ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବରୁ ଲୋକଙ୍କୁ ସତର୍କ କରାଇ ଦେଇଥିଲା।
ବାଦଲ ଫଟା ବର୍ଷା ହେତୁ ଆସିଥିବା ପ୍ରଳୟର ସାମ୍ନା କରିଥିବା ଜଣେ ଯୁବତୀ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୁଁ ଆଜି ସକାଳୁ ଅଫିସ ବାହାରିଥିଲି। ଜାଣି ନଥିଲି ରାସ୍ତାରେ ଏଭଳି ଭାବେ ଫସି ଯିବି। ବାଦଲ ଫଟା ବର୍ଷା ସାଙ୍ଗକୁ ଆଖି ସାମ୍ନାରେ ଭାସି ଯାଉଥିଲା ଅନେକ ଦୋକାନ ବଜାର। ରାସ୍ତାରେ ଜମିଥିବା ପାଣିରେ ଫସି ରହିଥିଲା ମୋ ଗାଡ଼ି। ଏଭଳି ପରିସ୍ଥିତିରୁ କିପରି ମୁକୁଳିବି ସେ ନେଇ କିଛି ବୁଦ୍ଧିବାଟ ଦିଶୁ ନଥିଲା। ମୋ ଭଳି ଅନେକ ଲୋକ ରାସ୍ତାରେ ଫସି ରହିଥିଲେ। ଅନେକ ସମୟ ପରେ ଉଦ୍ଧାରକାରୀ ଦଳ ଆସି ଘଟଣାସ୍ଥଳରୁ ମୋ ସହିତ ଅନ୍ୟ ଲୋକମାନଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣାକୁ ନେଇ ମୁଁ କହିବି ପ୍ରଳୟରୁ ମୁଁ ଅଳ୍ପକେ ବର୍ତ୍ତି ଆସିଛି।’
ଡେରାଡୁନର ସସ୍ତଧାରାଠାରେ ବାଦଲ ଫଟା ବର୍ଷା ଯୋଗୁଁ ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି। ଅନେକ ଦୋକାନ, ହୋଟେଲ ଏବଂ ଘର କ୍ଷତିଗ୍ରସ୍ତ ହୋଇଛି। ଏସଡିଆରଏଫ ଏବଂ ଏନଡିଆରଏଫ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଭଗ୍ନାବଶେଷ ହଟାଇବା ସହିତ ବୁଲଡୋଜର ସାହାଯ୍ୟରେ ନିଖୋଜ ଲୋକଙ୍କୁ କ୍ରମାଗତ ଭାବେ ଖୋଜିବାର ପ୍ରକ୍ରିୟା ଚାଲିଛି। ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି।