ଥନବର୍ଗଙ୍କ ‘ଟୁଲ୍‌କିଟ୍‌’ ସମ୍ପାଦନା କରିଥିବା ଜଳବାୟୁ କର୍ମୀ ଦିଶା ରବି ଗିରଫ

ବେଙ୍ଗାଲୁରୁ : ନୂତନ କୃଷି ଆଇନକୁ ବିରୋଧ କରି ଭାରତରେ ଜାରି ରହିଥିବା ଚାଷୀ ଆନ୍ଦୋଳନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆନ୍ତର୍ଜାତିକ ନାବାଳିକା ଜଳବାୟୁ କର୍ମୀ ଗ୍ରେଟା ଥନବର୍ଗ ସାମାଜିକ ଗଣମାଧ୍ୟମରେ ଛାଡ଼ିଥିବା ଟୁଲ୍‌କିଟ୍‌ ସହ ଜଡ଼ିତ ବେଙ୍ଗାଲୁରୁର ଯୁବ ଜଳବାୟୁ କର୍ମୀ ଦିଶା ରବି(୨୧)ଙ୍କୁ ଦିଲ୍ଲୀ ପୁଲିସ ଶନିବାର ଗିରଫ କରିଛି। ଥନବର୍ଗ ପ୍ରଥମେ ପୋଷ୍ଟ କରିଥିବା ଉକ୍ତ ପାଵାର ପଏଣ୍ଟ୍‌ ପ୍ରଦର୍ଶନ ଭିତ୍ତିକ ଟୁଲ୍‌କିଟ୍‌କୁ ସମ୍ପାଦନା କରି ଦିଶା ପୁଣି ପ୍ରସାରିତ କରିଥିବା ଅଭିଯୋଗ ହୋଇଛି। ଏହା ପଛରେ ଭାରତ ସରକାରଙ୍କ ବିରୋଧରେ ଷଡ଼ଯନ୍ତ୍ର ରହିଥିଲା ଏବଂ ଖଲିସ୍ଥାନୀ ଆନ୍ଦୋଳନକାରୀ ଏହା ପଛରେ ଥିବା ପୁଲିସ କହିଛି। ଗିରଫ ପରେ ଦିଶାଙ୍କୁ ଆଜି ଦିଲ୍ଲୀର ପଟିଆଲା କୋର୍ଟରେ ହାଜର କରାଯାଇଥିବା ବେଳେ ପୁଲିସ ତାଙ୍କୁ ୫ ଦିନ ପାଇଁ ରିମାଣ୍ଡ୍‌ରେ ନେଇଛି। ଆଜି କୋର୍ଟରେ ଦିଶା କାନ୍ଦି ପକାଇବା ସହ ସେ କୃଷକମାନଙ୍କ ଆନ୍ଦୋଳନକୁ କେବଳ ସମର୍ଥନ କରିବା ଲାଗି ଉକ୍ତ ଟୁଲ୍‌କିଟ୍‌ର ମାତ୍ର ଦୁଇଟି ଧାଡ଼ି ସମ୍ପାଦନା କରିଥିଲେ ବୋଲି କହିଥିଲେ।

ସ୍ଥାନୀୟ ମାଉଣ୍ଟ୍‌ କାର୍ମେଲ୍‌ କଲେଜରୁ ସ୍ନାତକ ଡିଗ୍ରି ହାସଲ କରିଥିବା ଦିଶା ‘ଫ୍ରାଇଡେଜ୍‌ ଫର୍‌ ଫ୍ୟୁଚର’ ନାମକ ଅନ୍ତର୍ଜାତୀୟ ଆନ୍ଦୋଳନ ସହ ଜଡ଼ିତ ବୋଲି ଜଣାଯାଇଛି। ବିଶେଷ କରି ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ଆନ୍ଦୋଳନରେ ବିଦ୍ୟାର୍ଥୀମାନେ ରାଜନେତାମାନଙ୍କୁ ଜଳବାୟୁ ପରିବର୍ତ୍ତନ ପାଇଁ ପଦକ୍ଷେପ ନେବାକୁ ବାଧ୍ୟ କରିବା ଲାଗି ଶୁକ୍ରବାର ପାଠପଢ଼ା ଛାଡ଼ି ବିକ୍ଷୋଭରେ ଯୋଗ ଦେଇଥାନ୍ତି।

ସମ୍ବନ୍ଧିତ ଖବର