ନୂଆଦିଲ୍ଲୀ : ବଜାରରେ ନିମ୍ନମାନର ପ୍ରେସର କୁକର ବିକ୍ରି କରୁଥିବାରୁ କ୍ଲାଉଡଟେଲ କମ୍ପାନି ଉପରେ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ (ସିସିପିଏ) ୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ବାଧ୍ୟତାମୂଳକ ଥିବା ବିଆଇଏସ୍ ମାନକୁ ଉଲ୍ଲଂଘନ କରି କମ୍ପାନି ଆମାଜନରେ ପ୍ରେସର କୁକର ବିକ୍ରି କରୁଥିଲା। ଏଥିସହିତ ୧୦୩୩ଟି ପ୍ରେସର କୁକରକୁ ଗ୍ରାହକଙ୍କ ଠାରୁ ଫେରାଇ ଆଣିବା ସହିତ ସେମାନଙ୍କୁ ଟଙ୍କା ପ୍ରଦାନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଖାଉଟି ଅଧିକାର ଉଲ୍ଲଂଘନ ଏବଂ ଅସଙ୍ଗତ ବାଣିଜ୍ୟ ଅଭ୍ୟାସ ପାଇଁ ସିସିପିଏ ଏହି ନିର୍ଦ୍ଦେଶ ଦେଇଛି। ମୁଖ୍ୟ ଆୟୁକ୍ତ ନିଧି ଖାରେଙ୍କ ଅଧ୍ୟକ୍ଷତାରେ ସିସିପିଏ ଏହି ନିଷ୍ପତ୍ତି ନେଇଛି।
ପ୍ରେସର କୁକରର ମାନ କ’ଣ ରହିବା ଆବଶ୍ୟକ ତାହା ଡୋମେଷ୍ଟିକ ପ୍ରେସର କୁକର (କ୍ବାଲିଟି କଣ୍ଟ୍ରୋଲ) ଆଦେଶ ୨୦୨୦ରେ ରହିଛି। ସିସିପିଏ ଇ-କମର୍ସ କମ୍ପାନିଗୁଡ଼ିକ ବିରୋଧରେ ନିଜଆଡ଼ୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆମାଜନ, ଫ୍ଲିପକାର୍ଟ, ପେଟିଏମ ମଲ, ସପକ୍ଲୁଜ ଏବଂ ସ୍ନାପଡିଲ୍ ସମେତ ଏସବୁ ପ୍ଲାଟଫର୍ମରେ ପଞ୍ଜୀକୃତ ବିକ୍ରେତାଙ୍କୁ ସିସିପିଏ ନୋଟିସ ଜାରି କରିଛି। କ୍ଲାଉଡଟେଲ ଇଣ୍ଡିଆ ପକ୍ଷରୁ ୪ ଲିଟର କ୍ଷମତା ବିଶିଷ୍ଟ ଆମାଜନ ବେସିକ୍ସ ଷ୍ଟେନଲେସ ଷ୍ଟିଲ ଆଉଟର ଲିଡ୍ ପ୍ରେସର କୁକରରେ ହ୍ବିସଲ ଆଲର୍ଟ ଆସୁନଥିଲା। ଆମାଜନ ଇ-କମର୍ସ ପ୍ଲାଟଫର୍ମରେ ଉକ୍ତ ପ୍ରେସର କୁକର ବିକ୍ରି ପାଇଁ ରଖାଯାଇଥିଲା। ଆମାଜନ ଇ-କମର୍ସ ପ୍ଲାଟଫର୍ମରେ ୧୦୩୩ଟି ପ୍ରେସର କୁକର ବିକ୍ରି ହୋଇଛି। ସିସିପିଏ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶକୁ ପାଳନ କରି ୪୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/presur.jpg)