲି ଚାଲି କିଂବା ଇ-ରିକ୍ସାରେ ଆସୁଥିବା ଶିକ୍ଷାର୍ଥୀମାନଙ୍କୁ ଧରି ଆକ୍ରମଣକାରୀମାନେ ମାଡ଼ ମାରୁଥିବାରୁ ସେମାନେ ଆହତ ହୋଇଛନ୍ତି।

ସ୍କୁଲ୍‌ କର୍ତ୍ତୃପକ୍ଷ ଓ ଶିକ୍ଷାର୍ଥୀମାନଙ୍କ ଅଭିଯୋଗ ଆଧାରରେ ପାଲାମ ଥାନାରେ ମାମଲା ରୁଜୁ କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଶିକ୍ଷାର୍ଥୀମାନଙ୍କ ସହିତ ପାଲାମ ଥାନାକୁ ଆସିଥିବା ଅଭିଭାବକମାନେ ବି ଥାନା ବାହାରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିଥିଲେ।

ପାଲାମ୍‌ସ୍ଥିତ ଉକ୍ତ ସରକାରୀ ସ୍କୁଲ୍‌ ଚାରିପାଖରେ ଲାଗିଥିବା ‘ସିସିଟିଭି’ କ୍ୟାମେରାଗୁଡ଼ିକୁ ଯାଞ୍ଚ କରି ଆକ୍ରମଣକାରୀମାନଙ୍କୁ ଚିହ୍ନଟ କରିବା ଲାଗି ପୁଲିସ ଉଦ୍ୟମ କରୁଛି।