ନୂଆଦିଲ୍ଲୀ: ସରକାରଙ୍କ ଦ୍ବାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି)କୁ କାର୍ଯ୍ୟକାରୀ କରିବା ପାଇଁ ଚାଲିଥିବା ପ୍ରୟାସ ଉପରେ କଂଗ୍ରେସର ବରିଷ୍ଠ ନେତାମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପସ୍ଥିତ ଦଳର ସବୁ ନେତା ଏକ ସ୍ବରରେ ସବୁ ଆଇନରେ ସମାନତା ଚିନ୍ତାଧାରାକୁ ପ୍ରତ୍ୟାଖାନ କରିଛନ୍ତି। ଏଥିସହିତ ସରକାର ୟୁସିସିର ଚିଠା ବିଲ୍ ଆଣିବା ପରେ ହିଁ ଯାଇ ଦଳ ପ୍ରତିକ୍ରିୟା ରଖିବ ବୋଲି ନେତାମାନେ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼୍‌ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ରୁଦ୍ଧଦ୍ବାର ବୈଠକରେ ଏକ ସୂକ୍ଷ୍ମ ଆଭ୍ୟନ୍ତରୀଣ ରିପୋର୍ଟ ପ୍ରସ୍ତୁତ ହେବା ଉଚିତ ବୋଲି ମଧ୍ୟ ନେତାମାନେ ମତ ଦେଇଛନ୍ତି।

Advertisment

ସମସ୍ତ ଆଇନରେ ସବୁ କିଛି ସମାନ ନଥିବା ଆମେ ଜାଣିଛୁ। ଉତ୍ତର ପୂର୍ବ ଭାରତ, ଦକ୍ଷିଣ ଭାରତ, ମୁସଲମାନ ଏବଂ ହିନ୍ଦୁମାନଙ୍କ ପାଇଁ କିଭଳି ସମାନ ଦେୱାନୀ ଆଇନ କାର୍ଯ୍ୟକାରୀ ହୋଇପାରିବ? ତେବେ ବ୍ୟକ୍ତିଗତ ଆଇନର କିଛିଟା ଦିଗକୁ ଅନୁଧ୍ୟାନ କରାଯାଇ ପାରେ ବୋଲି ଜଣେ କଂଗ୍ରେସ ନେତା କହିଛନ୍ତି। ଚିଠା ବିଲ୍‌ ନଆସିବା ପର୍ଯ୍ୟନ୍ତ କଂଗ୍ରେସ ଏହାକୁ ସମର୍ଥନ କିମ୍ବା ବିରୋଧ କରିବାରୁ କ୍ଷାନ୍ତ ରହିଛି। ଉଲ୍ଲେଖଯୋଗ୍ୟ, ୟୁସିସି କାର୍ଯ୍ୟକାରୀ ହେଲେ ବିଭିନ୍ନ ବିଶ୍ବାସ ଓ ଜନଜାତି ବର୍ଗର ଲୋକଙ୍କ ମଧ୍ୟରେ ପୂର୍ବ ପ୍ରଚଳିତ ଆଇନର କୌଣସି ଗୁରୁତ୍ବ ରହିବ ନାହିଁ। ବିବାହ, ବିଚ୍ଛେଦ, ଉତ୍ତରାଧିକାର ଏବଂ ଭରଣପୋଷଣ ଆଦି ପ୍ରସଙ୍ଗରେ ଗୋଟିଏ ଆଇନ କାର୍ଯ୍ୟକାରୀ ହେବ। ପ୍ରସ୍ତାବିତ ୟୁସିସି ଉପରେ ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ୨୦୧୬ ଜୁନ ୧୭ରେ ପଠାଯାଇଥିବା ନିର୍ଦ୍ଦେଶାବଳିଗୁଡ଼ିକୁ ୨୨ତମ ଆଇନ କମିସନ ଅନୁଧ୍ୟାନ କରୁଛନ୍ତି। ୨୦୧୮ର ବିଚାରବିମର୍ଶ ଦସ୍ତାବିଜ୍‌ରେ ଆଇନ କମିସନ କହିଥିଲେ ବର୍ତ୍ତମାନ ସ୍ଥିତିରେ ୟୁସିସି ଆବଶ୍ୟକ କିମ୍ବା ବାଞ୍ଛନୀୟ ନୁହେଁ। ତେବେ ‌ଜନସାଧାରଣ ଏବଂ ସ୍ବୀକୃତିପ୍ରାପ୍ତ ଧାର୍ମିକ ସଂଗଠନଠାରୁ ଏ ନେଇ କମିସନ ମତାମତ ଲୋଡ଼ିଥିଲେ।