ଗ୍ଲାସ୍‌ଗୋ : ସ୍କଟ୍‌ଲାଣ୍ଡ୍‌ର ଗ୍ଲାସ୍‌ଗୋରେ ଆସନ୍ତକାଲି (ସୋମବାର)ଠାରୁ ଆରମ୍ଭ ହେବାକୁ ଥିବା ଜଳବାୟୁ ଶିଖର ସମ୍ମିଳନୀ (ସିଓପି୨୬) ଉପରେ ପୂରା ବିଶ୍ବର ନଜର ରହିଛି। ଜଳବାୟୁ ପରିବର୍ତ୍ତନଜନିତ ବିପଦରୁ ବଶ୍ବକୁ ରକ୍ଷା କରିବା ପାଇଁ ଏଥିରେ ନିର୍ଣ୍ଣାୟକ ନିଷ୍ପତ୍ତି ଗ୍ରହଣ କରାଯିବାକୁ ଥିବାବେଳେ ସିଓପି-୨୬ ଜଳବାୟୁ ସମ୍ମିଳନୀର ସଭାପତି ତଥା ବ୍ରିଟେନ୍‌ର ସାଂସଦ ଆଲୋକ ଶର୍ମା କହିଛନ୍ତି ଯେ ବିଶ୍ବ ତାପାୟନକୁ ପ୍ରାକ୍‌ ଔଦ୍ୟୋଗିକ ସ୍ତରଠାରୁ ୨ ଡିଗ୍ରି ସେଲ୍‌ସିୟସ ତଳକୁ ଆଣିବା ପାଇଁ ସର୍ବାଧିକ ଗୁରୁତ୍ବ ଦିଆଯିବ ଏବଂ ବିଶ୍ବ ତାପାମାତ୍ରାକୁ ୧.୫ ଡିଗ୍ରିରେ ରୋକିବା ହିଁ ସବୁଠାରୁ ବଡ଼ ଲକ୍ଷ୍ୟ ହେବ । ବିଶ୍ବ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରି ସେଲ୍‌ସିୟସରେ ସୀମିତ ରଖିଲେ ହିଁ ଭୟାନକ ସଙ୍କଟ ଟଳିପାରିବ ବୋଲି ସେ କହିଛନ୍ତି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବେ ସାରା ବିଶ୍ବରେ ଅନୁଭୂତ ହେଉଛି। ବିଶ୍ବବ୍ୟାପୀ ବନ୍ୟା, ବାତ୍ୟା, ଜଙ୍ଗଲ ନିଆଁ ଏବଂ ଅସ୍ବାଭାବିକ ତାପମାତ୍ରା ବୃଦ୍ଧି ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି ବୋଲି ଶର୍ମା କହିଛନ୍ତି। ଏବେ ବିଶ୍ବ ଗଭୀର ସଙ୍କଟ ଆଡ଼କୁ ମୁହାଁଇଥିବା ବେଳେ କୋଭିଡ୍‌ ପାଇଁ ଜଳବାୟୁ ସମ୍ମିଳନୀ ଗୋଟିଏ ବର୍ଷ ବିଳମ୍ବ ହୋଇଛି ଏବଂ ଏହି ବର୍ଷକ ମଧ୍ୟରେ ପରିବେଶ ସଙ୍କଟ ଆହୁରି ବଢ଼ିଯାଇଛି । ଏବେ ଆମେ ଏକାଠି ହୋଇ କାର୍ଯ୍ୟ କଲେ ହିଁ ଆମ ଗ୍ରହକୁ ସୁରକ୍ଷିତ ରଖିପାରିବା, ଅନ୍ୟଥା ବିପଦ ବଢ଼ିଚାଲିବ ଏବଂ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ଶର୍ମା ସତର୍କ କରାଇ ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ ଜଳବାୟୁ ଚୁକ୍ତିରେ ଏ ପର୍ଯ୍ୟନ୍ତ ୧୯୭ଟି ଦେଶ ସ୍ବାକ୍ଷର କରିସାରିଛନ୍ତି। ବିଶ୍ବ ତାପାମତ୍ରା ବୃଦ୍ଧିକୁ ରୋକିବା ପାଇଁ ଜାତିସଂଘର ଏହା ସବୁଠାରୁ ବିଶାଳ ପ୍ରୟାସ ହୋଇଥିବା ବେଳେ ପ୍ୟାରିସ୍‌ ସମ୍ମିଳନୀର ପ୍ରସ୍ତାବ କାର୍ଯ୍ୟକାରୀ କରିବା ଦିଗରେ ବିକଶିତ ରାଷ୍ଟ୍ରମାନେ ନିଷ୍ଠାର ସହ ପଦକ୍ଷେପ ନେଉନଥିବାରୁ ଭାରତ ଉଦ୍‌ବେଗ ପ୍ରକାଶ କରିଛି।