ଉତ୍ତରକାଶୀ: ୧୦୨ ଜଣ କର୍ମଚାରୀଙ୍କୁ ନେଇ ଚଣ୍ଡିଗଡ଼ରୁ ଲେହ୍ ଯାଉଥିବା ଭାରତୀୟ ବାୟୁସେନାର ଏକ ଏନ୍ଏନ୍-୧୨ ବିମାନ ହିମାଚଳ ପ୍ରଦେଶର ଲାହୁଲ ଉପତ୍ୟକାରେ ଦୁର୍ଘଟଣାଗ୍ରସ୍ତ ହେବାର ପଚାଶ ବର୍ଷ ଏକ ପର୍ବତାରୋହୀ ଦଳ ଦୁର୍ଘଟଣାଗ୍ରସ୍ତ ବିମାନର କିଛି ଅଂଶ ସହ ଜଣେ ସୈନିକଙ୍କ ଶବ ପାଇଛନ୍ତି।
ଜୁଲାଇ ପହିଲାରେ ଚନ୍ଦ୍ରଭାଗା ଶୃଙ୍ଗ ଉପରକୁ ଏକ ସ୍ୱଚ୍ଛତା ଅଭିଯାନରେ ଯାଇଥିବା ଦଳେ ପର୍ବତାରୋହୀ ସୈନିକଙ୍କ ଶବକୁ ଉଦ୍ଧାର କରିଥିଲେ। ସମୁଦ୍ରପତ୍ତନ ଠାରୁ ୬, ୨୦୦ ମିଟର୍ ଉଚ୍ଚରେ ଥିବା ଢାକା ଗ୍ଲେସିଅର୍ର ବେସ୍କ୍ୟାମ୍ପ୍ ଠାରେ ମୃତ ସୈନିକଙ୍କ ଦେହାବଶେଷ ମିଳିଥିଲା।
ଟିମ୍ ଲିଡର୍ ରାଜୀବ ରାଓ୍ଵତ୍ କହନ୍ତି: ପ୍ରଥମେ ଆମେ ବିମାନର ଅଂଶବିଶେଷ ପାଇଥିଲୁ। ପରେ ପରେ କିଛି ମିଟର୍ ଦୂରରେ ଆମ ଟିମ୍ ମେମ୍ବର୍ମାନେ ନଷ୍ଟ ହୋଇ ଯାଇ ଥିବା ସୈନିକଙ୍କ ଶବ ଠାବ କରିଥିଲେ।
ଆମ ଟିମ୍ ଶବ ଓ ବିମାନ ଭଗ୍ନାଂଶର ଫଟୋ ଉଠାଇ ‘ଆର୍ମିର ହାଇ ଆଲ୍ଟିଚ୍ୟୁଡ୍ ଓ୍ଵାର୍ଫେୟାର୍ ସ୍କୁଲ୍’କୁ ଜୁଲାଇ ୧୬ ତାରିଖ ଦିନ ଜଣାଇବା ପରେ ସେମାନେ ସେ ଅଞ୍ଚଳରେ ତଲାସ ଅଭିଯାନ ଆରମ୍ଭ କରିଛନ୍ତି।
ଦୁର୍ଘଟଣାଗ୍ରସ୍ତ ବିମାନଟି ଦଶନ୍ଧି ଦଶନ୍ଧି ଧରି ଆଲୋଚନାର ବିଷୟ ପାଲଟିଛି।
ସୋଭିଏତ୍ ସଂଘ ନିର୍ମିତ ଏହି ବିମାନଟି ୯୮ ଜଣ ଯାତ୍ରୀ ଏବଂ ବିମାନ ପରିଚାରକଙ୍କୁ ନେଇ ଯାଉଥିବା ବେଳେ ୧୯୬୮ ମସିହା ଫେବ୍ରୁଆରି ୭ ତାରିଖ ଦିନ ନିଖୋଜ ହୋଇ ଯାଇଥିଲା। ଲେହ୍ରେ ପହଞ୍ଚିବା ପରେ ଥଣ୍ଡା ଓ ଶୀତୁଆ ପାଗ ଯୋଗୁଁ ପାଇଲଟ୍ ବିମାନ ଫେରାଇ ଆଣିବାକୁ ନିଷ୍ପତ୍ତି ନେବା ପରେ ଦୁର୍ଘଟଣା ଘଟିଥିଲା।
୩୫ ବର୍ଷ ପରେ ଅର୍ଥାତ୍ ୨୦୦୩ରେ କିଛି ପର୍ବତାରୋହୀ ବିମାନର ଭଗ୍ନାଂଶ ଆବିଷ୍କାର କରିଥିଲେ। ସେତେବେଳେ ସେମାନେ ପାଇଥିବା ଶବଟି ଥିଲା ସିପାହୀ ବେଲି ରାମଙ୍କର।
ଅଗଷ୍ଟ ୨୦୦୭ରେ ଭାରତୀୟ ସେନା ଅଭିଯାନ ଅପରେସନ୍ ପୁନରୁତ୍ଥାନ-୩ ତିନୋଟି ଶବ ଦୁର୍ଘଟନାସ୍ଥଳରୁ ଆବିଷ୍କାର କରିଥିଲା।
୨୦୦୩ ରୁ ୨୦୦୭ ଯାଏଁ ସେଠାରୁ ମାତ୍ର ୫ଟି ଶବ ଉଦ୍ଧାର କରାଯାଇଛି। ସେଠାରୁ ଆହୁରି ଅନେକ ଶବ ମିଳିପାରେ ବୋଲି ବିଶ୍ୱାସ କରାଯାଉଛି।