ନୂଆଦିଲ୍ଲୀ: ଜଳବାୟୁ ସଙ୍କଟ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବ୍ୟବସାୟିକ ସଂସ୍ଥା ପର୍ଯ୍ୟନ୍ତ କେହି ଏଥିରୁ ନିସ୍ତାର ପାଇନାହାନ୍ତି। ବିଶ୍ବବ୍ୟାଙ୍କର ଏକ ରିପୋର୍ଟ ଅନୁସାରେ ଗତ ପାଞ୍ଚ ବର୍ଷ ମଧ୍ୟରେ ୬୦ ପ୍ରତିଶତରୁ ଅଧିକ ପରିବାର ଓ ସଂସ୍ଥା ଜଳବାୟୁଜନିତ ଚରମ ଘଟଣାର ପ୍ରଭାବକୁ ଅନୁଭବ କରିଛନ୍ତି। ଆସନ୍ତା ଦଶନ୍ଧିରେ ଏଭଳି ଘଟଣା ଦ୍ବାରା ୭୫ ପ୍ରତିଶତରୁ ଅଧିକ ପରିବାର ଓ ସଂସ୍ଥା ପ୍ରଭାବିତ ହେବେ। 

Advertisment

ବିଶ୍ବବ୍ୟାଙ୍କର ଆକଳନ

ଗ୍ରୀଷ୍ମ ପ୍ରବାହ ଚରମସୀମାରେ ପହଞ୍ଚିବ
ପ୍ରତି ୫ ଜଣରେ ଜଣେ ବନ୍ୟା ଦ୍ବାରା ପ୍ରଭାବିତ ହେବେ
ଚାଷୀ ପରିବାର ଅଧିକ କ୍ଷତି ସହିବେ

ବିଶ୍ବବ୍ୟାଙ୍କ ଜଣାଇଛି ‌ଯେ ଦକ୍ଷିଣ ଏସିଆରେ ୯୦ ପ୍ରତିଶତରୁ ଅଧିକ ଲୋକ ଜଳବାୟୁ ଘଟଣା ଦ୍ବାରା ବହୁଳ ଭାବେ ପ୍ରଭାବିତ ହେବେ। ଗ୍ରୀଷ୍ମ ପ୍ରବାହ ଚରମସୀମାରେ ପହଞ୍ଚିବ ଏବଂ ୨୦୩୦ ସୁଦ୍ଧା ପ୍ରତି ପାଞ୍ଚ ଜଣରୁ ଜଣେ ବନ୍ୟା ଦ୍ବାରା କ୍ଷତିଗ୍ରସ୍ତ ହେବେ। ଆସନ୍ତା ବର୍ଷଗୁଡ଼ିକରେ ଏହି ଅଞ୍ଚଳର ୮୯ ପ୍ରତିଶତ ଲୋକ ପ୍ରବଳ ଗରମ ଅନୁଭବ କରିବେ ଏବଂ ୨୨ ପ୍ରତିଶତ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହେବେ। ଗରିବ ଓ ଚାଷ ଉପରେ ନିର୍ଭରଶୀଳ ପରିବାରଗୁଡ଼ିକ ଉପରେ ଅଧିକ ଚାପ ପଡ଼ିବ। ଜଳବାୟୁ ପରିବର୍ତ୍ତଜନଜନିତ ଘଟଣାଗୁଡ଼ିକ ଦ୍ବାରା ମାନବ ପୁଞ୍ଜି ଓ ସମ୍ପତ୍ତି ନଷ୍ଟ ହେବ। ଲୋକମାନଙ୍କର ଆୟ ହ୍ରାସ ପାଇବ। 
ଏହି ଗୁରୁତର ସଙ୍କଟ ପୂର୍ବରୁ ଯଦି ଲୋକମାନଙ୍କୁ ଆଗୁଆ ସତର୍କ ସୂଚନା ମିଳିବ, ତେବେ ସେମାନେ ପ୍ରତିଷେଧମୂଳକ ପଦକ୍ଷେପ ‌ନେଇପାରିବେ ବୋଲି ବିଶ୍ବବ୍ୟାଙ୍କ କହିଛି। ବିଶେଷ କରି ସମ୍ବେଦନଶୀଳ ଉପକୂଳ ଅଞ୍ଚଳ ଓ ନଦୀର ତଳିଆ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ପାଇଁ ବାତ୍ୟା ଓ ବନ୍ୟାର ଆଗୁଆ ସୂଚନା ଜରୁରି। କିନ୍ତୁ ଏହି ଅଞ୍ଚଳର ଅଧାରୁ ଅଧିକ ଲୋକଙ୍କ ପାଖରେ ସେହି ସତର୍କ ସୂଚନା ପହଞ୍ଚୁ ନଥିବାରୁ ବିଶ୍ବବ୍ୟାଙ୍କ ଚିନ୍ତା ପ୍ରକଟ କରିଛି।

ଜଳବାୟୁ ପରିବର୍ତ୍ତନ ପ୍ରଭାବର ମୁକାବିଲା ଲାଗି ବହୁ ପରିବାର ଓ ସଂସ୍ଥା ପଦକ୍ଷେପ ନେଉଛନ୍ତି। ପ୍ରାୟ ୮୦ ପ୍ରତିଶତ ପରିବାର ଓ ୬୩ ପ୍ରତିଶତ ସଂସ୍ଥା କିଛି ନା କିଛି ପଦକ୍ଷେପ ଗ୍ରହଣ କରିଛନ୍ତି। କିନ୍ତୁ ସେଗୁଡ଼ିକ ହେଉଛି ସାଧାରଣ ପଦକ୍ଷେପ। ଚାଷ କ୍ଷତିକୁ ରୋକିବା ଲାଗି ଜଳବାୟୁ ସହନଶୀଳ ବିହନ ବ୍ୟବହାରକୁ ଗୁରୁତ୍ବ ଦିଆଯାଉ ନାହିଁ। ସେହିପରି ବିପଦପୂର୍ଣ୍ଣ ଅଞ୍ଚଳରେ ବାସ କରୁଥିବା ଲୋକମାନେ ନିରାପଦ ସ୍ଥାନକୁ ଯିବା ଘଟଣା କ୍ବଚିତ୍‌ ଦେଖିବାକୁ ମିଳୁଛି ବୋଲି ବିଶ୍ବବ୍ୟାଙ୍କ କହିଛି। ବିଶ୍ବବ୍ୟାଙ୍କ ଉପସଭାପତି (ଦକ୍ଷିଣ ଏସିଆ) ମାର୍ଟିନ୍ ରେଜର କହିଛନ୍ତି ଯେ ‌ଜନତା ଓ ସଂସ୍ଥା ପଦକ୍ଷେପ ନେଉଛନ୍ତି। କିନ୍ତୁ ସେମାନଙ୍କ ପାଖରେ ସମ୍ବଳ ଓ ସାଧନ ସୀମିତ। ସେମାନଙ୍କ ସାମନାରେ ରହିଥିବା ପ୍ରତିବନ୍ଧକଗୁଡ଼ିକୁ ହଟାଇବା ଲାଗି ସରକାରଙ୍କୁ ତ୍ବରିତ ପଦକ୍ଷେପ ନେବାକୁ ପଡ଼ିବ।