ରାଞ୍ଚି: ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ମଙ୍ଗଳବାର ଦିନ ଏକ ବଡ଼ ଧରଣର ଅଗ୍ନିକାଣ୍ଡରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି।

Advertisment

ଘଟଣା ସଂପର୍କରେ ସୂଚନା ପ୍ରଦାନ କରି ଅଧିକାରୀମାନେ କହିଛନ୍ତି ଯେ ଝାଡ଼ଖଣ୍ଡର ପାଲାମୁ ଜିଲ୍ଲାର ସର୍କିଟ ହାଉସର ଯେଉଁ କୋଠରୀରେ ଲାଲୁ ପ୍ରସାଦ ଅବସ୍ଥାନ କରୁଥିଲେ ସେଇ କୋଠରୀରେ ଥିବା ଫ୍ୟାନ୍‌ରେ ବିଦ୍ୟୁତ୍‌ ସର୍ଟ ସର୍କିଟ ହୋଇ ଅଗ୍ନିକାଣ୍ଡ ଘଟିଥିଲା।

ସେମାନେ କହିଛନ୍ତି ଯେ ୭୩ ବର୍ଷ ବୟସ୍କ ଲାଲୁ ପ୍ରସାଦ ସକାଳ ପ୍ରାୟ ୮ଟା ସମୟରେ ତାଙ୍କ କୋଠରୀରେ ଜଳଖିଆ ଖାଉଥିବା ବେଳେ କାନ୍ଥରେ ଲାଗିିଥିବା ଫ୍ୟାନ୍‌ରେ ସର୍ଟ ସର୍କିଟ ହୋଇ ନିଆଁ ଲାଗି ଯାଇଥିଲା। ତେବେ, କୋଠରୀରେ ନିଆଁ ବ୍ୟାପିବା ପୂର୍ବରୁ ସେଠାରେ ଥିବା ତାଙ୍କ ସହଯୋଗୀମାନେ ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ।

publive-image Image Courtesy: News Live

ପାଲାମୁ ଡେପୁଟି କମିଶନର ଶଶିରଂଜନ ଗଣମାଧ୍ୟମକୁ କହିଛନ୍ତି, ଏହି ଅଗ୍ନିକାଣ୍ଡ ଏକ ସର୍ଟ ସର୍କିଟ୍‌ ଯୋଗୁଁ ହୋଇଥିଲା ଏବଂ ଏହି ଘଟଣା ପରେ ପରିସରକୁ ବିଦ୍ୟୁତ ଯୋଗାଣ ବନ୍ଦ ହୋଇ ଯାଇଥିଲା। ଏହି ଘଟଣା ଯୋଗୁଁ କେହି କୌଣସି ଆଘାତ ପାଇ ନାହାନ୍ତି ଏବଂ କୌଣସି ଗୁରୁତ୍ୱପୂର୍ଣ୍ଣ କ୍ଷତି ହୋଇ ନଥିବା ସେ କହିଛନ୍ତି। ସର୍ଟ ସର୍କିଟକୁ ସଜଡ଼ା ଯାଇଛି ଏବଂ ନିଆଁ ଲାଗିଥିବା ଫ୍ୟାନ୍‌କୁ ହଟାଇ ଦିଆଯାଇଛି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧୀୟ ୧୩ ବର୍ଷ ପୁରୁଣା ଏକ ମାମଲା ସମ୍ପର୍କରେ ଲାଲୁପ୍ରସାଦ ସୋମବାର ପାଲାମୁର ଜିଲ୍ଲା ମୁଖ୍ୟାଳୟ ମେଦିନିନଗରରେ ପହଞ୍ଚି ଏକ ସ୍ୱତନ୍ତ୍ର ଅଦାଲତରେ ହାଜର ହୋଇଥିଲେ। ସେ ସ୍ୱତନ୍ତ୍ର ବିଚାରପତି ସତୀଶ କୁମାର ମୁଣ୍ଡାଙ୍କ ଅଦାଲତରେ ହାଜର ହେବା ପାଇଁ ଆସି ଏହି ସର୍କିଟ ହାଉସରେ ଅବସ୍ଥାନ କରିଥିଲେ। ଝାଡ଼ଖଣ୍ଡରେ ୨୦୦୯ ବିଧାନସଭା ନିର୍ବାଚନ ସମୟରେ ମେଦିନିନଗରରେ ନିର୍ଦ୍ଧାରିତ ହେଲିପ୍ୟାଡ୍‌ ପରିବର୍ତ୍ତେ ପାଇଲଟଙ୍କ ଭୁଲ ଯୋଗୁଁ ତାଙ୍କ ହେଲିକପ୍ଟଟର ବିଭ୍ରାନ୍ତ ହୋଇ ଧାନ କ୍ଷେତରେ ଅବତରଣ କରିଥିବା ଅଭିଯୋଗ ହେବା ପରେ ଗଡ଼ୱା ଜିଲ୍ଲାରେ ଆରଜେଡି ମୁଖ୍ୟଙ୍କ ବିରୋଧରେ ଆଇପିସି ଧାରା ୧୮୮, ୨୭୯, ୨୯୦, ୨୯୧ ଏବଂ ୩୪ ଏବଂ ପିପୁଲ୍‌ସ ଆକ୍ଟର ଧାରା ୧୨୭ ଅନୁଯାୟୀ ଏକ ମାମଲା ରୁଜୁ କରା ଯାଇଥିଲା।