ପରୀକ୍ଷା ସ୍ଥଗିତ କରାଇବା ପାଇଁ ଏକାଦଶ ଶ୍ରେଣୀର ଛାତ୍ର ପ୍ରଦ୍ୟୁମ୍ନକୁ ହତ୍ୟା କରିଛି: ସିବିଆଇ

ନୂଆଦିଲ୍ଲୀ: ଗତ ସେପ୍ଟେମ୍ବର ମାସରେ ରିୟାନ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସ୍କୁଲ୍‌ର ୭ ବର୍ଷିୟ ଛାତ୍ର ପ୍ରଦ୍ୟୁମ୍ନକୁ ସେହି ସ୍କୁଲ୍‌ର ଜଣେ ଏକାଦଶ ଶ୍ରେଣୀର ଛାତ୍ର ହତ୍ୟା କରିଥିବା କଥା ଆଜି ସିବିଆଇ ଘୋଷଣା କରିଛି। ସ୍କୁଲ୍‌ ପରିସରରେ ଏ ଭଳି କାଣ୍ଡ ଘଟିଲେ ଆଗାମୀ ପରୀକ୍ଷା ଏବଂ ଅଭିଭାବକ-ଶିକ୍ଷକ ବୈଠକ ସ୍ଥଗିତ ହେବ ବୋଲି ସେ ଆଶା କରିଥିଲା।

ସିବିଆଇ କହିଛି ରିୟାନ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସ୍କୁଲ୍‌ର ଏକାଦଶ ଶ୍ରେଣୀର ଛାତ୍ରଙ୍କୁ ଗତ ରାତିରେ ଗିରଫ କରାଯାଇଥିଲା। ତାକୁ ୧୬ ବର୍ଷ ବୋଲି କୁହାଯାଉଛି।

ଗୁରୁଗ୍ରାମ ପୁଲିସ ଠାରୁ ସେପ୍ଟେମ୍ବର ୨୨ ତାରିଖ ଦିନ ମାମଲା ଗ୍ରହଣ କରିଥିବା ସିବିଆଇ ଆଜି କହିଛି ଯେ ହତ୍ୟାରେ ବସ୍‌ କଣ୍ଡକ୍ଟର୍‌ ଅଶୋକ କୁମାରଙ୍କର କୌଣସି ଭୂମିକା ନ ଥିଲା। ଏ କଥା ତାଙ୍କର ପରିବାର ଏବଂ ବନ୍ଧୁବାନ୍ଧବ ତଦନ୍ତ ସମୟରେ କହି ଆସୁଥିଲେ।

ତଦନ୍ତକାରୀ ଏଜେନ୍‌ସି କହିଛି ଯେ ସିସିଟିଭି ଫୁଟେଜ୍‌ ଆଧାରରେ ଗିରଫ ହୋଇଥିବା ଏକଦଶ ଶ୍ରେଣୀର ଛାତ୍ରଙ୍କୁ ପଚରା ଉଚୁରା କରାଯାଇଥିଲା। ପ୍ରଦ୍ୟୁମ୍ନ ଶବ ମିଳିଥିବା ବାଥ୍‌ ରୁମ୍‌ ଭିତରୁ ସେ ବାହାରି ଆସୁଥିବାର ଛବି ଫୁଟେଜ୍‌ରେ ଦେଖା ଯାଇଥିଲା।

ଆଜି ସେ କିଶୋର ଛାତ୍ରକୁ ଜୁଭେନାଇଲ୍‌ କୋର୍ଟରେ ହାଜର କରାଯିବ ବୋଲି ସିବିଆଇ କହିଛି। ତାକୁ ହାଜତକୁ ନେବା ପରେ ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ର, ଅପରାଧର ଯୋଜନ ଏବଂ ଉଦ୍ଦେଶ୍ୟ ବିଷୟରେ ଅଧିକ ପଚରା ଉଚୁରା କରାଯିବ।

ସମ୍ବନ୍ଧିତ ଖବର