ନୂଆଦିଲ୍ଲୀ: ଧୂଆଁକୁହୁଡ଼ିର ମୁକାବିଲା ପାଇଁ ମଙ୍ଗଳବାର ଦିଲ୍ଲୀ ସହରର ବିଭିନ୍ନ ସ୍ଥାନରେ କ୍ଲାଉଡ୍ ସିଡିଂ କରାଯାଇଛି। ଫଳରେ ଖୁବ୍ଶୀଘ୍ର କୃତ୍ରିମ ବର୍ଷା ରାଜଧାନୀକୁ ଆଚ୍ଛାଦିତ କରିଥିବା ବିଷାକ୍ତ ବାୟୁକୁ ଧୋଇ ଦେଇପାରେ ବୋଲି ଆଶା କରାଯାଉଛି। ତେବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବର୍ଷା ହୋଇନଥିବାରୁ ଏହାର ସଫଳତା ଉପରେ ପ୍ରଶ୍ନଚିହ୍ନ ଲାଗିଛି। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) କାନପୁରର ଏକ ବିମାନ ଦ୍ୱାରା ଏହି ଅପରେସନ୍ କରାଯାଇଥିଲା, ଯେଉଁଥିରେ ବର୍ଷା ସୃଷ୍ଟି କରିବା ପାଇଁ ଡିଜାଇନ୍ ହୋଇଥିବା ସ୍ୱତନ୍ତ୍ର ସଲ୍ଟ-ଆଧାରିତ ଏବଂ ସିଲଭର ଆୟୋଡାଇଡ୍ ଫ୍ଲେୟାର୍ ଅନ୍ତର୍ଭୁକ୍ତ ଥିଲା। ସେସନା-୨୦୬ଏଚ୍ ବିମାନ ଦିଲ୍ଲୀର ଉତ୍ତର ସୀମାରେ ମେଘ ଉପରେ ଉଡ଼ି ସିଲଭର ଆୟୋଡାଇଡ୍ ଓ ସୋଡିୟମ୍ କ୍ଲୋରାଇଡ୍ ପରି ରାସାୟନିକ ପଦାର୍ଥ ସିଞ୍ଚନ କରିଥିଲା।
ଦିଲ୍ଲୀର ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂ ସିର୍ସା କହିଛନ୍ତି ଯେ ଯଦି କ୍ଲାଉଡ୍ ସିଡିଂ ମାଧ୍ୟମରେ କୃତ୍ରିମ ବର୍ଷା ସଫଳ ହୁଏ, ତେବେ ତାହା ବାୟୁ ପ୍ରଦୂଷଣ ସ୍ତରକୁ ଯଥେଷ୍ଟ ହ୍ରାସ କରିବାରେ ସାହାଯ୍ୟ କରିବ। ଖେକ୍ରା, ବୁରାରୀ, ମୟୂର ବିହାର ଓ ଅନ୍ୟାନ୍ୟ ଅଞ୍ଚଳରେ କ୍ଲାଉଡ୍ ସିଡିଂ ହୋଇଛି। ଆଠଟି ଫ୍ଲେୟାର ବ୍ୟବହାର କରାଯାଇଥିଲା ଏବଂ ସମଗ୍ର ପ୍ରକ୍ରିୟା ପ୍ରାୟ ଅଧ ଘଣ୍ଟା ଧରି ଚାଲିଥିଲା। ମଙ୍ଗଳବାରର କ୍ଲାଉଡ୍ ସିଡିଂ ପରୀକ୍ଷଣ ଗତ ସପ୍ତାହରେ ଉତ୍ତର ଦିଲ୍ଲୀର ବୁରାରୀ ଉପରେ ଏକ ପରୀକ୍ଷଣ ଉଡ଼ାଣ ପରେ ହୋଇଛି, ଯେଉଁଥିରେ ସିଲଭର ଆୟୋଡାଇଡ୍ ଓ ସୋଡିୟମ୍ କ୍ଲୋରାଇଡ୍ ଅଳ୍ପ ମାତ୍ରାରେ ସିଞ୍ଚନ କରାଯାଇଥିଲା। ତଥାପି, କମ୍ ଆର୍ଦ୍ରତା ସ୍ତର (ଆବଶ୍ୟକ ୫୦ ପ୍ରତିଶତ ତୁଳନାରେ ୨୦ ପ୍ରତିଶତରୁ କମ୍) ହେତୁ ବର୍ଷା ହୋଇ ନ ଥିଲା।କ୍ଲାଉଡ୍ ସିଡିଂ ପ୍ରକଳ୍ପକୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଓ ଦିଲ୍ଲୀ ସରକାରଙ୍କ ପରିବେଶ ବିଭାଗଠାରୁ ଚୂଡ଼ାନ୍ତ ଅନୁମୋଦନ ମିଳିଥିଲା, ଯାହା ଜାତୀୟ ରାଜଧାନୀରେ କୃତ୍ରିମ ବର୍ଷା ପାଇଁ ପ୍ରଥମ ପୂର୍ଣ୍ଣ ଉଦ୍ୟମ ଥିଲା। ଦୀପାବଳି ପରେ ବାୟୁ ପ୍ରଦୂଷଣ ବୃଦ୍ଧି ଏବଂ ଶୀତ ଆରମ୍ଭରେ ପଡୋଶୀ ରାଜ୍ୟରେ ନଡ଼ା ଜାଳିବା ବୃଦ୍ଧି ମଧ୍ୟରେ ଏହି ପ୍ରୟାସ କରାଯାଇଛି। ଅଧିକାରୀ କହିଛନ୍ତି ଯେ କ୍ଲାଉଡ୍ ସିଡିଂ ପରୀକ୍ଷଣ ଏକ ବ୍ୟାପକ ଶୀତକାଳୀନ ପ୍ରଦୂଷଣ ନିୟନ୍ତ୍ରଣ ରଣନୀତିର ଏକ ଅଂଶ ଏବଂ ପର୍ଯ୍ୟାୟକ୍ରମେ କରାଯିବ। ଦିଲ୍ଲୀ କ୍ୟାବିନେଟ୍ ଚଳିତ ବର୍ଷ ମେ ମାସରେ ମୋଟ ୩.୨୧ କୋଟି ଟଙ୍କା ବ୍ୟୟରେ ଏହିପରି ପାଞ୍ଚଟି ପରୀକ୍ଷଣକୁ ଅନୁମୋଦନ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/29/dagdaadgdg-2025-10-29-01-51-56.jpg)