ନୂଆଦିଲ୍ଲୀ: ‘ଆଇପିଇ ଗ୍ଲୋବାଲ୍‌’ ଓ ‘ଏସ୍ରି ଇଣ୍ଡିଆ’ର ଏକ ଅଧ୍ୟୟନ ରିପୋର୍ଟରେ କୁହାଯାଇଛି ଯେ ଜଳବାୟୁ ପରିବର୍ତ୍ତନ ସମଗ୍ର ଭାରତରେ ଅତ୍ୟଧିକ ଗ୍ରୀଷ୍ମ ଓ ବୃଷ୍ଟିପାତ ଘଟଣାକୁ ବ୍ୟାପକ ଭାବେ ବୃଦ୍ଧି କରିବ ଏବଂ ୨୦୩୦ ସୁଦ୍ଧା ଅଧିକାଂଶ ମହାନଗରରେ ଗ୍ରୀଷ୍ମପ୍ରବାହ ଦିନସଂଖ୍ୟା ଦ୍ୱିଗୁଣିତ ହେବାର ସମ୍ଭାବନା ରହିଛି। ୧୯୮୦ ତୁଳନାରେ ୨୦୩୦ ସୁଦ୍ଧା ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ସୁରଟ, ଥାନେ, ହାଇଦ୍ରାବାଦ, ପାଟନା ଓ ଭୁବନେଶ୍ୱର ଭଳି ସହରରେ ଗ୍ରୀଷ୍ମପ୍ରବାହ ଦିନସଂଖ୍ୟା ଦୁଇଗୁଣ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ୨୦୩୦ ସୁଦ୍ଧା ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମଗ୍ର ଭାରତରେ ଅତ୍ୟଧିକ ବୃଷ୍ଟିପାତର ତୀବ୍ରତା ୪୩% ବୃଦ୍ଧି ପାଇବ ଏବଂ ଦେଶ ଅଧିକ ଗରମ ଓ ଆର୍ଦ୍ର ହୋଇଯିବ ବୋଲି ରିପୋର୍ଟରେ କୁହାଯାଇଛି। 

Advertisment

ଏହି ସମୟ ସୁଦ୍ଧା ଭାରତର ଅଧିକାଂଶ ଜିଲ୍ଲାରେ ଲଗାଣ ଓ ଅନିୟମିତ ବୃଷ୍ଟିପାତର ଏକାଧିକ ଉଦାହରଣ ଦେଖିବାକୁ ମିଳିବ। ଗତ ତିନି ଦଶନ୍ଧି (୧୯୯୩ରୁ ୨୦୨୪) ମଧ୍ୟରେ ଭାରତରେ ମାର୍ଚ୍ଚ-ଏପ୍ରିଲ-ମେ ଏବଂ ଜୁନ୍-ଜୁଲାଇ-ଅଗଷ୍ଟ-ସେପ୍ଟେମ୍ବର ମାସରେ ପ୍ରବଳ ଗ୍ରୀଷ୍ମପ୍ରବାହ ଦିନସଂଖ୍ୟା ୧୫ ଗୁଣ ବୃଦ୍ଧି ପାଇଛି। ଚିନ୍ତାର ବିଷୟ ହେଉଛି, କେବଳ ଗତ ଦଶନ୍ଧିରେ ପ୍ରବଳ ଗ୍ରୀଷ୍ମପ୍ରବାହ ଦିନରେ ୧୯ ଗୁଣ ବୃଦ୍ଧି ଘଟିଛି। ଭାରତରେ ମୌସୁମୀ ଋତୁରେ ଅଣବର୍ଷା ଦିନ ବ୍ୟତୀତ ଗ୍ରୀଷ୍ମଋତୁ ଭଳି ଅବସ୍ଥା ଦେଖିବାକୁ ମିଳୁଛି। ଗୁଜରାଟ, ରାଜସ୍ଥାନ, ତାମିଲନାଡୁ, ଓଡ଼ିଶା, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ମେଘାଳୟ ଓ ମଣିପୁରର ୭୫ ପ୍ରତିଶତରୁ ଅଧିକ ଜିଲ୍ଲାରେ ୨୦୩୦ ସୁଦ୍ଧା ଗ୍ରୀଷ୍ମତାପଜନିତ ଅନିୟମିତତା ଓ ଲଗାଣ ବର୍ଷାର ଦ୍ୱିଗୁଣିତ ଝଟକା ଅନୁଭୂତ ହେବ ବୋଲି ରିପୋର୍ଟରେ କୁହାଯାଇଛି।  

