ନୂଆଦିଲ୍ଲୀ: ବିଶ୍ବତାପନ ଓ ପାଣିପାଗ ପରିବର୍ତ୍ତନ ଶିକାର ହେଉଛି ଭାରତ। ୨୦୨୫ରେ ଗତ ଛଅ ମାସ ମଧ୍ୟରେ ସମଗ୍ର ଭାରତରେ ଜଳବାୟୁ ଢାଞ୍ଚାରେ ଏକ ଅସ୍ୱାଭାବିକ ପରିବର୍ତ୍ତନ ଆସିଛି, ଯାହାର ସବୁଠାରୁ ଦୃଶ୍ୟମାନ ପ୍ରଭାବ କୃଷି କ୍ଷେତ୍ରରେ ଦେଖିବାକୁ ମିଳିଛି। ଜଳବାୟୁ ପରିବର୍ତ୍ତନର ଶିକାର ହେଉଛନ୍ତି ଭାରତ ସମେତ ସାରା ବିଶ୍ୱର କୃଷକ। ଚଳିତ ବର୍ଷ ମେ ମାସରେ ଅଦିନିଆ ବର୍ଷା ଦକ୍ଷିଣ ଓ ପଶ୍ଚିମ ଭାରତରେ ବିପର୍ଯ୍ୟୟ ସୃଷ୍ଟି କରିଥିଲା, ଫସଲ ନଷ୍ଟ କରିଥିଲା ଏବଂ ଖାଦ୍ୟ ମୁଦ୍ରାସ୍ଫୀତି ବୃଦ୍ଧିରେ ସହାୟକ ହୋଇଥିଲା। ଜଳବାୟୁ ପରିବର୍ତ୍ତନ ଉପରେ ଅନ୍ତଃସରକାରୀ ପ୍ୟାନେଲ୍‌ (ଆଇପିସିସି) ଏହାର ଷଷ୍ଠ ଆକଳନ ରିପୋର୍ଟରେ ପୂର୍ବାନୁମାନ କରିଛି ଯେ ଜଳବାୟୁ ପରିବର୍ତ୍ତନ ବିଶ୍ୱ ଫସଲ ଅମଳ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି।

Advertisment

ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ ବର୍ତ୍ତମାନ ବିଶ୍ୱର ୨୨% ଗ୍ରିନ୍‌ ହାଉସ୍ ଗ୍ୟାସ୍ ନିର୍ଗମନ କୃଷି, ଜଙ୍ଗଲ ଓ ଜମି ବ୍ୟବହାରରୁ ଆସିଥାଏ। ତେଣୁ ଜଳବାୟୁ ପରିବର୍ତ୍ତନରେ କୃଷିର ଯେତିକି ଅବଦାନ ରହିଛି ଏବଂ ଏହା ସେତିକି ତାହାର ଶିକାର ବି ହେଉଛି। ୨୦୨୪-୨୫ ପାଇଁ ଭାରତର ଅର୍ଥନୈତିକ ସର୍ବେକ୍ଷଣରେ ଖାଦ୍ୟ ମୁଦ୍ରାସ୍ଫୀତି ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ଗୁରୁତ୍ୱାରୋପ କରାଯାଇଛି। ଘୂର୍ଣ୍ଣିବଳୟ ବୃଦ୍ଧି ଯୋଗୁଁ ସମଗ୍ର ଦେଶରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ଅଦିନିଆ ବର୍ଷା ଓ ପ୍ରବଳ ଗରମ ଚାଷୀଙ୍କୁ ହଇରାଣ କରିଛି। ମାର୍ଚ୍ଚ ମାସରେ ହରିୟାଣାରେ କୁଆପଥର ବର୍ଷା ଯୋଗୁଁ ସୋରିଷ ଓ ସୂର୍ଯ୍ୟମୁଖୀ ଫସଲ କ୍ଷତିଗ୍ରସ୍ତ ହୋଇଥିଲା, ଯାହା ତୈଳବୀଜ ଉତ୍ପାଦନକୁ ଗୁରୁତର ଭାବେ ପ୍ରଭାବିତ କରିଥିଲା। ଟମାଟୋ, ପିଆଜ ଓ ଆଳୁ ଫସଲ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶେଷ ଭାବରେ ପ୍ରଭାବିତ ହୋଇଛି। ମେ ମାସରେ ଅନିୟମିତ ବୃଷ୍ଟିପାତ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ଭଳି ପ୍ରମୁଖ ଉତ୍ପାଦନକାରୀ ରାଜ୍ୟକୁ ପ୍ରଭାବିତ କରିଥିଲା।

ଏହା ଫଳରେ ଟମାଟୋ ଦର ଦ୍ୱିଗୁଣିତ ହୋଇଛି ଏବଂ ଆଗାମୀ ସପ୍ତାହରେ ପିଆଜ ଦର ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହି କ୍ଷୟକ୍ଷତି କେବଳ ଫସଲରେ ସୀମିତ ନୁହେଁ, ବରଂ ଖାଦ୍ୟ ଯୋଗାଣ ଶୃଙ୍ଖଳକୁ ମଧ୍ୟ ଏହା ପ୍ରଭାବିତ କରିଛି। ଅପ୍ରତ୍ୟାଶିତ ବୃଷ୍ଟିପାତ ଯୋଗୁଁ ହଠାତ୍ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୁଏ, ଯାହା ଦରକୁ ଆହୁରି ଅଧିକ ବଢ଼ାଇଥାଏ ଓ ଅସ୍ଥିରତା ସୃଷ୍ଟି କରିଥାଏ। କ୍ଷତିଗ୍ରସ୍ତ ରାସ୍ତା ସହ ପର୍ଯ୍ୟାପ୍ତ ଭଣ୍ଡାରଣ ସୁବିଧା ନ ଥିବାରୁ ସ୍ଥିତି ଆହୁରି ଖରାପ ହୋଇଛି। ଗରମ ଜଳବାୟୁରେ କେତେକ କୀଟ ବଢ଼ିବା ସହ ଅଧିକ ଫସଲ ନଷ୍ଟ ହେଉଛି। ନିତି ଆୟୋଗର ସଦସ୍ୟ ରମେଶ ଚାନ୍ଦ ‘ଜଳବାୟୁ ସହନଶୀଳ କୃଷି ପାଇଁ ଉଦ୍ଭାବନ’ ଶୀର୍ଷକ ଏକ ସମ୍ମିଳନୀରେ ଉଲ୍ଲେଖ କରିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆସନ୍ତା ୩୦ ବର୍ଷ ମଧ୍ୟରେ ଗହମ ଉତ୍ପାଦନ ୪% ହ୍ରାସ ପାଇବ। କେବଳ ଖାଦ୍ୟ ଶସ୍ୟ ନୁହେଁ, ଏହା ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ମଧ୍ୟ ବିପଦରେ ପଡ଼ିଛି। ଏଣୁ କୃଷିକୁ ସମସ୍ତ ବୈଶ୍ୱିକ ଚୁକ୍ତି ଓ ନୀତିରେ ପ୍ରାଥମିକତା ଦିଆଯିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।