ନୂଆଦିଲ୍ଲୀ : ପୃଥିବୀର ଉଚ୍ଚତମ ପର୍ବତ ଦୁଃସାହସିକ ଯାତ୍ରାର କେନ୍ଦ୍ରସ୍ଥଳ ପାଲଟିଛି। ଯୁଗଯୁଗ ଧରି ବହୁ ପର୍ବତାରୋହୀ ଏହା ଉପରକୁ ଯାଇ ନିଜର କୃତିତ୍ବ ଓ ସାହସ ପ୍ରଦର୍ଶନ କରିଛନ୍ତି। ତେବେ ପର୍ବତା ରୋହୀମାନେ ଉଚ୍ଚତମ ଗିରିଶୃଙ୍ଗରେ କେବଳ ନିଜର ଆବର୍ଜନା ଫିଙ୍ଗିଦେଇ ଆସନ୍ତି ନାହିଁ, ବରଂ ଏହାଠାରୁ ଗୁରୁତର କାମ କିଛି କରନ୍ତି।

Advertisment

ଏକ ନୂତନ ଅନୁଧ୍ୟାନ ଅନୁସାରେ, ମାଉଣ୍ଟ ଏଭେରେଷ୍ଟ ଉପରେ ଯେତେବେଳେ ଜଣେ କାଶେ ବା ଛିଙ୍କେ ସେତେବେଳେ ଜୀବାଣୁଗୁଡ଼ିକ ବରଫ ଭିତରେ ଶତାବ୍ଦୀ ଶତାବ୍ଦୀ ଧରି ସଂରକ୍ଷିତ ହୋଇ ରହିଯାନ୍ତି। ଅତି ଥଣ୍ଡାରେ ବି ସେମାନେ ମରନ୍ତି ନାହିଁ। ସୁପ୍ତ ଅବସ୍ଥାରେ ରହିଯାନ୍ତି।

କୁମେରୁ, ସମେରୁ ଓ ଆଲ୍‌ପସ ପର୍ବତମାଳା ଉପରୁ ଏମିତି ଅନେକ ଅଣୁଜୀବଙ୍କ ସନ୍ଧାନ ମିଳିଛି। କେଉଁ ପ୍ରାଚୀନ ଯୁଗରୁ ଏମାନେ ବରଫରେ ସୁପ୍ତ ଅବସ୍ଥାରେ ଅଛନ୍ତି। ତେବେ ସେମାନେ ସେଠାକୁ ଗଲେ କେମିତି? ନିଶ୍ଚିତଭାବେ ପର୍ବତାରୋହୀ ମଣିଷମାନଙ୍କ ଦ୍ବାରା ହିଁ ସେମାନେ ସେଠାକୁ ଯାଇଛନ୍ତି ବୋଲି ଅନୁଧ୍ୟାନର ବରିଷ୍ଠ ଲେଖକ ଷ୍ଟିଭ୍ ସ୍ମିଟ୍ କହିଛନ୍ତି। ଗବେଷକମାନେ ଏଭେରେଷ୍ଟ ଶୃଙ୍ଗରୁ ପାଇଥିବା ଅଣୁଜୀବଙ୍କ ଜିନ୍ ସିକ୍ବେନ୍ସିଂ କରି ସେମାନଙ୍କ ଉପରେ ଅଧିକ ଜାଣିବାକୁ ଚେଷ୍ଟା କରିଥିଲେ।

ଜୀବାଣୁଗୁଡ଼ିକ ସାଧାରଣତଃ ଉଷ୍ମ ଓ ଆର୍ଦ୍ର ପରିବେଶରେ ବୃଦ୍ଧି ପାଇଥାନ୍ତି। କିନ୍ତୁ ନୂତନ ଗବେଷଣାରୁ ଜଣାପଡ଼ିଛି ଯେ କେତେକ ଜୀବାଣୁ ବରଫ ପରି ଥଣ୍ଡା ପରିବେଶରେ ବି ବିବର୍ତ୍ତିତ ହେବା ଓ ଖାପ ଖୁଆଇ ଚଳିବା ଶିଖିଯାଇଥାନ୍ତି। ତେବେ ଏଭେରେଷ୍ଟ ଉପରେ ସେମାନେ ସାଧାରଣତଃ ଡର୍ମାଟ ବା ନିଷ୍କ୍ରିୟ ଓ ସୁପ୍ତ ଅବସ୍ଥାରେ ଥାନ୍ତି। ଏଥିରୁ ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ ଏଭଳି ଚରମ ପରିବେଶରେ ଶୀତଳ ଚନ୍ଦ୍ର ଓ ଅନ୍ୟ ଗ୍ରହରେ ବି ଜୀବସତ୍ତାର ଅସ୍ତିତ୍ବ ସମ୍ଭବ।