ଗତ ଗ୍ରୀଷ୍ମ ଋତୁରେ ଭାରତରେ ବହୁ ଦିନ ଧରି ଗ୍ରୀଷ୍ମ ପ୍ରବାହ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା, ଯେଉଁଥିରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ଏବଂ ହଜାର ହଜାର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଥିଲା। ୨୦୩୦ ସୁଦ୍ଧା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗ୍ରୀଷ୍ମ ଋତୁର ପ୍ରକୋପ ପ୍ରାୟ ୬୯ ପ୍ରତିଶତ ରହିବ। ୨୦୪୦ ସୁଦ୍ଧା ଏହା ଆହୁରି ବୃଦ୍ଧି ପାଇ ୭୯ ପ୍ରତିଶତରେ ପହଞ୍ଚିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ‘ଆଇପିଇ ଗ୍ଲୋବାଲ୍‌’ର ଜଳବାୟୁ ପରିବର୍ତ୍ତନ ମୁଖ୍ୟ ତଥା ଅଧ୍ୟୟନର ମୁଖ୍ୟ ଲେଖକ ଅବିନାଶ ମହାନ୍ତି ତୁରନ୍ତ ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ଏଲ୍ ନିନୋ ଓ ଲା ନିନା ଭଳି ପାଣିପାଗ ସ୍ଥିତି ଅଧିକ ଶକ୍ତିଶାଳୀ ହେବ। ଯାହା ଫଳରେ ବନ୍ୟା, ବାତ୍ୟା, ଝଡ଼ତୋଫାନ ଓ ଅତ୍ୟଧିକ ଗରମ ଭଳି ଜଳବାୟୁ ସମସ୍ୟାରେ ହଠାତ୍ ବୃଦ୍ଧି ଘଟିବ। ତେଣୁ ଭାରତୀୟ କୃଷି, ଶିଳ୍ପ ଓ ବୃହତ୍ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ଜଳବାୟୁ ପରିବର୍ତ୍ତନର ଅନିୟମିତତାରୁ ରକ୍ଷା କରିବା ପାଇଁ ଅତ୍ୟଧିକ ବିପଦ ଆକଳନ ଗ୍ରହଣ କରିବା ଏବଂ ଜଳବାୟୁ ବିପଦ ପର୍ଯ୍ୟବେକ୍ଷଣାଗାର ପ୍ରତିଷ୍ଠା କରିବା ଏକ ଜାତୀୟ ଆବଶ୍ୟକତା ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଦିଲ୍ଲୀରେ ୪୫ ଡିଗ୍ରି ତାତି

ନୂଆଦିଲ୍ଲୀ: ଭାରତରେ ହଠାତ୍‌ ପାଣିପାଗରେ ଅସ୍ବାଭାବିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଜାତୀୟ ରାଜଧାନୀ ଅଞ୍ଚଳରେ ଆଜି ତାପମାତ୍ରା ୪୫ ଡିଗ୍ରି ଉପରେ ପହଞ୍ଚିଥିବା ବେଳେ ଲୋକେ ପ୍ରବଳ ଗରମରେ ଆଉଟୁପାଉଟୁ ହୋଇଥିଲେ। ଆସନ୍ତାକାଲି ମଧ୍ୟ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି। ସମଗ୍ର ଉତ୍ତର ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହି ରହିଛି ଏବଂ ସପ୍ତାହକ ମଧ୍ୟରେ ସାରା ଦେଶରେ ତାପମାତ୍ରା ୮ରୁ ୧୩ ଡିଗ୍ରି ସେଲ୍‌ସିୟସ ବୃଦ୍ଧି ପାଇଛି। ଗତକାଲି ପଞ୍ଜାବର ଭଟିଣ୍ଡା ୪୭.୬ ଡିଗ୍ରି ତାପମାତ୍ରା ସହ ଦେଶର ସବୁଠାରୁ ଉତ୍ତପ୍ତ ସ୍ଥାନରେ ରହିଥିଲା।