ପାଟନା (ବିହାର): ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ବ୍ୟାପକ ଉନ୍ନତି ସହ ପରିବର୍ତ୍ତନ ଆଣିବା ପାଇଁ ଏବେ ଉଭୟ କେନ୍ଦ୍ର ସରକାରଙ୍କ ସମେତ ସମସ୍ତ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଆରୋପ କରୁଛନ୍ତି ବୋଲି ବ୍ୟାପକ ପ୍ରଚାର ଚାଲିଛି। ହେଲେ, ବିହାରର ରାଜଧାନୀ ପାଟନା ଠାରୁ ମାତ୍ର ୨୪୦ କିଲୋମିଟର ଦୂର ମାଧେପୁରାରେ ରହିଥିବା ସରକାରୀ ଡାକ୍ତରଖାନାର ଦୃଶ୍ୟକୁ ଦେଖିଲେ ସ୍ୱାସ୍ଥ୍ୟସେବା ଏକ ପ୍ରହସନ ପାଲଟିବା ସହ ସରକାରଙ୍କର ପ୍ରଚାର ଓ ବାସ୍ତବତା ମଧ୍ୟରେ ଚିଲିକା ଏପାରି ସେପାରିର ଦୂରତ୍ୱ ରହିଥିବା ସ୍ପଷ୍ଟ ପ୍ରତୀୟମାନ ହେଉଛି।

Advertisment

୮୦ ଶଯ୍ୟା ବିଶିଷ୍ଟ ଏହି ସରକାରୀ ଡାକ୍ତରଖାନାରେ ଏବେ ରୋଗୀଙ୍କ ଚିକିତ୍ସା କରୁଛନ୍ତି ଡାକ୍ତରଖାନାର ଚତୁର୍ଥ ଶ୍ରେଣୀ ସଫେଇ କର୍ମଚାରୀ। ସେମାନେ ହସପିଟାଲରେ ରୋଗୀଙ୍କର ଷ୍ଟିଚ୍‌ ପକାଇବା ସହ ସେମାନଙ୍କୁ ଜୀବନ ରକ୍ଷାକାରୀ ଇଞ୍ଜେକସନ୍‌ ଠାରୁ ଆରମ୍ଭ କରି ସାଲାଇନ୍‌ ଓ ରକ୍ତ ପ୍ରଭୃତି ସବୁକିଛି ଦେଉଛନ୍ତି। ଏହି ସରକାରୀ ଡାକ୍ତରଖାନାରେ ୩୪୪ଜଣ ପାରା ମେଡିକାଲ କର୍ମଚାରୀ ପଦବୀ ରହିଥିବା ବେଳେ ଏବେ ଅଛନ୍ତି ମାତ୍ର ୬୪ ଜଣ ପାରା ମେଡିକାଲ କର୍ମଚାରୀ। ସେହିପରି ୮୦ ଶଯ୍ୟା ବିଶିଷ୍ଟ ଏହି ସରକାରୀ ଡାକ୍ତରଖାନାରେ ବିଭିନ୍ନ ଗୁରୁତର ରୋଗରେ ପୀଡ଼ିତ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଶତାଧିକ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଅଛନ୍ତି ମାତ୍ର ୧୯ ଜଣ ଡାକ୍ତର।
ଡାକ୍ତରଖାନାର ଏ ଅବ୍ୟବସ୍ଥାକୁ ମଧ୍ୟ ସ୍ୱୀକାର କରିଛନ୍ତି ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ଅଖିଲେଶ କୁମାର। ଡାକ୍ତର କୁମାର କହିଛନ୍ତି ଯେ ଏହି ଡାକ୍ତରଖାନାକୁ ପ୍ରତ୍ୟେକ ଦିନ ୭୦୦ରୁ ୮୦୦ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ହେଲେ, ଏଠାରେ ଆବଶ୍ୟକ ସଂଖ୍ୟକ ଡାକ୍ତର କିମ୍ବା ଅନ୍ୟ ପାରା ମେଡିକାଲ କର୍ମଚାରୀ ନାହାନ୍ତି। ଏତେବଡ଼ ଡାକ୍ତଖାନାରେ ଶୈଲ୍ୟ (ସର୍ଜରୀ) ବିଭାଗରେ ଜଣେ ହେଲେ ଡାକ୍ତର ନାହାନ୍ତି। ଏସଂପର୍କରେ ଆମେ ସରକାରଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ସରକାର ନିଦାବିଷ୍ଣୁ ସାଜି ବସିଛନ୍ତି। ଏ ପରସ୍ଥିତିରେ ଆମେ ଆଉ ଅଧିକାଟା ବା କରିବୁ କ’ଣ?

ଏହି ଡାକ୍ତରଖାନାରେ ଦୁର୍ଘଟଣାରେ ଆହତ ରୋଗୀମାନଙ୍କର ଷ୍ଟିଚ୍‌ ପକାଉଥିବା ଚତୁର୍ଥ ଶ୍ରେଣୀ ସଫେଇ କର୍ମଚାରୀ କହିଛନ୍ତି ଯେ ଗୁରୁତର ଅବସ୍ଥାରେ ଅସୁଥିବା ରୋଗୀଙ୍କୁ ଆମେ ତ ଆଉ ବିନା ଚିକିତ୍ସାରେ ଫେରାଇ ଦେଇ ପାରିବୁ ନାହିଁ! ସେଥିପାଇଁ ଆମେ ସେମାନଙ୍କ ଷ୍ଟିଚ୍‌ ପକାଇବା ସହ ଇଞ୍ଜେକସନ୍‌, ରକ୍ତ, ସାଲାଇନ୍‌ ଯାହା କିଛି ବି ଆବଶ୍ୟକ, ସେସବୁ ଦେଇ ସେମାନଙ୍କ ଚିକିତ୍ସା କରୁଛୁ।