ନୂଆଦିଲ୍ଲୀ : ଜଳବାୟୁ ପରିବର୍ତ୍ତନ ଯୋଗୁଁ ହିଁ ଭାରତରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ବଢିଚାଲିଛି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି ।
ଏକ ଅଟକଳ ଅନୁସାରେ ୨୦୨୦-୨୧ରେ ଭାରତରେ ୧୯ ନିୟୁତ ଥର ବଜ୍ରପାତ ହୋଇଥିଲା, ଯାହାକି ପୂର୍ବ ବର୍ଷ ତୁଳନାରେ ୩୦ ପ୍ରତିଶତ ଅଧିକ । ବଜ୍ରପାତ ସଂଖ୍ୟା ବଢୁଥିବାରୁ ଅଧିକରୁ ଅଧିକ ଲୋକ ଏହାର ଶିକାର ହେଉଛନ୍ତି । କେବଳ ମଣିଷ ନୁହେଁ, ପଶୁପକ୍ଷୀ ବି ଏହାର ଶିକାର ହେଉଛନ୍ତି । ଭାରତରେ ଗତ କିଛି ବର୍ଷ ହେଲା ବାର୍ଷିକ ହାରାହାରି ୨୫୦୦ ଲୋକ ବଜ୍ରପାତ ଯୋଗୁଁ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଆମେରିକାରେ ଏହି ସଂଖ୍ୟା ମାତ୍ର ୪୫ ରହିଛି ।
ଲାଇଟନିଂ ରେଜିଲିଏଣ୍ଟ ଇଣ୍ଡିଆ କ୍ୟାମ୍ପେନର ସଂଜୟ ଶ୍ରୀବାସ୍ତବ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ବ ତାପନ ଫଳରେ ଭାରତରେ ବଜ୍ରପାତ ସଂଖ୍ୟା ବଢିଚାଲିଛି । ବିଶ୍ବ ତାପନ ଯୋଗୁଁ ଭୂପୃଷ୍ଠ ଗରମ ରହୁଛି ଓ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ରହୁଛି । ଏହା ବଜ୍ରପାତ ବଢିବାର କାରଣ ବୋଲି ସେ କହିଛନ୍ତି । ତେବେ ଶ୍ରୀବାସ୍ତବ କହିଛନ୍ତି ଯେ ଭାରତରେ ହେଉଥିବା ଅଧିକାଂଶ ବଜ୍ରପାତ ଜନିତ ମୃତ୍ୟୁକୁ ଏଡାଇଦେଇ ହେବ । କିନ୍ତୁ ସମସ୍ୟା ହେଉଛି ଦେଶର ଅଧିକାଂଶ କୋଠାରେ ଲାଇଟିଂ ରଡ୍ (ଆର୍ଥିଂ) ନାହିଁ ।