ନୂଆଦିଲ୍ଲୀ: ଭାରତ ସମେତ ବିଶ୍ବର ୩୩ଟି ରାଷ୍ଟ୍ରରେ ଏବେ କରୋନା ସଂକ୍ରମଣ ବଢ଼ୁଛି। ଏକ୍ସବିବି.୧.୧୬ ପ୍ରଜାତି ପାଇଁ ଏବେ ସଂକ୍ରମଣ ବଢ଼ୁଥିବା ନେଇ କେତେକ ଗବେଷଣା ରିପୋର୍ଟ ପ୍ରକାଶ ପାଇବା ପରେ ଗତକାଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଏହି ପ୍ରଜାତିକୁ ଭାରିଆଣ୍ଟ୍‌ ଅଫ୍‌ ଇଣ୍ଟ୍‌ରେଷ୍ଟ (ଭିଓଆଇ) ଶ୍ରେଣୀଭୁକ୍ତ କରିଛି। ଭାରିଆଣ୍ଟ୍‌ ଅଫ୍‌ ଇଣ୍ଟ୍‌ରେଷ୍ଟ ଶ୍ରେଣୀଭୁକ୍ତ ହୋଇଥିବା ଭୂତାଣୁ କିସମ ଉପରେ ଅଧିକ ଗ‌ବେଷଣା ହୋଇଥାଏ ଏବଂ ଏହା ଉପରେ ବିଶ୍ବବ୍ୟାପୀ ସତର୍କ ନଜର ରଖାଯାଏ। କୌଣସି କରୋନା ପ୍ରଜାତିକୁ ଉଦ୍‌ବେଜନକ ବୋଲି ଘୋଷଣା କରାଯିବା ପୂର୍ବରୁ ଏହାକୁ ‘ଭିଓଆଇ’ ଶ୍ରେଣୀଭୁକ୍ତ କରାଯାଇଥାଏ। ଏକ୍ସବିବି.୧.୧୬ ଏକ୍ସବିବିର ହିଁ ଏକ ପରିବର୍ତ୍ତିତ ରୂପ। ଏକ୍ସବିବି ଦୁଇଟି ବିଏ.୨ କିସମ ସହ ମିଶ୍ରଣ ହେବା ପରେ ଏହି ପ୍ରଜାତିର ରୂପ ନେଇଛି।
ସୂଚନାଯୋଗ୍ୟ, ଏକ୍ସବିବି.୧.୧୬ ପ୍ରଜାତିର ପ୍ରଥମ ମାମଲା ଚଳିତ ବର୍ଷ ୯ ଜାନୁଆରିରେ ସାମ୍ନାକୁ ଆସିଥିଲା।

Advertisment

ଏହାକୁ ୨୨ ମାର୍ଚରେ ଏହାକୁ ଭାରିଆଣ୍ଟ ଅଣ୍ଡର ମନିଟରିଂ (ଭିୟୁଏମ୍‌) ଶ୍ରେଣୀରେ ରଖାଯାଇଥିଲା। ଏବେ ୩୩ଟି ରାଷ୍ଟ୍ରରେ ଏହି କିସମ ଦ୍ରୁତ ସଂକ୍ରମଣ ଘଟାଉଥିବା ଜଣାପଡ଼ିବା ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ଭାରିଆଣ୍ଟ୍‌ ଅଫ୍‌ ଇଣ୍ଟ୍‌ରେଷ୍ଟ ଶ୍ରେଣୀଭୁକ୍ତ କରିବା ସହ ସମସ୍ତ ରାଷ୍ଟ୍ର ଏହାକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି। ଦକ୍ଷିଣ ଏସିଆରେ ଏବେ କରୋନାର ଏହି କିସମ ସଂକ୍ରମଣକୁ କ୍ଷୀପ୍ର କରୁଥିବା କେତେକ ଆକଳନରୁ ଜଣାପଡ଼ିଛି। ବିଶ୍ବବ୍ୟାପୀ କରୋନା ସଂକ୍ରମଣ ୩ ବର୍ଷ ଧରି ଆତଙ୍କ ସୃଷ୍ଟି କରିଛି । ଭାଇରସ୍‌ର ମ୍ୟୁଟେସନ ଏବଂ ନୂଆ ଷ୍ଟ୍ରେନ୍‌ ଚିନ୍ତା ବଢ଼ାଉଛି। ଏକ୍ସବିବି.୧.୧୬ ପ୍ରଜାତିକୁ ନେଇ ଏବେ ହୁ ଗବେଷଣା ଜାରି ରଖିଥିବା ବେଳେ ଆଗକୁ ଏ ବାବଦରେ ବିସ୍ତୃତ ତଥ୍ୟ ଜାରି ହେବ ବୋଲି ଜଣାପଡ଼ିଛି। ଭାରତରେ ଗତ ୨୪ ଘଣ୍ଟାରେ ୧୦ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୭,୮୦୬ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ୨୯ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ସଂକ୍ରମଣ ହାର ଅଧିକ ରହିଛି।